Rath Yatra 2023: ନବଦିନାତ୍ମକ ଯାତ୍ରା ସାରି ସିଂହଦ୍ବାରକୁ ବାହୁଡ଼ିବା ପରେ ଅନନ୍ୟ ସୁନାବେଶରେ (Suna Besha) ଦର୍ଶନ ଦେଇଥିଲେ ମହାବାହୁ । ସୁନାବେଶ ଲାଗି ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ତ। ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପତ ହୋଇଉଠିଥିଲା ପୁରା ଶ୍ରୀକ୍ଷେତ୍ର । ତେବେ ମହାପ୍ରଭୁଙ୍କ ଏହି ସୁନାବେଶ ବେଳେ ଘଟିଯାଇଛି ଏକ ଅଘଟଣ । ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପରେ ଜଣେ ଯୁବତୀ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଗୁରୁବାର ଦିନ ସୁନାବେଶ (Suna Besha 2023) ଦେଖିବା ଲାଗି ଯୁବତୀ ଜଣଙ୍କ ପୁରୀ ଆସିଥିଲେ । ଦର୍ଶନ ସାରି ସମ୍ପର୍କୀୟଙ୍କ ଘରକୁ ଫେରିବା ସମୟରେ ହଠାତ୍ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ଯୁବତୀଙ୍କ ସମ୍ପର୍କୀୟମାନେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବତୀ ଜଣଙ୍କ ଭୁବନେଶ୍ବର ସାଲେପୁର ଅଞ୍ଚଳର ସଂଘମିତ୍ରା ବାରିକ ବୋଲି ଜଣାପଡ଼ିଛି । ଅଣନିଶ୍ବାସୀ (suffocation) ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହୁଥିବା ବେଳେ ଏହାକୁ ଅସ୍ବୀକାର କରିବା ସହ ପୋଲିସ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ (Post Mortem Report) ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି । ସେପଟେ ମହାପ୍ରଭୁଙ୍କ ସୁନାବେଶ ବେଳେ ଏକ ବଡ଼ ଦୁର୍ଘଟଣାରୁ (Accident)  ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଭକ୍ତ। ଲକ୍ଷ ଲକ୍ଷ ଭକ୍ତ ଭରା ବଡଦାଣ୍ଡ ଭିତରକୁ ହଠାତ୍ ଏକ ଆମ୍ବୁଲାନ୍ସ (Ambulance) ପଶି ଆସିଥିଲା । ମାର୍କେଟ୍ ଛକ ଗହଳି ଭିତରକୁ ଆମ୍ବୁଲାନ୍ସଟି ହଠାତ୍ ପଶି ଆସିବାରୁ ସମସ୍ତ ଆଚମ୍ବିତ ହୋଇଯାଇଥିଲେ । ବେପରୁଆ ଭାବେ ମାଡି଼ ଆସୁଥିବା ଆମ୍ବୁଲାନ୍ସ ଦେଖି ସେଠାରେ ଥିବା ଭକ୍ତ ଆତଙ୍କିତ ହୋଇଯାଇଥିଲେ । ଆମ୍ବୁଲାନ୍ସଟି ଦୃତ୍ର ଗତିରେ ଆସି ତାଳଧ୍ଵଜ ରଥ ଓ ଆରୁଣ ସ୍ତମ୍ଭ ମଝିରେ ଥିବା ବିଭିନ୍ନ ଗଣମାଧ୍ଯମର ଗାଡ଼ି ରହିଥିବା ସ୍ଥାନ ଆଡକୁ ମାଡି଼ ଆସିଥିଲା । ଏହାକୁ ଅଟକାଇବାକୁ ଯାଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଏସପି କନୱର ବିଶାଲ ସିଂଙ୍କ ସହ ବହୁ ପୋଲିସ ଅଧିକାରୀ ଆମ୍ବୁଲାନ୍ସ ପଛେ ପଛେ ଦୌଡୁଥିଲେ । ମାତ୍ର ଡ୍ରାଇଭର ଜଣଙ୍କ ଏହା ଶୁଣୁନଥିଲେ।


ଏହା ବି ପଢନ୍ତୁ-Rath Yatra 2023: ମହଣ ମହଣ ସୁନାରେ ଦିବ୍ୟ ଦର୍ଶନ ଦେଲେ ଶ୍ରୀଜିଉ, ଆଜି ହେବ ଅଧରପଣା ନୀତି


ଏହା ବି ପଢନ୍ତୁ-Bhubaneswar News: ନୂଆ ବୋହୂର ଚାଲ୍ ବୁଝି ପାରିଲେନି ଶାଶୁଘର ଲୋକେ, ବାପ ଘରକୁ ବୁଲି ଯାଇଥିବା ବେଳେ...


ତେବେ ଡ୍ରାଇଭରଙ୍କ କହିବା ଅନୁଯାୟୀ, ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମରୁ ତାଙ୍କ ନିକଟକୁ ଏକ କଲ୍ ଆସିଥିଲା, ଯେଉଁଥିରେ ମାର୍କେଟ ଛକରେ ଜଣେ ଆହତ ବ୍ଯକ୍ତିଙ୍କୁ ମେଡି଼କାଲ ନେବା ପାଇଁ କୁହାଯାଇଥିଲା । ମାତ୍ର ଭିଡ଼ ଭିତରେ ସେ ମାର୍କେଟ୍ ଛକ କେଉଁଠି ବୋଲି ଜାଣିପାରିନଥିଲେ, ଫଳରେ ଭକ୍ତ ଭରା ବଡଦାଣ୍ଡ ଭିତରକୁ ସେ ମାଡି଼ ଆସିଥିଲେ। ତେବେ ଗ୍ରୀନ୍ କରିଡ଼ର ବ୍ଯବସ୍ଥା ଯୋଗୁଁ ଭକ୍ତମାନଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଇଛି । ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଆସୁଥିବା ଦେଖି ଗ୍ରୀନ୍ କରିଡ଼ର ପାଇଁ ନିୟୋଜିତ ସେଚ୍ଛାସେବୀମାନେ ଗହଳି ଭିତରେ ଲୋକମାନଙ୍କୁ ଏଡ଼ାଇ ରାସ୍ତା ଫାଙ୍କା କରିଥିଲେ, ପରେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଚାଲିଯାଇଥିଲା । ଯାହା ଦ୍ବାରା ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବହୁ ଭକ୍ତ। ତେବେ ଏହି ଘଟଣା ପରେ ସିଂହଦ୍ଵାର ପୋଲିସ ଉକ୍ତ ଆମ୍ବୁଲାନ୍ସ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ଛାନଭିନ୍ କରୁଥିବା ସୂଚନା ମିଳିଛି ।