Odisha News: (Abhay Mohanty) କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦର ଠାରେ ସମାକୋଇ ନଦୀରେ ସମାକୋଇ-ଚକଦର ଜଳ ସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ୱୟ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ରାଜ୍ୟ ସରକାର ଚଳିତ ବଜେଟରେ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା କରିଥିବାରୁ ଦଳମତ ନିର୍ବିଶେଷରେ ଏହାକୁ ବିରୋଧ କରାଯାଉଛି । ତେଲକୋଇର ଚାରିଗଡ କଲେଜ ପଡ଼ିଆରୁ ଅପରାହ୍ନ ୧୧ଟା ବେଳେ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ସମାକୋଇ-ଚକଦର ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ଜନସାଧାରଣ ଦୀର୍ଘ ୪୬ ବର୍ଷ ଧରି ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି,ଏହାକୁ କାର୍ଯ୍ୟକାରୀ କରିବାକୁ ୧୯୭୮ ମସିହାରେ ଶୁଭ ଦିଆଯାଇଥିଲା। ସମାକୋଇ ନଦୀର ତଳମୁଣ୍ଡ ଚକଦର ଠାରେ ଏହା ନିର୍ମାଣ ହେଲେ ତେଲକୋଇ ବ୍ଲକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହିତ ବହୁ ଲୋକ ବିସ୍ଥାପିତ ହେବାର ସମ୍ଭାବନା ରହିଛି। ଏହାଦ୍ବାରା କେନ୍ଦୁଝର ଜିଲ୍ଲାର ଚାଷ ଜମିକୁ ସେଚ ସୁବିଧା ମିଳିବ ନାହିଁ,ପଡୋଶୀ ଅନୁଗୁଳ ଜିଲ୍ଲାର ପାଲଲହଡା ଓ କଣିହାଁ ଅଞ୍ଚଳ ଜଳସେଚିତ ହେବ। ତେଲକୋଇ ବ୍ଲକର ଅନେକ ଗାଁ ଜଳମଗ୍ନ ହେବା ସହିତ ତେଲକୋଇ ଏକ ଜଳଭଣ୍ଡାରରେ ପରିଣତ ହୋଇଯିବ। ବହୁ ଲୋକ ବିସ୍ଥାପିତ ହୋଇ ବାସହରା ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।


ପୂର୍ବରୁ ତେଲକୋଇ ବ୍ଲକର କାଳିଆହତା ଅଞ୍ଚଳରେ ରାମିଆଳ ନଦୀରେ ଦଣ୍ଡାଦର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହେବା ଦ୍ବାରା ତେଲକୋଇ ବ୍ଲକର ୭ଟି ଗାଁ ଜଳମଗ୍ନ ହୋଇଛି। ଆଜିଯାଏଁ ଅନେକ ବାସହରା ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ପୁଣି ତେଲକୋଇର ସମାକୋଇ ନଦୀରେ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣ କରିବାକୁ ଯେଉଁ ମସୁଧା ଚାଲିଛି ତାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ। ରାଜ୍ୟ ସରକାର ଅନୁଗୁଳ ସମାକୋଇ ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପାଲଲହଡା ତହସିଲ ଅନ୍ତର୍ଗତ ବିରାଳମୁଣ୍ଡାରେ ସ୍ଥାନ ନିରୂପଣ କରିସାରିଛନ୍ତି। କିନ୍ତୁ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅନ୍ତର୍ଗତ ଚକଦର ଠାରେ ନିର୍ମାଣ ପାଇଁ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ କଟକ ନଦୀ ଓ ଅନୁସନ୍ଧାନ ବିଭାଜନ ଯୋବ୍ରା ପକ୍ଷରୁ ଉଦ୍ୟମ କରୁଥିବାରୁ ଏହି ପ୍ରକଳ୍ପକୁ ଲୋକେ ବିରୋଧ କରି ଆସୁଛନ୍ତି।ଜୀବନ ଦେବୁ ପଛେ ଜମି ଦେବୁନାହିଁ ବୋଲି କହିଛନ୍ତି।