ICC Pitch Ratings: ଭାରତୀୟ ଦଳ ବିଶ୍ୱକପ ୨୦୨୩ ର ଫାଇନାଲ ହାରିବା ପରେ ପ୍ରାୟ ଅନେକ ଦିନ ବିତିଗଲାଣି । ବର୍ତ୍ତମାନ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ ମ୍ୟାଚ୍ ଖେଳିଥିବା ପିଚ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା 'ଏଭେରେଜ୍' ରେଟିଂ ଦିଆଯାଇଛି । ଏହାପୂର୍ବରୁ କୁହାଯାଇଥିଲା ଯେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ପିଚ୍କୁ ଭାରତର ପରାଜୟର କାରଣ ବୋଲି ଦାୟୀ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

'ଟାଇମ୍ସ ଅଫ୍ ଇଣ୍ଡିଆ' ଅନୁଯାୟୀ, ଆଇସିସି ପାଞ୍ଚଟି ବିଶ୍ୱକପ୍ ମ୍ୟାଚ୍ ପିଚ୍କୁ 'ଏଭେରେଜ୍' ରେଟିଂ ଦେଇଛି, ଯେଉଁଥିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ରହିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା । ଯେଉଁଥିରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ୍ ଇଣ୍ଡିଆ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା ଓ ଅଷ୍ଟ୍ରେଲିଆ ୪୩ ଓଭରରେ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚ୍  ଜିତି ନେଇଥିଲା ।


ରାହୁଲ ଦ୍ରାବିଡ ମଧ୍ୟ ପିଚକୁ ଦାୟୀ କରିଛନ୍ତି
ବିସିସିଆଇ ସମୀକ୍ଷା ବୌଠକରେ ଫାଇନାଲ୍ ମ୍ୟାଚ୍ ହାରିଥିବାରୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ପିଚ୍‌କୁ ଦାୟୀ କରିଛନ୍ତି । ଖବର ଅନୁଯାୟୀ, ମୁଖ୍ୟ କୋଚ୍ କହିଥିଲେ ଯେ ଆଶା ଅନୁଯାୟୀ ଟର୍ଣ୍ଣ ପାଇ ନ ଥିବାରୁ ଆମେ ହାରିଛୁ । ଯଦି ସ୍ପିନରମାନେ ଟର୍ଣ୍ଣ ପାଇଥାନ୍ତେ, ଆମେ ଜିତିଥାନ୍ତୁ । ଏହି ରଣନୀତି ସହିତ ଆମେ ପ୍ରଥମ ୧୦ଟି ମ୍ୟାଚ୍ ଜିତିଲୁ, କିନ୍ତୁ ଫାଇନାଲରେ ଏହା କାମ କଲା ନାହିଁ ।


ଖରାପ ପିଚରେ ଅଷ୍ଟ୍ରେଲିଆ କିପରି ଦେଖାଇଥିଲା ଚମତ୍କାର ଖେଳ?
ସର୍ବପ୍ରଥମେ, ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚକୁ ହାରାହାରି ରେଟିଂ ଦେଇ ଆଇସିସି ନିଶ୍ଚିତ କରିଛି ଯେ ପିଚ୍ 'ଭଲ' ନଥିଲା । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ, ତେବେ ଅଷ୍ଟ୍ରେଲିଆ ଏହି ପିଚରେ କିପରି ଚମତ୍କାର କଲା? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଆପଣଙ୍କୁ କହିରଖୁଛୁ ଯେ ଖରାପ ପିଚରେ ଟସ୍ ହାରିବା ଟିମ୍ ଇଣ୍ଡିଆ ପାଇଁ କ୍ଷତିକାରକ ପ୍ରମାଣିତ ହୋଇଥିଲା ।


ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିନରେ ପିଚ୍ ବୋଲରମାନଙ୍କୁ କିଛି ପରିମାଣରେ ସମର୍ଥନ କରିଥିଲା ​। କିନ୍ତୁ ଭାରତୀୟ ଦଳ ବୋଲିଂ କରିବାକୁ ଆସିବା ବେଳକୁ ଲାଇଟ୍ ଜଳୁଥିଲା ଓ ପଡ଼ିଆରେ କାକର ମଧ୍ୟ ଦେଖା ଦେଇଥିଲା । ଏଭଳି ପରିସ୍ଥିତିରେ ରୋହିତ୍ ଟିମର ବୋଲରମାନେ ଅସହାୟ ମନେ କରିଥିଲେ ।