ଭୁବନେଶ୍ବର: ଆଗାମୀ ୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି। ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ଡେସିମିଲ ଜମି ଦିଆଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏ ଜମି ମିଳିବ। ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦିଆଯାଉଛି। ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବଡ଼ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ସର୍ଭେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସହୀନ କେହିନଥିବେ। ସର୍ଭେ କାମ ଆରମ୍ଭ ହୋଇ ଗଲାଣି। ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି। ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ। 


ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ, ଭାରତ ସରକାର ଜଳ ଓ ଜଙ୍ଗଲ ଆଇନ୍‌ର ସଂଶୋଧନ କରିଥିଲେ। ଯେଉଁଥିରେ ଜନଜାତିର ଲୋକଙ୍କୁ ଜଙ୍ଗଲର ଅଧିକାର ଦେଇଥିଲେ। ତେଣୁ ସେମାନଙ୍କୁ ଜଙ୍ଗଲ କିଶମ ଜମିର ପଟ୍ଟା ପ୍ରଦାନ କରାଯିବ। ଯେଉଁମାନଙ୍କୁ ପଟ୍ଟା ପ୍ରଦାନ କରାଯିବ, ସେମାନଙ୍କୁ ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବାର ବ୍ୟବସ୍ଥା କରାଯିବ। ଆବାସ ଯୋଜନାରେ ଯେଉଁ ଘର ନିର୍ମାଣ ହେବ, ସେଥିରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟର ବ୍ୟବସ୍ଥା ରହିବ। ପ୍ରତି ଘରକୁ ପାଣି ଟେପ୍ ଓ ବିଦ୍ୟୁତ ସଂଯୋକ କରାଯିବ। ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ପହଞ୍ଚାଇବାର ବ୍ୟବସ୍ଥା କରିବୁ। କେବଳ ଜମି ପଟ୍ଟା ନୁହେଁ, ୫ ବର୍ଷରେ ଆମେ ଘରର ପୂର୍ଣ୍ଣାଙ୍ଗ ପେକେଜ ଗରିବ ଲୋକଙ୍କୁ ଯୋଗାଇଦେବୁ। ତେଣୁ ଠିକ୍‌ଠାକ୍‌ ଭାବେ ସର୍ଭେ କରିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୫ ବର୍ଷ ପରେ ଓଡ଼ିଶାରେ ଏମିତି କେହି ଗରିବ ଲୋକ ରହିବେନି, ଯାହାର ନିଜସ୍ୱ ଘର ଡିହ ପଟ୍ଟା ନଥିବ। ସର୍ଭେ ଓ ଆବଣ୍ଟନ କାମ ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି।