Kartika Purnima: କାହିଁକି କେବଳ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଏ? ଜାଣନ୍ତୁ ବୈଜ୍ଞାନିକ କାରଣ
Kartika Purnima: ସାଧବମାନେ ଦକ୍ଷିଣ ପୂର୍ବ ଏସିଆରର ଦ୍ୱୀପ ଗୁଡିକରେ ମାସ ମାସ ଧରି ରହୁଥିଲେ। ତେବେ ସେମାନଙ୍କ ଯାତ୍ରା ଆରମ୍ଭ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଏକ ଶୁଭ ଦିନ ବୋଲି ବିବେଚନା କରାଯାଉଥିଲା। କାର୍ତ୍ତିକ ପୂର୍ଣ୍ଣିମା ଦିନ ନାବିକମାନଙ୍କ ନିରାପଦ ଯାତ୍ରା ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ପରିବାରର ମହିଳାମାନେ ରୀତିନୀତିରେ ପୂଜାର୍ଚ୍ଚନା କରୁଥିଲେ ଓ ବୋଇତକୁ ବନ୍ଦାଉଥିଲେ।
Kartika Purnima, ଭୁବନେଶ୍ୱର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଧର୍ମ ମାସର ଶେଷ ଦିବସରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତ୍ରିରୁ ସମୁଦ୍ର ଓ ବିଭିନ୍ନ ତୀର୍ଥପୁଷ୍କରିଣୀମାନଙ୍କରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇଛନ୍ତି। ଆଜିର ଦିନରେ ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଅଛି। ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଶ୍ରୀକ୍ଷେତ୍ରରେ ଜମିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍କଳୀୟ ପରମ୍ପରା ଅନୁଯାଇ ଆଜିର ଦିନରେ ସାଧବ ପୁଅ ମାନେ ବାଣିଜ୍ୟ ପାଇଁ ବୋଇତରେ ଦୂର ଦୁରାନ୍ତକୁ ଗମନ କରୁଥିବାର ପରମ୍ପରାକୁ ବିଶ୍ୱାସ କରି ଆଜି ଡ଼ଙ୍ଗା ଭସାଯାଇଥାଏ। ଆଜି ଭୋରରୁ ଲୋକେ ବିଭିନ୍ନ ଜଳାଶୟରେ କଦଳୀ ପଟୁକା ଓ ସୋଲରେ ନିର୍ମିତ ଡ଼ଙ୍ଗାରେ ଦୁବ, ବରକୋଳି ପତ୍ର, ଚାଉଳ, ଦୀପ, ଧୂପ, ପାନ ଓ ଗୁଆ ଆଦି ଦେଇ ଭସାଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ? ଆସନ୍ତୁ ଜାଣିବା...
ପାରମ୍ପରିକ ଓଡିଆ କ୍ୟାଲେଣ୍ଡରରେ କାର୍ତ୍ତିକ ମାସ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ କରାଯାଇଥାଏ। ଯାହାକି ଯେହେତୁ ଏହା ସୌର କ୍ୟାଲେଣ୍ଡରର ଚନ୍ଦ୍ର ପର୍ଯ୍ୟାୟରେ ପଡେ, ଉତ୍ସବର ସଠିକ ତାରିଖ ପ୍ରତିବର୍ଷ ବଦଳିଥାଏ। ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଏହି ପର୍ବ ସାଧାରଣତଃ ନଭେମ୍ବର ମାସରେ ପଡେ। ଯେଉଁ ଦିନ ସାଧବ (ପ୍ରାଚୀନ ଓଡିଆ ସାମୁଦ୍ରିକ ବଣିକ) ବାଣିଜ୍ୟ ତଥା ସାଂସ୍କୃତିକ ବିନିମୟ ପାଇଁ ଦକ୍ଷିଣ ପୂର୍ବ ଏସିଆ ଏବଂ ଶ୍ରୀଲଙ୍କାର ଦୂର ଦେଶକୁ ଯାତ୍ରା କରିଥାନ୍ତି। ସେହି ଦିନ ଏହି ଉତ୍ସବ ପାଳନ କରାଯାଏ। ଏହି ପର୍ବର ଉତ୍ପତ୍ତି ବାଣିଜ୍ୟ ଏବଂ ସମୁଦ୍ର ପଥରେ ଯାତାୟତର ଏକ ପ୍ରାଚୀନ ପରମ୍ପରା। ଯାହାକୁ ଏସିଆରର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥାଏ।
Also Read: Kartik Purnima Importance: କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ଘରେ ହେବ ଧନର ବର୍ଷ
ପ୍ରାଚୀନ କାଳରେ କଳିଙ୍ଗ (ବର୍ତ୍ତମାନର ଓଡ଼ିଶା) ବିକଶିତ ହୋଇଥିଲା। ପୂର୍ବପୁରୁଷଙ୍କ ଯାତ୍ରାକୁ ସ୍ମରଣ କରିବା ପାଇଁ କଳିଙ୍ଗରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଥିଲା। କଳିଙ୍ଗର ଏହି ପ୍ରାଚୀନ ସାମୁଦ୍ରିକ ପରମ୍ପରାକୁ ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ ପାଳନ କରାଯାଇଥାଏ, ଯେଉଁଥିରେ ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, କାମ୍ବୋଡିଆ ଏବଂ ବର୍ତ୍ତମାନର ବାଲି, ଜାଭା, ସୁମାତ୍ରା ଏବଂ ବୋର୍ନୋ ଅନ୍ତର୍ଭୁକ୍ତ। ଭିଏତନାମର ଚମ୍ପା ଅଞ୍ଚଳରେ ମଧ୍ୟ ସାମୁଦ୍ରିକ ଯାତ୍ରା ସହ ସମ୍ପର୍କୀତ ପର୍ବ ପାଳନ କରାଯାଇଥାଏ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଏହି ପରମ୍ପରାର ଉତ୍ପତ୍ତି ହୋଇଥିବା କୁହାଯାଏ। ବିଶେଷ ଭାବରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ କାଳରେ ଏହାର ଶାସକମାନେ ନୌବାଣିଜ୍ୟକୁ ଅଧିକ ଗରୁତ୍ୱ ଦେଉଥିଲେ।
ସାଧବ ବା ବଣିକ ନାବିକମାନେ ଯେଉଁ ଜାହାଜରେ ଯାତ୍ରା କରୁଥିଲେ ତାହା ବୋଇତ ନାମରେ ଜଣାଶୁଣା। ଏହି ସାଧବମାନେ ଦକ୍ଷିଣ ପୂର୍ବ ଏସିଆରର ଦ୍ୱୀପ ଗୁଡିକରେ ମାସ ମାସ ଧରି ରହୁଥିଲେ। ତେବେ ସେମାନଙ୍କ ଯାତ୍ରା ଆରମ୍ଭ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଏକ ଶୁଭ ଦିନ ବୋଲି ବିବେଚନା କରାଯାଉଥିଲା। ସେତେବେଳେ ମାସର ଏହି ସମୟରେ ଉତ୍ତର-ପୂର୍ବ ମୌସୁମୀ ପବନ ପ୍ରବାହିତ ହେଉଥିଲା, ଯାହା ବାଣିଜ୍ୟିକ ନାବିକମାନଙ୍କ ଯାତ୍ରା ପାଇଁ ଅନୁକୂଳ ଥିଲା। କାରଣ ପବନ ଦ୍ୱାରା ସେମାନଙ୍କ ଜାହାଜ ଶ୍ରୀଲଙ୍କା ଆଡକୁ ସହଜରେ ଗତି କରୁଥିଲା। ଏହା ପରେ ଦକ୍ଷିଣ-ପୂର୍ବ ଏସିଆରେ ପହଞ୍ଚିବା ତଥା ଭାରତ ମହାସାଗର ପାର ହେବା ପାଇଁ ସମୁଦ୍ର ଲହଡି ସାହାଯ୍ୟ ହେଉଥିଲା। ଜାହାଜଗୁଡିକ ଉତ୍ତର ପୂର୍ବ ଦ୍ୱୀପପୁଞ୍ଚରେ ବାଣିଜ୍ୟ କରିବା ପରେ ମଇ ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଫାଇଦା ଉଠାଇ ଘରକୁ ଫେରୁଥିଲେ।
ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ନାବିକମାନଙ୍କ ନିରାପଦ ଯାତ୍ରା ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ପରିବାରର ମହିଳାମାନେ ରୀତିନୀତିରେ ପୂଜାର୍ଚ୍ଚନା କରୁଥିଲେ ଓ ବୋଇତକୁ ବନ୍ଦାଉଥିଲେ। କାଳକ୍ରମେ ଏହି ରୀତିନୀତି କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପର୍ବରେ ପରିଣତ ହୋଇଗଲା। ଓଡ଼ିଶାର ପୁରପଲ୍ଲୀରେ ଏବେ ମଧ୍ୟ ବୋଇତ ବନ୍ଦାଣ ଦିନ, କଦଳୀ ପଟୁଆ, କାଠ ଓ ସୋଲ ତିଆରି ଡଙ୍ଗା ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ। ଅତୀତର ସେହି ମହାନ ଉତ୍କଳୀୟ ସଂସ୍କୃତି ଏବଂ ବାଲିଯାତ୍ରା ଭଳି ଅନେକ ଗୌରବମୟ ସ୍ମୃତି ଆଜି ଲୋପପାଇବାକୁ ବସିଛି। ଏଣୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ସମ୍ପର୍କିତ ଗବେଷଣା ତଥା ଆଲୋଚନା ଚକ୍ର ଅନୁଷ୍ଠିତ କରେଇବା ସହ ତାହାର କ୍ରିୟାନ୍ୱୟନ ନିମିତ୍ତ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।