Yashasvi Jaiswal: ନୂଆଦିଲ୍ଲୀ: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଭାରତ ପ୍ରଥମ ଦିନରେ ୯୩ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ କରିଥିଲା। ଯଶସ୍ୱୀ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ସ୍କୋର କରିଥିଲେ। ଏହାପୂର୍ବରୁ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୭୧ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଜୟସ୍ୱାଲ ତାଙ୍କ ନାମରେ ୩ଟି ବଡ଼ ରେକର୍ଡ ସୃଷ୍ଟି କରିଥିଲେ।


COMMERCIAL BREAK
SCROLL TO CONTINUE READING

ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ସର୍ବାଧିର ସ୍କୋର କରିବାରେ ଭାରତୀୟ ବ୍ୟାଟସମ୍ୟାନ
୨୦୦୪ ମସିହାରେ ମୁଲତାନରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷରେ ବିରେନ୍ଦ୍ର ସେହୱାଗ ୨୨୮ ରନ ସଂଗ୍ରହ କରିଥିଲେ। ସେହିପରି ଏହା ପୂର୍ବରୁ ୨୦୦୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ସେହୱାଗ ୧୯୫ ରନ କରିଥିଲେ। ପାକିସ୍ତାନ ବିପକ୍ଷରେ ୱାସିମ ଜାଫର ୧୯୨, ଶିଖର ଧୱନ ୧୯୦, ପୁନର୍ବାର ସେହୱାଗ ୧୮୦ ରନ ଓ ଆଜି ଯଶସ୍ୱି ଜୟସ୍ୱାଲ  ୧୭୯ ରନ ସଂଗ୍ରହ କରି ନିଆରା ରେକର୍ଡ ସୃଷ୍ଟି କରିଥିଲେ।


ସେହିପରି ପ୍ରଥମ ୧୦ଟି ଟେଷ୍ଟରେ ୫୦୦ ରୁ ଅଧିକ ରନ କରିବା କ୍ଲବରେ ମଧ୍ୟ ଜୟସ୍ୱାଲ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଏହି କ୍ଲବରେ ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହୱାଗ, ସଦାଗୋପଣ ରମେଶ, ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଶିଖର ଧୱନ, ଦିନେଶ କାର୍ତ୍ତିକ ରହିଛନ୍ତି। କେବଳ ଏତିକି ନୁହେଁ, ଇଂଲଣ୍ଡ ବିପକ୍ଷରେ ଗୋଟିଏ ଦିନରେ ସର୍ବାଧିକ ରନ ସ୍କୋର କରିଥିବା ଖେଳାଳିଙ୍କ ସହିତ ସମାନ ହୋଇଛନ୍ତି ଜୟସ୍ୱାଲ। ୨୦୧୬ ମସିହାରେ ଖେଳାଯାଇଥିବା ଟେଷ୍ଟରେ କରୁଣା ନାୟର ସର୍ବାଧିକ ୨୩୨ ରନ ସଂଗ୍ରହ କରିଥିଲେ। ସେହିପରି ଓଭାଲରେ ୧୯୭୯ ମସିହାରେ ଖେଳାଯାଇଥିବା ଟେଷ୍ଟରେ ସୁନୀଲ ଗାଭାସ୍କର ୧୭୯ ରନ କରି ରେକର୍ଡ କରିଥିବା ବେଳେ ୧୯୯୦ ମସିହାରେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଟେଷ୍ଟରେ ଆଝାରୁଦ୍ଦିନ ୧୭୫ ରନ ସ୍କୋର କରି ଏହି କ୍ଲବରେ ସାମିଲ ହୋଇଥିଲେ। 


ଗାଭାସ୍କରଙ୍କ ୪୫ ବର୍ଷର ରେକର୍ଡ ସହିତ ସମାନ ହେଲେ ଜୟସ୍ୱାଲ
୧୯୭୯ ମସିହାରେ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ଇଂଲଣ୍ଡ ବିପକ୍ଷରେ ସୁନୀଲ ଗାଭାସ୍କର ୧୭୯ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ୪୫ ବର୍ଷ ପରେ, ୨୦୨୪ ମସିହାରେ ଯଶସ୍ୱି ଜୟସ୍ୱାଲ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ଅପରାଜିତ ୧୭୯ ରନ୍ ସଂଗ୍ରହ କରିଥିଲେ। ଏଥିସହ ପ୍ରଥମ ୧୦ ଇନିଂସରେ ୫୦୦ ମାର୍କ ଅତିକ୍ରମ କରି ସେ ସୁନୀଲ ଗାଭାସ୍କର, ବିରେନ୍ଦର ସେହୱାଗଙ୍କ ପରି ମହାନ ଖେଳାଳି ଥିବା କ୍ଲବରେ ସାମିଲ ହୋଇ ପାରିଛନ୍ତି। ପ୍ରଥମ ଦିନର ଖେଳ ଶେଷ ହେବା ପରେ ଯଶସ୍ୱି ଜୟସ୍ୱାଲ ୨୫୭ ବଲ ଖେଳିଥିଲେ ଏବଂ ସମଗ୍ର ୯୩ ଓଭର ପର୍ଯ୍ୟନ୍ତ ଚାଲିଥିଲେ। ଏପର୍ଯ୍ୟନ୍ତ ସେ ୧୭୯ ରନର ଅପରାଜିତ ଇନିଂସରେ ୧୭ଟି ଚୌକା ଓ ୫ଟି ଛକା ମାରିଛନ୍ତି।