FIFA World Cup Semifinal: ୨୦୨୨ ଫିଫା ବିଶ୍ୱକପ୍ ସେମିଫାଇନାଲ ମୁକାବିଲାରେ ପହଞ୍ଚି ସାରିଛନ୍ତି ଗତ ଥରର ଚାମ୍ପିଆନ ଫ୍ରାନ୍ସ ସହ ପୂର୍ବତନ ବିଜେତା ଆର୍ଜେଣ୍ଟିନା, କ୍ରୋଏସିଆ ଏବଂ ଆଫ୍ରିକୀୟ ଦେଶ ମରକ୍କୋ। ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ଆଫ୍ରିକୀୟ ଏବଂ ଆରବ ରାଷ୍ଟ୍ର ଭାବେ ମରକ୍କୋ ସେମିଫାଇନାଲ ମୁକାବିଲାରେ ପହଞ୍ଚିଛି। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଫୁଟବଲ ବିଶ୍ୱକପରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଆର୍ଜେଣ୍ଟିନା-କ୍ରୋଏସିଆ ମଧ୍ୟରେ ଖେଳାଯିବ। ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଫ୍ରାନ୍ସ-ମରକ୍କୋ। କେବେ ଫ୍ରାନ୍ସ ଉପନିବେଶ ରହିଥିବା ମରକ୍କୋ ହେଉଛି ଦୁଇଟି ଅପରାଜିତ ଦଳ ମଧ୍ୟରୁ ଗୋଟିଏ। ଅନ୍ୟ ଏକ ଅପରାଜିତ ଦଳ ହେଉଛି କ୍ରୋଏସିଆ। ଉଭୟ କ୍ରୋଏସିଆ-ମରକ୍କୋ ଦଳ ଏବେ ବିଶ୍ୱକପ ସେମିଫାଇନାଲ ମୁକାବିଲା ଲାଗି ପ୍ରସ୍ତୁତ ହେଉଛନ୍ତି। 


ଗ୍ରୁପ୍ ପର୍ଯ୍ୟାୟରେ ମରକ୍କୋ ବେଲଜିୟମ ଏବଂ କାନାଡା ଦଳକୁ ପରାସ୍ତ କରିଥିଲା। ଗତ ୨୦୧୦ ବର୍ଷର ଚାମ୍ପିଅନ୍ ସ୍ପେନକୁ ୧୬ ରାଉଣ୍ଡ ବର୍ଗରେ ପରାସ୍ତ କରିଥିଲା। କ୍ୱାର୍ଟର ଫାଇନାଲ ମୁକାବିଲାରେ ମରକ୍କୋ ୨୦୧୬ ୟୁରୋ କପ୍ ବିଜେତା ପର୍ତ୍ତୁଗାଲକୁ ପରାସ୍ତ କରିଛି। ୱାଲିଡ ରେଗ୍ରାଗୁଇଙ୍କ ନେତୃତ୍ୱାଧିନ ମଜବୁତ ଦଳ କାନାଡା ବିପକ୍ଷ ସେମିଫାଇନାଲ ମୁକାବିଲାରେ ମାତ୍ର ଗୋଟିଏ ଗୋଲ ସ୍କୋର କରିଥିଲା। 


ଅନ୍ୟପଟେ ୪  ବର୍ଷ ପୂର୍ବେ ଋଷିଆ ଠାରେ ଆୟୋଜିତ ହୋଇଥିବା ଫିଫା ବିଶ୍ୱକପ ବିଜେତା ହୋଇଥିବା ଫ୍ରାନ୍ସ  ଅଷ୍ଟ୍ରେଲିଆ ଏବଂ ଡେନମାର୍କ ବିରୋଧରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲା। ହେଲେ ଦଳ ଆଫ୍ରିକୀୟ ଦେଶ ଟ୍ୟୁନିସିଆ ବିପକ୍ଷ ମୁକାବିଲାରେ ୧-୦ ଗୋଲ ବ୍ୟବଧାନରେ ପରାସ୍ତ ହୋଇଥିଲା। ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ଲେସ୍ ବ୍ଲୁଜ୍ ପୋଲାଣ୍ଡ ଦଳକୁ ୩-୧ ଏବଂ କ୍ୱାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡ ଦଳକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।


ଚଳିତ ୨୦୨୨ ଫୁଟବଲ ବିଶ୍ୱକପ ସେମିଫାଇନାଲ ଆନ୍ତର୍ଜାତୀୟ ମଞ୍ଚରେ ଫ୍ରାନ୍ସ ଏବଂ ମରକ୍କୋ ଦଳ ଏ ପର୍ଯ୍ୟନ୍ତ ୫ ଥର ପରସ୍ପରକୁ ଭେଟିଛନ୍ତି। ହେଲେ ଉଭୟ ଦଳ କେବେ ବିଶ୍ୱକପ୍‌ ମୁକାବିଲାରେ ପରସ୍ପରକୁ ଭେଟି ନାହାଁନ୍ତି। ପ୍ରଥମ ଥର ୨୦୨୨ ବିଶ୍ୱକପରେ ପରସ୍ପର ବିରୋଧରେ ପଡ଼ିଆକୁ ଓହ୍ଲାଇବେ ଫ୍ରାନ୍ସ-ମରକ୍କୋ।


୧୯୮୮ ମସିହାରେ ପ୍ରଥମେ ପରସ୍ପରକୁ ଭେଟିଥିଲେ ଉଭୟ  ଫ୍ରାନ୍ସ-ମରକ୍କୋ। ସେତେବେଳେ ଅନୁଷ୍ଠିତ ହୋଇଥିବା ମୁକାବିଲା ଫ୍ରାନ୍ସ, ମରକ୍କୋ ଦଳକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ପୂର୍ବରୁ ଉଭୟ ଦଳ ୧୯୬୦ ଦଶକରେ ଏକାଧିକ ଥର ମୁହାମୁହିଁ ହୋଇଛନ୍ତି।  ୧୯୯୮ ମସିହାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପେନାଲିଟି ସୁଟଆଉଟ ବଳରେ ମରକ୍କୋ ୨-୧ ଗୋଲ ବ୍ୟବଧାନରେ ଫ୍ରାନ୍ସକୁ ପରାସ୍ତ କରିଥିଲା। ଯାହା ମରକ୍କୋ ଦଳର ଫ୍ରାନ୍ସ ଟିମ ବିରୋଧରେ ଏକମାତ୍ର ବିଜୟ। 


ପୁନର୍ବାର ୧୯୯୯-୨୦୦୦ ବର୍ଷରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପରସ୍ପରକୁ ଭେଟିଥିଲେ ଫ୍ରାନ୍ସ-ମରକ୍କୋ।  ହେଲେ ଏହି ମୁକାବିଲାରେ ଫ୍ରାନ୍ସ ମରକ୍କୋକୁ ୧-୦ ଏବଂ ୫-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ପୁଣି ଥରେ ୨୦୦୭ ବର୍ଷରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ  ମୁହାମୁହିଁ ହୋଇଥିଲେ  ଫ୍ରାନ୍ସ-ମରକ୍କୋ। ସେତେବେଳେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଡ୍ର ରହିଥିଲା। ଏହି ମୁକାବିଲାରେ ଉଭୟ ଦଳ ପରସ୍ପର ବିରୋଧରେ ୨-୨ ଗୋଲ ସ୍କୋର କରିଥିଲେ। ଏପରି ଭାବେ ମୋଟ ୫ ଥର ଫୁଟବଲ ପଡିଆରେ ପରସ୍ପରକୁ ଭେଟିଛନ୍ତି ଫ୍ରାନ୍ସ-ମରକ୍କୋ। ଉଭୟ ଦେଶ ମଧ୍ୟରେ ହୋଇଥିବା ମୁକାବିଲାରେ ଫ୍ରାନ୍ସ ତିନୋଟି ଏବଂ ମରକ୍କୋ ଗୋଟିଏ ମୁକାବିଲାରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଗୋଟିଏ ମ୍ୟାଚ ଡ୍ର ରହିଛି।