(Puri News): ଆଜି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଓ ବାହାର ରତ୍ନ ଭଣ୍ଡାରରେ ଥିବା ଆଲମିରା, ସିନ୍ଦୁକ ଓ ଅନ୍ୟ ଅଳଙ୍କାର ବାକ୍ସକୁ ସ୍ଥାନାନ୍ତରଣ କରାଯିବ। ନୀଳାଦ୍ରୀ ବିହାର ମ୍ୟୁଜିୟମଠାରେ ଥିବା ଏକ କୋଠରୀରେ ସବୁକୁ ରଖାଯିବ। ଏଥିଲାଗି ଆଜି ଅପରାହ୍ଣ ୧ଟା ବେଳୁ ଶ୍ରୀଜିଉମାନଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

 

ଏହିକ୍ରମରେ ଆଜି ଦ୍‍ୱାର ଫିଟା ଓ ମଙ୍ଗଳାଆଳତୀ ପର୍ବ ଶୀଘ୍ର ସମାପନ କରାଯାଇଛି। ନୀତିକାନ୍ତିକୁ ଜଲ୍ଦି କରାଇ ଭଣ୍ଡାର ଘର ଖାଲି କରିବା କାର୍ଯ୍ୟକୁ ସୁରୁଖୁର କରିବା ଲାଗି ଉଭୟ ସେବାୟତ ଓ ପ୍ରଶାସନ ତତ୍ପର ରହିଛନ୍ତି। ଗତକାଲି ରାତି ୧୨ଟା ୧୫ ମିନିଟ ସମୟରେ ଶ୍ରିଜିଉମାନଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୨ଟା ୧୨ ମିନିଟ ସମୟରେ ଦ୍ୱାର ଫିଟା ନୀତି ସମାପନ କରାଯାଇଛି। ଏହା ପରା ମଙ୍ଗଳା ଆଳତି ୩ଟା ୩୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ଏହାପରେ ମଇଲମ, ତଡ଼ପଲାଗି, ଅବକାଶ ପୂଜା, ଆରମ୍ଭ କରାଯାଇଥିଲା। ଅବକାଶ ପୂଜା ୪ଟା ୪୦ ମିନିଟ ସମୟରେ ଶେଷ ହୋଇଛି। ୪ଟା ୫୦ରେ ରୋଷ ହୋମ କରାଯାଇଛି। ୫ଟା ୫ ମିନିଟ ବେଳକୁ ଠାକୁରମାନଙ୍କ ବେଶ ସମାପ୍ତ ହୋଇଥିବା ସୂଚନା ମିଳିଛି। ୫ଟା ୫୫ରେ ଦ୍ୱାରପାଳ ମୂଜା, ୬ଟା ୦୫ରେ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। 

 

ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାରକୁ ଖୋଲିଥିଲେ ପ୍ରଶାସନ। ୪୬ ବର୍ଷ ପରେ ରତ୍ନ ଭଣ୍ଡାର ଖୋଲିବାରେ ପ୍ରଶାସନ ସଫଳ ହୋଇଥିଲା। ଏଥିପାଇଁ ଏକ ୧୧ ଜଣିଆ କମିଟି ପ୍ରସ୍ତୁତ କରାଯାଇଥିଲା। ଏହାପରେ ୧୮ ତାରିଖ ଦିନ ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ ଓ ଅଳଙ୍କାରକୁ ଏକ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି। ନୂଆ ବାକ୍ସ ଓ ଆଲମିରାରେ ଏହି ଅଳଙ୍କାର ଓ ରତ୍ନକୁ ରଖାଯାଇଥିବାରୁ ଏବେ ପୁରୁଣା ବାକ୍ସ ଓ ଆଲମିରା ଅଲୋଡ଼ା ହୋଇ ରହିଛି। କିନ୍ତୁ ଏଗୁଡ଼ିକର ସ୍ଥାପତ୍ୟ ମୂଲ୍ୟ ରହିଥିବାରୁ ପ୍ରଶାସନ ପକ୍ଷରୁ ଏଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। 

 

ଆଜି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖାଲି କରିବା ନେଇ ଏକ ୧୨ ଜଣିଆ କମିଟି ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିଷ୍ପତ୍ତି ଓ ଆଦେଶ ଅନୁସାରେ ସେମାନେ କାର୍ଯ୍ୟ କରିବେ। ଏଥିଲାଗି ପୂର୍ବରୁ ରାଜ୍ୟ ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ଯାହାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିଥିଲେ। 

 

ଅପସାରଣ କାର୍ଯ୍ୟ ଶେଷ ହେବା ପରେ  ସମୁଦାୟ ରତ୍ନ ଭଣ୍ଡାରର ଯାଞ୍ଚ କରାଯିବ। ବିଭିନ୍ନ ସମୟରେ ଆସିଥିବା ସନ୍ଦେହକୁ ଦୂର କରିବା ପାଇଁ ଏଏସ୍‍ଆଇ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ଟେକ୍ନୋଲୋଜି ବ୍ୟବହାର କରି ତାହାକୁ ଯାଞ୍ଚ କରାଯିବ। ଅନେକ ସମୟରେ ଏଠାରେ ସୁଡ଼ଙ୍ଗ, ଗୁପ୍ତ ରତ୍ନ ଭଣ୍ଡାକୁ ନେଇ ଚର୍ଚ୍ଚା ହୋଇଛି। ଏବେ ଏହି ଯାଞ୍ଚ ଦ୍ୱାରା ତାହା ସ୍ପଷ୍ଟ ହେବ। ଯାଞ୍ଚ କାର୍ଯ୍ୟ ଶେଷ ହେବା ପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ ( ଏଏସ୍‍ଆଇ) ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହି ମରାମତି କାର୍ଯ୍ୟ ବି ଅପରାହ୍ଣରେ ହେବାକୁ ଥିବାରୁ ମରାମତି ଶେଷ ଯାଏ ଭକ୍ତଙ୍କ ଦର୍ଶନ ବାଧା ପ୍ରାପ୍ତ ହେବା ଆଶଙ୍କା ରହିଛି।