Uttar Pradesh Politics: ଓମ ପ୍ରକାଶ ରାଜଭରଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେବ ବିଜେପି
Uttar Pradesh Politics: ଉତ୍ତର ପ୍ରଦେଶ ବିଧାନ ପରିଷଦର ଦୁଇଟି ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଶାସକ ବିଜେପିର ବିଜୟ ନିଶ୍ଚିତ ବୋଲି ଜଣାପଡିଛି।
UP MLC Election: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଧାନ ପରିଷଦର ଦୁଇଟି ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି। ଏହି ଆସନ ଜିତିବା ପାଇଁ ପର୍ଯ୍ୟାପ୍ତ ଭୋଟ୍ ନ ଥିବାରୁ ଦଳ ଏହି ଦୁଇ ଆସନରେ ପ୍ରାର୍ଥୀ ଦେବ ନାହିଁ। ଯେଉଁଥିପାଇଁ ଅଖିଳେଶ ଯାଦବ ବିଧାନ ପରିଷଦ ଉପନିର୍ବାଚନରେ ପ୍ରାର୍ଥୀ ନ ଛିଡା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ସେ ତାଙ୍କ ନିଷ୍ପତ୍ତି ଘୋଷଣା କରିବେ।
ଉତ୍ତର ପ୍ରଦେଶ ବିଧାନ ପରିଷଦର ଦୁଇଟି ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଶାସକ ବିଜେପିର ବିଜୟ ନିଶ୍ଚିତ ବୋଲି ଜଣାପଡିଛି। ଦଳୀୟ ନେତାଙ୍କ କହିବା ଅନୁସାରେ ଦଳର ନେତାଙ୍କ ବ୍ୟତୀତ ସମାଜବାଦୀ ପାର୍ଟି ସହିତ ମେଣ୍ଟ ଭାଙ୍ଗିଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର ତାଙ୍କ ପୁଅ ଅରବିନ୍ଦ ରାଜଭାରଙ୍କୁ ବିଧାନ ପରିଷଦକୁ ପଠାଇବା ପାଇଁ ପ୍ରୟାସ କରୁଛନ୍ତି। ଖୁବ ଶୀଘ୍ର ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଧାନ ପରିଷଦ ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିବେ।
ଉତ୍ତର ପ୍ରଦେଶ ବିଧାନ ପରିଷଦରେ ଆଠଟି ସିଟ୍ ଖାଲି ପଡିଛି। ଏହି ୮ ଆସନ ମଧ୍ୟରୁ ରାଜ୍ୟପାଳ ୬ ଜଣ ସଦସ୍ୟଙ୍କୁ ମନୋନୀତ କରିବେ। ଏହା ପୂର୍ବରୁ ୨ ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ଯେଉଁ ୨ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ତାହା ମଧ୍ୟରୁ ଗୋଟିଏ ସମାଜବାଦୀ ପାର୍ଟି ନେତା ଅହମ୍ମଦ ହସନଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଖାଲି ପଡ଼ିଛି। ଅନ୍ୟପଟେ ବିଜେପି ନେତା ଠାକୁର ଜୟଭୀର ସିଂହ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଅନ୍ୟ ଏକ ଆସନ ଖାଲି ପଡ଼ିଛି। ବର୍ତ୍ତମାନ ଏହି ଦୁଇଟି ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଧାନ ପରିଷଦର ଯେଉଁ ୨ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ତାହା ବିଜେପି ଖାତାକୁ ଯିବା ନିଶ୍ଚିତ। କାରଣ ଗୋଟିଏ ଆସନ ଜିତିବା ପାଇଁ ୨୦୦ ଭୋଟ ଆବଶ୍ୟକ। ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ପାଖରେ ପର୍ଯ୍ୟାପ୍ତ ପରିମାଣର ଭୋଟ୍ ନାହିଁ। ସଂଖ୍ୟା ବଳ ଆଧାରରେ ବିଜେପି ଏହି ଦୁଇଟି ଆସନ ମଧ୍ୟ ଦଖଲ କରିବାକୁ ଯାଉଛି। ଏହି କାରଣରୁ ସମାଜବାଦୀ ପାର୍ଟି ଏହି ନିର୍ବାଚନରେ ପ୍ରାର୍ଥୀ ଛିଡା ନକରିବାକୁ ନିଷ୍ପତ୍ତି ନେଇଛି। ଏହି ଉଭୟ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୧୧ ତାରିଖରେ ବିଧାନ ପରିଷଦ ଉପନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ।
ବିଧାନ ପରିଷଦ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଏ ହେବ ସେ ନେଇ ଉତ୍ତର ପ୍ରଦେଶ ବିଜେପିରେ ଆରମ୍ଭ ଲବି। ଏହି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଦଳୀୟ ପଦାଧିକାରୀଙ୍କ ଲମ୍ବା ଲାଇନ ଲାଗିଛି। ସେମାନେ ହେଉଛନ୍ତି ବିଜେପି ପ୍ରଦେଶ ମହାମନ୍ତ୍ରୀ ଅମରପାଲ ମୌର୍ଯ୍ୟ, ଉତ୍ତର ପ୍ରଦେଶ ବିଜେପି ଉପାଧ୍ୟକ୍ଷ ସନ୍ତୋଷ ସିଂହ, ପ୍ରଦେଶ ମନ୍ତ୍ରୀ ଚନ୍ଦ୍ର ମୋହନ ସିଂହ, ପ୍ରଦେଶ ମନ୍ତ୍ରୀ ଦେବେଶ କୋରୀ, ଦଳର ପଶ୍ଚିମ କ୍ଷେତ୍ରୀୟ ଅଧ୍ୟକ୍ଷ ମୋହିତ ବେନିୱାଲ, କାନପୁର କ୍ଷେତ୍ର ଅଧ୍ୟକ୍ଷ ମାନବେନ୍ଦ୍ର ସିଂହ, ଗୋରଖପୁର କ୍ଷେତ୍ର ଅଧ୍ୟକ୍ଷ ଧର୍ମେନ୍ଦ୍ର ସିଂହ।
ପୂର୍ବ-ପଶ୍ଚିମ ଉତ୍ତର ପ୍ରଦେଶକୁ ନଜରରେ ରଖି ବିଜେପି ପ୍ରାର୍ଥୀ ଚୟନ କରିବ। ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର ତାଙ୍କ ପୁଅ ଅରବିନ୍ଦ ରାଜଭାରଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି ନେତାଙ୍କ କହିବା ଅନୁଯାୟୀ ଦଳ ଅରବିନ୍ଦ ରାଜଭାରଙ୍କୁ ଦଳୀୟ କୋଟାରୁ ବିଧାନ ପରିଷଦକୁ ପଠାଇ ପାରେ। ଏବେ ଦେଖିବାକୁ ବାକି ରହିଲା ବିଜେପି ନେତୃତ୍ୱ ସମାଜବାଦୀ ପାର୍ଟି ବିରୋଧରେ ବିଦ୍ରୋହ କରିବା ଏବଂ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ପାଇଁ ଓମ ପ୍ରକାଶ ରାଜଭାରଙ୍କୁ ରିଟର୍ନ ଗିଫ୍ଟ ଦେଉଛନ୍ତି ନା ନାହିଁ।
Also Read: Akhilesh Yadav: ବିଜେପି କରୁ ଓମ ପ୍ରକାଶ ରାଜଭରଙ୍କ ଚିନ୍ତା, ମୁଁ କହିପାରିବି ନାହିଁ ତାଙ୍କ ଭାଷା
Also Read: Uttar Prasesh Politics: 'ଯେଉଁଠି ମିଳୁଛି ସମ୍ମାନ ସେଠାକୁ ଚାଲିଯାଅ'