RTO Camp Office: ବିଗତ କିଛି ବର୍ଷ ହେବ ରାଜ୍ୟରେ ଯାନବାହାନ ବିକ୍ରି ସହିତ ତତ ସମ୍ପର୍କିତ ସେବାର ଆବଶ୍ୟକତା ଢେର ବୃଦ୍ଧି ପାଇଛି । ତେବେ ଇତି ମଧ୍ୟରେ ଜନସାଧାରଣଙ୍କୁ ସଠିକ୍ ସମୟରେ ସେବା ଯୋଗାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍‌‌ ଅଫିସ (RTO Camp Office)‌ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଣିକି ଘର ପାଖରେ ଖୋଲିବ ଆରଟିଓ କ୍ୟାମ୍ପ୍‌‌ ଅଫିସ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଆରଟିଓ ଅଫିସ ପରି କ୍ୟାମ୍ପ୍‌‌ ଅଫିସ୍‌‌ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ। ଫଳରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ଆରଟିଓ କାର୍ଯ୍ୟାଳୟଠାରୁ (RTO Office) ଦୂରରେ ରହୁଥିବା ଲୋକେ ସମସ୍ୟା ଭୋଗିବେ ନାହିଁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଅଧୀନରେ ସମୁଦାୟ ୫୪ଟି କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ଆରଟିଓ ଅଫିସରେ ଗହଳି ଓ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କମିଶନର କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଥିଲା।


ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ରେ ଦଶପଲା ଓ ଓଡ଼ଗାଁ, ପୁରୀରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ାରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟରେ ଜୟପୁର ଓ ସେମିଳିଗୁଡ଼ା, ଗଜପତିରେ ମୋହନାଠାରେ କ୍ୟାମ୍ପ୍‌‌ ଅଫିସ ଖୋଲିବ। ସେହିପରି ଗଞ୍ଜାମ ଜିଲ୍ଲାରେ ଅସ୍କା ଓ ବ୍ରହ୍ମପୁର, କଳାହାଣ୍ଡିରେ ଧର୍ମଗଡ଼, ମୟୂରଭଞ୍ଜରେ କରଞ୍ଜିଆ ଓ ବେତନଟୀ, ବଲାଙ୍ଗିରରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, ସମ୍ବଲପୁରରେ ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦ୍ୱୀପ, କଟକରେ ଆଠଗଡ଼ ଓ ନିଆଳିରେ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବ। ସେହିପରି କେନ୍ଦ୍ରାପଡ଼ାରେ ପଟ୍ଟାମୁଣ୍ଡାଇ, ଭଦ୍ରକରେ ଚାନ୍ଦବାଲି ଓ ଧାମରା, ଯାଜପୁରରେ କାଳିଆପାଣି ଓ କଳିଙ୍ଗନଗର, ବାଲେଶ୍ୱରରେ ନୀଳଗିରି ଓ ଜଳେଶ୍ୱର, କେନ୍ଦୁଝରରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ରେ ହେମଗିରି, ରାଉରକେଲାରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳରେ ଆଠମଲ୍ଲିକ, ତାଳଚେରରେ ପାଲଲହଡ଼ା ଓ ଏନ୍‌‌ଟିପିସି କଣିହା, ଢେଙ୍କାନାଳରେ କାମାକ୍ଷାନଗର । ଅନ୍ୟପଟେ, ମାଲକାନଗିରିରେ ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀରେ ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରରେ ଡୁଙ୍ଗିରିପାଲି, ଝାରସୁଗୁଡ଼ାରେ ବ୍ରଜରାଜନଗର ଓ ଲଖନପୁର, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍‌‌ ଅଫିସ ଖୋଲାଯିବ।


Also Read- Odisha News: ମାତୃଭାଷାରେ ସର୍ବାଧିକ ନମ୍ବର ରଖିଲେ ମିଳିବ ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’


ଆରଟିଓ କାର୍ଯ୍ୟାଳୟରେ ଭିଡ଼ ହ୍ରାସ ଓ ସେବା ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘୫-ଟି’ ଉପକ୍ରମ ଅଧୀନରେ ‘ସ୍ମାର୍ଟ କ୍ୟୁ’ ମ୍ୟାନେଜମେଣ୍ଟ ଭଳି ଏକାଧିକ ଅଭିନବ ବ୍ୟବସ୍ଥା କରାଯାଇଛି। ଅନ୍‌‌ଲାଇନ୍‌‌ରେ ସବୁସେବା ଉପଲବ୍ଧ କରାଯାଇ ଥିବାରୁ ପୂର୍ବାପେକ୍ଷା ଆରଟିଓରେ ଭିଡ଼ ଯଥେଷ୍ଟ ହ୍ରାସ ପାଇଛି। ତଥାପି ଅନେକ ଲୋକ ଆରଟିଓ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବହୁଦୂର ପର୍ଯ୍ୟନ୍ତ ଯା’ ଆସ କରିବାକୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ କ୍ୟାମ୍ପ୍‌‌ ଅଫିସ ଖୋଲିବା ପାଇଁ ପଦକ୍ଷେପ ନେଇଛି।