Banaklagi Niti: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ । ସେଥିପାଇଁ ସନ୍ଧ୍ୟା ୫ରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉଙ୍କ ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥାଏ। ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଦତ୍ତ ମହାପାତ୍ର ସେବକ ମାନେ ଶ୍ରୀଜିଉଙ୍କ ବନକଲାଗି ନୀତି କରିବେ । ହିଙ୍ଗୁଳ, ହରିତାଳ,  ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ ଏବଂ କଳାର ବ୍ୟବହାର କରାଯାଇ ଶ୍ରୀମୁଖ ଶୃଙ୍ଗାର କରିବାର ପରମ୍ପରା ରହିଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ବହୁଦିନର ପ୍ରତୀକ୍ଷା ପରେ ଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଆରମ୍ଭ ଗତକାଲିଠାରୁ ହୋଇଛି। ରତ୍ନଭଣ୍ଡାର ବାହାରପାର୍ଶ୍ବର ମଙ୍ଗଳବାର ଲେଜର୍‌ ସ୍କାନିଂ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୨୦ଜଣିଆ ବୈଷୟିକ ଟିମ୍ ମଙ୍ଗଳବାର ରତ୍ନଭଣ୍ଡାର ବାହାରପାର୍ଶ୍ବ (Ratna Bhandar Outside) କାନ୍ଥର ସ୍ଥିତି ଅନୁଧ୍ୟାନ କରିଥିଲେ। ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ପାର୍ଶ୍ବ କାନ୍ଥର ୩୭ଟି ସ୍ଥାନର ଲେଜର୍‌ ସ୍କାନିଂ କରାଯାଇଛି। କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିଖି ଯାଞ୍ଚ କରିଥିଲା ସ୍ୱତନ୍ତ୍ର ଟିମ୍। ଆଉ ଆଜି ଦକ୍ଷିଣପାର୍ଶ୍ବ କାନ୍ଥର ଅନୁଧ୍ୟାନ କରାଯିବା ନେଇ ସୂଚନା ରହିଛି। 


ଗତକାଲି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରୁ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଲେଜର୍‌ ସ୍କାନିଂ ମେସିନ୍‌ (Laser Scanning Machine) ଏକ ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା। ଏହା ୩୬୦ ଡିଗ୍ରୀ ବୁଲି ଫଟୋ ଉତ୍ତୋଳନ କରି ପାରିବାର କ୍ଷମତା ରଖିଛି। ଅତିକ୍ଷୁଦ୍ର ଫାଟ ବି ଏଥିରୁ ଜାଣିହେବ। ଲେଜର୍‌ ସ୍କାନର୍‌ ଖୁବ୍‌ ଧୀରେଧୀରେ ବୁଲି ଫଟୋ ଉତ୍ତୋଳନ କରିଥାଏ। ତେଣୁ ମଙ୍ଗଳବାର କେବଳ ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ପାର୍ଶ୍ବ ଅନୁଧ୍ୟାନ ସମ୍ଭବ ହୋଇପାରିଥିଲା। ଆଉ ଆଜି ବାକି ଥିବା ଅଂଶର ସ୍କାନିଂ କରାଯିବ। ସେହିପରି ନାଟମଣ୍ଡପ ବିମ୍‌ରେ ଥିବା ଫାଟର ମରାମତି କାମ ଆରମ୍ଭ ହୋଇଛି। 


ପ୍ଲାଷ୍ଟର ଛଡ଼ାଇବା ପରେ(ଡିପ୍ଲାଷ୍ଟରିଂ) ଯେଉଁ ଯେଉଁ ସ୍ଥାନରେ ଫାଟ ରହିଛି, ତାର ପର୍ଯ୍ୟାୟକ୍ରମେ ମରାମତି କରାଯାଉଛି। ସୂଚନାଯୋଗ୍ୟ, ବହୁଦିନରୁ ନାଟମଣ୍ଡପରେ ଥିବା ଫାଟ କ୍ରାକ୍‌ ମିଟର୍‌ ଜରିଆରେ ଅନୁଧ୍ୟାନ କରାଯାଉଥିଲା। ହାଇକୋର୍ଟଙ୍କ (Orissa Highcourt)  ଆଦେଶ ପରେ ନାଟମଣ୍ଡପ ବିମ୍‌ ମରାମତି କାମ ଆରମ୍ଭ ହୋଇଛି। କିନ୍ତୁ କାର୍ତ୍ତିକ ମାସ ଚାଲିଥିବାରୁ କାମରେ ସେତେଟା ଅଗ୍ରଗତି ଦେଖିବାକୁ ମିଳିନଥିଲା। କାର୍ତ୍ତିକ ମାସ ଶେଷ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମରାମତି କାମକୁ ତ୍ବରାନ୍ବିତ କରିଛି।


Also Read: Odisha Labour: ଉଦ୍ଧାର ପରେ ଗୁରୁବାର ଓଡ଼ିଶା ପହଞ୍ଚିବେ ୫ ଶ୍ରମିକ, ଏମିତି ସ୍ୱାଗତ କରିବେ ଗାଁ ଲୋକ


Also Read: Ghodahada Dam Reservoir: ଶୁଖିଗଲା ଜଳଭଣ୍ଡାର ଗାଁ ମୁହାଁ କୁମ୍ଭୀର; ଚିନ୍ତାରେ ଜନସାଧାରଣ