Thunderstorm: କୋରାପୁଟ ଦେଖିଛି ପ୍ରକୃତିର କରାଳ ରୂପ । ମାତ୍ର ୪୫ ମିନିଟରେ  ସାରା ସହରବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ୪୫ ମିନିଟର ପ୍ରତିଟି ସେକେଣ୍ଡ କୋରାପୁଟ ସହରକୁ ମୃତ୍ୟୁର ଖୁବ ନିକଟକୁ ନେଇ ଯାଇଥିଲା । ୪୫ ମିନିଟ ଭିତରେ କୋରାପୁଟରେ ୨୯,୨୫୮ ଥର ବଜ୍ରପାତ ହୋଇଛି । ପ୍ରତ୍ୟେକଟି ବଜ୍ରପାତ ମୃତ୍ୟୁର ରୂପ ନେଇ କୋରାପୁଟକୁ ପୁରା କୋକୁଆ ଭୟ ଦେଖାଇ ଦେଇଛି । ମନେ ପକାଇ ଦେଇଛି ୨୦୨୩  ଜୁନ ୨ ତାରିଖ ବାହାନଗା ଟ୍ରେନ ଟ୍ରାଜେଡିର କରାଳ ଦୃଶ୍ୟର କଥା।ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ୬ଟି ଘର ବଜ୍ରାଘାତରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାରା ସହରବାସୀଙ୍କ ମନରେ ଆତଙ୍କ ଖେଳି ଯାଇଛି।


COMMERCIAL BREAK
SCROLL TO CONTINUE READING

ଗ୍ରୀଷ୍ମଲହରୀରୁ ମୁକ୍ତ ହେବା ପାଇଁ ସାରା ଓଡିଶା କଲବଲ ହେଉଥିବାବେଳେ ଭୟଙ୍କର ରୂପ ନେଇ ଆସିଛି ବଜ୍ରପାତ ।ଆଜି କୋରାପୁଟ ସହରରେ ମାତ୍ର ୪୫ ମିନିଟ ଭିତରେ ୨୯,୨୫୮ ଥର ବଜ୍ରପାତ ସମସ୍ତଙ୍କୁ ଥରାଇ ଦେଇଛି । ଅପରାହ୍ନ ସାଢେ ୪ଟା ବେଳେ ପାଗ ହଠାତ ବଦଳିଯିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଏବଂ ଘଡ଼ଘଡ଼ି ମାଡ଼ି ଆସିଥିଲା । ପ୍ରାୟ ୧ ଘଣ୍ଟା ଧରି ଏଠାରେ ବର୍ଷା ହୋଇଥିବା ବେଳେ ୪୫ ମିନିଟ ଭିତରେ ୨୯,୨୫୮ ଥର ବଜ୍ରପାତ ହୋଇଥିବା ରେକର୍ଡ ହୋଇଛି । ଏହି ବଜ୍ରପାତ ପ୍ରଭାବରେ ବୋରିଗୁମ୍ମା ବ୍ଲକର ପ୍ରାୟ ୬ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ବୈପାରିଗୁଡ଼ା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ଜୟପୁର, ସେମିଳିଗୁଡ଼ା, ନନ୍ଦପୁର ଏବଂ କୁନ୍ଦୁରା ବ୍ଲକରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। 


ତେବେ ଗତ ୨ ବର୍ଷ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ପାଣିପାଗ କେନ୍ଦ୍ର । ଗତବର୍ଷ ମାର୍ଚ୍ଚ ୬ ତାରିଖରେ କୋରାପୁଟରେ ୩୦ ମିନିଟ ମଧ୍ୟରେ ୩୭୬୨ ଥର ବଜ୍ରପାତ ରେକର୍ଡ କରାଯାଇଥିବା ବେଳେ ୭ ତାରିଖରେ ୨୫୭୩ ଥର ବଜ୍ରପାତ ହୋଇଛି । କିନ୍ତୁ ଆଜିର ବଜ୍ରପାତ ଗତବର୍ଷର ରେକର୍ଡକୁ ଅତିକ୍ରମ କରିଛି।


ଏହି ବଜ୍ରାଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏମାନେ ପାଟପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କାଳବୈଶାଖୀ ଯୋଗୁଁ ଜୋରରେ ଘଡଘଡି ମାରିବାରୁ ଏଠାରେ କାମ କରୁଥିବା ଶ୍ରମିକ ବଜ୍ରାଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ଏହି ଦୁଇ ଶ୍ରମିକ ଟଳି ପଡିଥିଲେ । ଜଣକ ଘର ନିରାକାରପୁର ନିକଟସ୍ଥ ଆଳିଗଡ଼ାରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ପୋଲସରା ନିକଟସ୍ଥ ଗୁଡ଼ିଆପଦାରେ ବୋଲି ଜଣାପଡିଛି ।


Writing By- Tapasa gyanadarsini samal


Also Read- ଏଥର ସାବିତ୍ରୀରେ ଦୁର୍ଲଭ ଯୋଗ: ଏହି ରାଶିଙ୍କ ଉପରେ ବର୍ଷିବ ଲକ୍ଷ୍ମୀଙ୍କ କୃପା