Guru Purnima 2024: ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଆଷାଢ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ଗୁରୁ ପୂର୍ଣ୍ଣିମା ବୋଲି ପାଳନ କରାଯାଏ। ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ।ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା । ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟ ନିଃସନ୍ତାନ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବାପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ଜନ୍ମ ହେଲା । ଏହାଙ୍କ ଔରସରେ ବିଚିତ୍ରବିର୍ଯ୍ୟଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ବେଦବ୍ୟାସ: ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ ହେଲେ । ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କୁହାଯାଏ । ପ୍ରଥମ ଦ୍ୱାପର ଯୁଗରେ ସ୍ୱୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ୱାପରରେ ପ୍ରଜାପତି ବା ମନୁ ରୂପରେ, ତୃତୀୟ ଦ୍ୱାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ୱାପରରେ ବୃହଷ୍ପତି ବେଦଭାଷ୍ୟ ରୂପେ ପରିଚିତ ହୁଅନ୍ତି । ସ୍ୱୟଂଭୁବ, ଉଶନା, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ୱତ, ତ୍ରିଧାମ, ଋଷଭ ବା ତ୍ରିବୃଷ, ସୁତେଜା ବା ଭାରଦ୍ୱାଜ, ଅନ୍ତରିକ୍ଷ ବା ଧର୍ମ, ବ୍ପୁବନ୍‌ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ୱାଜ, ଗୌତମ, ଉତ୍ତମ ବା ହର୍ଯ୍ୟତ୍ମା, ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୁଖ୍ୟାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମୀକି, ଶକ୍ତି, ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଭୂମିକାରେ ଅବତିର୍ଣ୍ଣ ହୋଇଥିଲେ ।


ତେବେ ଜାଣନ୍ତୁ ଏହି ଗୁରୁ ଶବ୍ଦର ଅର୍ଥ କଣ ?


'ଗୁ'ର ଅର୍ଥ ହେଉଛି ଅନ୍ଧକାର ଏବଂ 'ରୁ'ର ଅର୍ଥ ଏହାକୁ ରୋକୁଥିବା ବ୍ୟକ୍ତି।ଏହାର ଅର୍ଥ ଅନ୍ଧକାରକୁ ନାଶ କରୁଥିବା ବ୍ୟକ୍ତି । ଗୁରୁ ଆମକୁ ଅନ୍ଧକାରରୁ ନିବୃତ୍ତ କରି ଆଲୋକ ଆଡ଼କୁ ଅଗ୍ରସର କରାଇଥାଆନ୍ତି । ଗୁରୁ ପୂର୍ଣ୍ଣିମା ଦିନ ଲୋକେ ନିଜ ଗୁରୁଙ୍କ ପୂଜା କରିଥାଆନ୍ତି । ତାଙ୍କୁ ନିଜ ତରଫରୁ କୌଣସି ଗିଫ୍ଟ ବା ଉପହାର ରୂପରେ ଦେଇଥାଆନ୍ତି।ପୂର୍ବରୁ ଏହି ଗୁରୁ ପୂର୍ଣ୍ଣିମାକୁ କେତେକ ଲୋକ ନିଜ ଦିବଂଗତ ଗୁରୁଙ୍କ ଚରଣ ପାଦୁକାକୁ ଧୂପ, ଦୀପ,ପୁଷ୍ପ ଆଦି ଦ୍ବାରା ପୂଜା କରିଥାଆନ୍ତି ଏବଂ ତାଙ୍କ ନାଁମ ବସ୍ତ୍ର ଏବଂ ଦକ୍ଷିଣା ଦାନ କରିଥାଆନ୍ତି । ଗୁରୁଙ୍କ ବିନା ଜୀବନ ନିରର୍ଥକ । ଜୀବନର ଅଜ୍ଞାନତା ରୂପକ ଅନ୍ଧକାରକୁ ନାଶ କରି ପ୍ରକାଶ ଆଡ଼କୁ ଆମକୁ ଗୁରୁ ନେଇଥାଆନ୍ତି । ଏଥିପାଇଁ ଗୁରୁଙ୍କ ମହତ୍ତ୍ବକୁ ଦର୍ଶାଇ ଏହି ଦିନକୁ ପାଳନ କରାଯାଉଥିଲା।ପୁରାଣ କାଳରୁ ଏହି ପୂର୍ଣ୍ଣିମାକୁ ମହର୍ଷି ବେଦବ୍ୟାସଙ୍କୁ ସମର୍ପି ପୂଜା କରାଯାଏ।


ସମୟକ୍ରମେ ବର୍ତ୍ତମାନ୍ ଗୁରୁଶିଶ୍ୟ ସଂପର୍କରେ ସେ ମାଧୂର୍ୟ୍ଯ ଓ ସେ ମନୋଭାବ ନାହିଁ।ତେଣୁ ଧିରେଧିରେ ଏହି ଦିବସର ଉଦ୍ଦେଶ୍ୟ ମଧ୍ୟ ଲୋପ ପାଇଲାଣି।