UP BJP MLA Arvind Giri: ହୃଦଘାତରେ ପ୍ରାଣ ହରାଇଛନ୍ତି ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଜିଲ୍ଲାର ଗୋଲା ବିଧାନସଭା ଆସନର ବିଜେପି ବିଧାୟକ ଅରବିନ୍ଦ ଗିରି। ମଙ୍ଗଳବାର ସେ  ରାଜଧାନୀ ଲକ୍ଷ୍ନୌ ଠାରେ ଏକ ସଭାରେ ଯୋଗଦେବାକୁ ସେଠାକୁ ଯାତ୍ରା କରୁଥିଲେ। ମାତ୍ର ଗାଡିରେ ଯିବା ବେଳେ ଯେତେବେଳେ ସେ ସିଦ୍ଧୁଲି ନିକଟରେ ପହଞ୍ଚିଲେ ସେତେବେଳେ ଚଳନ୍ତା ଗାଡି଼ରେ ତାଙ୍କର ଅଚନାକ ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ (BJP MLA Arvind Giri) ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath)। ଏନେଇ ଟ୍ୱିଟ କରି ସେ କହିଛନ୍ତି, "ରାଜ୍ୟର ଲଖୀମପୁର ଖେରୀ ଜିଲ୍ଲାର ଗୋଲା ବିଧାନସଭା ଆସନର ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ଦେହାନ୍ତ ଦୁର୍ଭାଗ୍ୟଜନକ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ମୋର ସମବେଦନା। ଭଗବାନ ରାମ ଦିବଂଗତ ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ। ଏହା ଏକ ଅପୂରଣୀୟ କ୍ଷତି। ଓମ ଶାନ୍ତି। "


Also Read: ଗୋଇଠା ମାରି ପାଚେରୀ ଭାଙ୍ଗିଦେଲେ ବିଧାୟକ


ଅରବିନ୍ଦ ଗିରି ୧୯୫୮ ମସିହାରେ ଜୁନ୍ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସମାଜବାଦୀ ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୫ ମସିହାରେ ସେ ରେକର୍ଡ ସଂଖ୍ୟକ ଭୋଟ୍ ଜିତି ଗୋଲା ପୌରପାଳିକାର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୬ ମସିହାରେ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୪୯ ଭୋଟ ବ୍ୟବଧାନରେ ନିର୍ବାଚନ ଜିତି ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ସେ ପୁଣି ଥରେ ଗୋଲା ପୌରପାଳିକା ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଗତ ୨୦୦୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।


ଗତ ୨୦୦୫ ବର୍ଷରେ ଅରବିନ୍ଦ ଗିରି, ତାଙ୍କ ଭାଇଙ୍କ ପତ୍ନୀ ଅନୀତା ଗିରିଙ୍କୁ ଜିଲ୍ଲା ପଞ୍ଚାୟତ ସଭାପତି ଭାବରେ ନିର୍ବାଚିତ କରାଇଥିଲେ। ଏହା ପରେ ୨୦୦୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ୫୮ ହଜାର ଭୋଟ ବ୍ୟବଧାନାରେ ନିର୍ବାଚନ ଜିତି ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୧୨ ବିଧାନସଭା ନିର୍ବାଚନରେ ​ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବାଜିମାତ କରିଥିଲେ। ହେଲେ ଗତ ୨୦୧୭ ବିଧାନସଭା ନିର୍ବାଚନ ବେଳେ ସେ ଦଳ ବଦଳାଇ ବିଜେପି ହାତ ଧରିଥିଲେ। ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା ଏବଂ ସେ ପୁଣି ଗୋଲା ଆସନରୁ ଚତୁର୍ଥ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ପୁନର୍ବାର ୨୦୨୨ ନିର୍ବାଚନରେ ଦ୍ୱିତୀୟ ଥର ଲାଗି ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପଞ୍ଚମ ଥର ଲାଗି ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୋଟ ୫ ଥର ବିଧାୟକ ନିର୍ବାଚିତ ହୋଇଥିବାରୁ ତାଙ୍କର ରାଜ୍ୟ ରାଜନୀତିରେ ଦବଦବା ରହିଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି।