Ind vs Afg T-20 Series: ଟି-20 ସିରିଜରେ ଆଜି ଆଫଗାନିସ୍ତାନ ସହ ମୁହାଁମୁହଁ ହେବ ଭାରତ । ଟି-୨୦ ବିଶ୍ବକପ ପୂର୍ବରୁ ଏହା ଶେଷ ସିରିଜ ହୋଇଥିବାରୁ ଟି୍ମ ଇଣ୍ତିଆ ପାଇଁ ଏହା ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ତେବେ ଏହି ସିରିଜ ପାଇଁ ଆହତ ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇଛି । ଏହି ମ୍ୟାଚ୍ ମୋହାଲି କ୍ରିକେଟ୍ ଗ୍ରାଣ୍ତରେ ଖେଳାଯିବ ।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଥର ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ କୌଣସି ଧଳା ବଲ୍‌ ଶୃଙ୍ଖଳା ଖେଳାଯିବ। ତେବେ କୌଣସି ବ୍ୟକ୍ତିଗତ କାରଣ ପାଇଁ ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ରୁ ବାଦ ପଡ଼ିଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟମ୍ୟାନ୍ସ ବିରାଟ କୋହଲି । ତେବେ ତାଙ୍କ ସ୍ଥାନରେ ଦଳରେ କିଏ ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଦ୍ବିତୀୟ ମ୍ୟାଚ୍‌ ବେଳକୁ କିଙ୍ଗ କୋହଲି ଟିମ୍ ରେ ଯୋଗଦେବେ ବୋଲି  ଜଣାପଡ଼ିଛି।  ରୋହିତ ଓ ବିରାଟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଶେଷଥର ପାଇଁ ଖେଳିଥିଲେ। କିନ୍ତୁ ଆଗକୁ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ‌ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଏହି ଦୁଇ ବରିଷ୍ଠ କ୍ରିକେଟର୍‌ଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଏହି ଶୃଙ୍ଖଳାର ପ୍ରଦର୍ଶନ ହିଁ ବିଶ୍ବକପ୍‌ ଦଳର ଚିତ୍ର ସ୍ପଷ୍ଟ କରିପାରିବ। ତଥାପି ଆଇପିଏଲ୍‌ ପ୍ରଦର୍ଶନ ଉପରେ ଚୂଡ଼ାନ୍ତ ୧୫ ଜଣିଆ ଦଳ ଚୟନ ନିର୍ଭର କରୁଛି।


ସେପଟେ ଆଫଗାନିସ୍ତାନର ଷ୍ଟାର ବୋଲର ରସିଦ ଖାନ ମଧ୍ଯ ପ୍ରଥମ ଟି-୨୦ରୁ ବାଦ ପଡ଼ିଛନ୍ତି । ଦିନିକିଆ ବିଶ୍ବକପ ୨୦୨୩ ପରେ ତାଙ୍କ ପିଠିର ଅସ୍ରୋପଚାର ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିନାହାଁନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଘୋଷଣା ହୋଇଥିବା ଦଳରେ ରସିଦଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ବିଶ୍ବକପ୍‌ ପୂର୍ବରୁ ତାଙ୍କ ଉପରେ ଅଧିକ ଚାପ ନଦେବାକୁ ଆଫଗାନିସ୍ତାନ ବୋର୍ଡ ଚାହୁଁଛି। ରସିଦଙ୍କ ସ୍ଥାନ ଦଳରେ କିଏ ନେବେ ତାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେଣୁ ମୁଜିବ ଉର୍‌ ରହମାନ୍‌, ନବୀନ ଉଲ୍‌ ହକ୍‌ ଓ ଫଜଲହକ୍‌ ଫାରୁକିଙ୍କ ଉପରେ ଦଳ ଆଶା ରଖିଛି ।


ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ୍‌, ତିଳକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ ଶର୍ମା, ଅକ୍ଷର ପଟେଲ, ରବି ବିଷ୍ଣୋଇ/କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆୱେସ ଖାନ୍‌, ମୁକେଶ କୁମାର।


ସମ୍ଭାବ୍ୟ ଆଫଗାନିସ୍ତାନ ଦଳ: ଈବ୍ରାହିମ୍‌ ଜଦ୍ରାନ୍‌, ଅଜମାତୁଲ୍ଲା ଓମରଜାଇ, ରହମାନୁଲ୍ଲା ଗୁରବାଜ, କରିମ ଜନତ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ନବୀନ ଉଲ୍‌ ହକ୍‌, ଗୁଲବଦିନ୍‌ ନଇବ, ଫଜଲହକ୍‌ ଫାରୁକି, ମୁଜିବ ଉର ରହମାନ, ହଜରାତୁଲ୍ଲା ଜଜାଇ।