Social Media Account: ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ନେଇ କିଛି ସମସ୍ୟା ଥିଲେ ଜନତା ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିବେ । ଏହି ଅଭିଯୋଗ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ତୁରନ୍ତ ପହଞ୍ଚିବ ଆଉ ଯଥାଶୀଘ୍ର ତାହାର ସମସ୍ୟାର ସମାଧାନ କରାଯିବ । ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବା ଅବସରରେ ପ୍ରତ୍ୟେକ ଡାକ୍ତରଖାନାର ନିଜସ୍ୱ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସିଡିଏମ୍‌ଓ/ପିଏଚ୍‌ଓ, କ୍ୟାପିଟାଲ ହସ୍ପିଟାଲ ଏବଂ ଆରଜିଏଚ୍ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ତୁରନ୍ତ ଏକ୍ସ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ବିଭାଗ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଜିଲ୍ଲା ଡାକ୍ତରଖାନା ସମେତ ଉପଖଣ୍ଡ ଡାକ୍ତରଖାନା (ଏସ୍‌ଡିଏଚ୍‌), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି), ଜନ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ର ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଏକ୍ସ ଆକାଉଣ୍ଟ ପରିଚାଳିତ ହେବ । ଏହି ସାମାଜିକ ଗଣମାଧ୍ୟମରେ ଯେଉଁ ଅଭିଯୋଗ ଆସିବ ତାହାର ସମାଧାନ କରିବା ପାଇଁ ସମ୍ପୃକ୍ତ ମେଡିକାଲ ଅଫିସର ପଦକ୍ଷେପ ନେବେ । ଆଗାମୀ ତିନି ଦିନ ମଧ୍ୟରେ ଏକ୍ସ ଆକାଉଣ୍ଟ ଖୋଲିବା ସହିତ ତାହାର ବିବରଣୀ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ଲାଗି ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।