ଲକ୍ଷ୍ନୌ: ଏକଦା ଉତ୍ତର ପ୍ରଦେଶ ରାଜନୀତିକୁ ପ୍ରଭାବିତ କରି ଆସୁଥିବା ବାହୁବଳୀ ରାଜନେତାଙ୍କୁ ଏଥର ନିର୍ବାଚନରେ ମିଳିଛି ମିଶ୍ରିତ ସଫଳତା। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ  ମତଦାତା ଏଥର ପୂର୍ବାଞ୍ଚଳର ଅଧିକାଂଶ ବାହୁବଳୀ ରାଜନେତାଙ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦିଓ କେତେକ ବାହୁବଳୀ ନେତା ନିର୍ବାଚନରେ ବାଜିମାତ କରିବାରେ ସଫଳ ହୋଇଛନ୍ତି। ହେଲେ ଲୋକେ ଅଧିକାଂଶ ବାହୁବଳୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଜ୍ୟର ମଲହାନୀ ଆସନରୁ  ଧନଞ୍ଜୟ ସିଂହ, ଜ୍ଞାନପୁରରୁ ବିଜୟ ମିଶ୍ରା, ଇସୌଲିରୁ ଯଶ ଭଦ୍ର ସିଂହ ମୋନୁ, ଆଜବୀନ କାରାଦଣ୍ଡ ଭୋଗୁଥିବା ଅମରମଣି ତ୍ରୀପାଠୀଙ୍କ ପୁଅ ଅମନମଣି ତ୍ରୀପାଠୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅନ୍ୟପଟେ କୁଣ୍ଡାରୁ ରଘୁରାଜ ପ୍ରତାପ ସିଂହ ଏବଂ ଗୋସାଇଗଞ୍ଜରୁ ଅଭୟ ସିଂହ ବାଜିମାତ କରିବାରେ ସଫଳ ହୋଇଛନ୍ତି। 


ଜୌନପୁର ଜିଲ୍ଲାର ମଲହାନୀ ଆସନରୁ ବାହୁବଳୀ ନେତା ତଥା ଜେଡିୟୁ ବିଧାୟକ ପ୍ରାର୍ଥୀ ଧନଞ୍ଜୟ ସିଂହଙ୍କୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଲକି ଯାଦବ ୧୭ ହଜାର ୫୨୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ହତ୍ୟା ମାମଲାରେ ଜଡ଼ିତ ଥିବା ଏହି ବାହୁବଳୀ ନେତା ଅଧିକାଂଶ ସମୟରେ ବିବାଦ ଘେରରେ ରହି ଆସିଛନ୍ତି। 


Also Read: '୬ ମାସ ପର୍ଯ୍ୟନ୍ତ ହେବ ନାହିଁ transfer କିମ୍ବା posting, ପ୍ରଥମେ ହେବ ହିସାବ'


ଗତ ୨୦୦୨ ନିର୍ବାଚନରୁ ଭଦୋହୀ ଜିଲ୍ଲାର ଜ୍ଞାନପୁର ଆସନରୁ ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ବିଜୟ ମିଶ୍ରାଙ୍କୁ ଏଥର ପରାଜୟ ବରଣ କରିବାକୁ ପଡିଛି। ଗତ ୨୦୧୭ ନିର୍ବାଚନରେ ସେ ନିଷାଦ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଦଳର ଏକମାତ୍ର ବିଧାୟକ ହୋଇଥିଲେ। ହେଲେ ନିଷାଦ ପାର୍ଟି ପକ୍ଷରୁ ଟିକେଟ୍ ନମିଳବାରୁ ଏଥର ସେ ପ୍ରଗତିଶୀଳ ମାନବ ସମାଜ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ତୃତୀୟ ସ୍ଥାନରେ ରହିଛନ୍ତି। ଲଗାତାର ୪ ଥର ବିଧାୟକ ନିର୍ବାଚିତ ହୋଇଥିବା ମିଶ୍ରା ଗତ ୨୦୧୨ ନିର୍ବାଚନରେ ସମାଜାବଦୀ ପାର୍ଟି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବାଜିମାତ କରିଥିଲେ। ହେଲେ ଗତ ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟ୍ ନ ଦେବା ପରେ ନିଷାଦ ପାର୍ଟି ହାତ ଧରିଥିଲେ ସେ। ସେ ଜେଲରେ ଥାଇ ଜ୍ଞାନପୁର ଆସନରୁ ପଞ୍ଚମ ଥର ପାଇଁ ନିର୍ବାଚନ ଲଢିଥିଲେ ମଧ୍ୟ ତାଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି।


ସୁଲତାନପୁର ଜିଲ୍ଲାର ଇସୌଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବାହୁବଳୀ ପ୍ରାର୍ଥୀ ଯଶ ଭଦ୍ର ସିଂହ ମୋନୁଙ୍କୁ ପୁଣି ଥରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ପୂର୍ବରୁ ବିଏସପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ହତ୍ୟା ମାମଲାରେ ଜେଲରେ ଥିବା ଅମଣମଣି ତ୍ରିପାଠୀଙ୍କୁ ବିଧାନସଭା ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗତ ୨୦୧୭ ନିର୍ବାଚନରେ ତ୍ରିପାଠୀ ନୌତନୱା ଆସନରୁ ଜିତିଥିଲେ। ଏଥର ସେ ବିଏସପି ଟିକେଟରେ ନିର୍ବାଚନ ଲଢିଥିଲେ ମଧ୍ୟ ଜିତି ପାରିନଥିଲେ। ମଧୁମିତା ଶୁକ୍ଲା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବାଞ୍ଚଳରୁ ମାଫିଆ ରାଜନେତାଙ୍କ ମଧ୍ୟରେ ପରିଚିତ ଅମରମଣି ତ୍ରିପାଠୀଙ୍କ ପୁଅ ହେଉଛନ୍ତି ଅମନମଣି ତ୍ରିପାଠୀ।


ପ୍ରତାପଗଡ଼ ଜିଲ୍ଲାର କୁଣ୍ଡା ଆସନରୁ ଲଗାତାର ଭାବେ ଅଷ୍ଟମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ରାଜା ଭୈୟା ନାମରେ ଜଣାଶୁଣା ବାହୁବଳୀ ରାଜନେତା ରଘୁରାଜ ପ୍ରତାପ ସିଂହ। ସାଧାରଣତ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜା ଭୈୟା ଏଥର ନିର୍ବାଚନ ପୂର୍ବରୁ ଜନସତ୍ତା ପାର୍ଟି ଲୋକତାନ୍ତ୍ରିକ ନାମରେ ଏକ ଦଳ ଗଠନ କରି ଏହି ଦଳର ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ଗତ ୧୯୯୩ ମସିହାରୁ ରାଜା ଭୈୟା କୁଣ୍ଡା ଆସନରୁ ନିର୍ବାଚିତ ହୋଇଆସୁଛନ୍ତି। 


Also Read: UP Election 2022: ନିର୍ବାଚନ ଲଢିବେ ନାହିଁ ବାପା, ପୁଅ କରିବେ ପ୍ରତିଦ୍ୱନ୍ଦ୍ୱିତା


ଏହି ତାଲିକାରେ ଅନ୍ୟ ଏକ ନାମ ଆସିଛି ସମାଜବାଦୀ ପାର୍ଟିର ବାହୁବଳୀ ପ୍ରାର୍ଥୀ ଅଭୟ ସିଂହ ଯିଏ ଗୋସାଇଗଞ୍ଜ ଆସନରୁ ଭାଗ୍ୟ ପରୀକ୍ଷା କରି ସଫଳ ହୋଇଛନ୍ତି। ଗତ ୨୦୧୨ ନିର୍ବାଚନରେ ପ୍ରଥମ ଥର ପାଇଁ ଅଭୟ ସିଂହ ସମାଜବାଦୀ ପାର୍ଟି ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି। ହେଲେ ୨୦୧୭ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ।


ଯଦି ବାହୁବଳୀ ରାଜନେତାଙ୍କ ସମ୍ପର୍କୀୟଙ୍କ କଥା କୁହାଯାଏ ତାହେଲେ ପୂର୍ବାଞ୍ଚଳର ମାଫିଆ ରାଜନେତା ବୃଜେଶ ସିଂହଙ୍କ ଭଣଜା ସୁଶୀଲ ସୈୟଦରାଜା ଆସନରୁ ନିର୍ବାଚନରେ ​​ଜିତିବାରେ ସଫଳ ହୋଇଛନ୍ତି। ଜିତିବା ପରେ ସୁଶୀଲ ଚତୁର୍ଥ ଥର ପାଇଁ ବିଧାନସଭାରେ ପହଞ୍ଚିଛନ୍ତି। ଏହାପୂର୍ବରୁ ୨୦୦୭ ନିର୍ବାଚନରେ ସେ ବିଏସପି ଟିକେଟରେ ଧାନାପୁର ଆସନରୁ ନିର୍ବାଚନରେ ​​ଜିତିଥିବାବେଳେ ୨୦୧୨ ନିର୍ବାଚନରେ ସେ ସକଲଡିହା ଆସନରୁ ବିଧାୟକ ହୋଇଥିଲେ। 


ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ବାହୁବଳୀ ରାଜନେତା ତଥା ମଉ ସଦର ଆସନରୁ ଲଗାତାର ଭାବେ ବିଧାୟକ ନିର୍ବାଚିତ ହୋଇଥିବା ମୁଖତାର ଅନସାରୀ ଏଥର ନିର୍ବାଚନ ଲଢିନାହିଁ। ହେଲେ ମୁଖତାରର ପୁଅ ଅବ୍ବାସ ଅନସାରୀ ମଉ ଆସନରୁ  ସୁହେଲଦେବ ଭାରତୀୟ ସମାଜ ପାର୍ଟି ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ କୁମାର ସିଂହଙ୍କୁ ୩୮ ହଜାର ଭୋଟରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛି।