Gajapati(ପ୍ରେମାନନ୍ଦ ପୂଜାରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ତଥା ଓଡି଼ଶା-ଆନ୍ଧ୍ର ସୀମାନ୍ତରେ ବାଘ ବୁଲୁଥିବାର ଜଣାପଡିଛି । ଯାହାକୁ ନେଇ ସୀମାନ୍ତ ବର୍ତ୍ତୀ ଗ୍ରାମାଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବାର ଜଣାପଡିଛି । ପାରଳାଖେମୁଣ୍ଡି ସହର ଠାରୁ ଅତି ନିକଟ ରେ ବାଘ ବୁଲୁଥିବା ଖବର ମିଳିବା ପରେ ଏବେ ପାରଳା ସହରବାସୀ ମଧ୍ୟ ଭୟଭୀତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ ମାସ ଅକ୍ଟୋବର ୧୮ତାରିଖ ରେ ଉକ୍ତ ବାଘଟି ପ୍ରଥମେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ଗ୍ରାମ ନିକଟସ୍ଥ ସନ୍ତୋଷପୁର ଗ୍ରାମରେ ପଶି ଗୁହାଳରୁ ଗୋଟିଏ ଗାଇକୁ ମାରି ଖାଇଥିଲା । ଯାହାକୁ ନେଇ ସେତେବେଳେ ଅଞ୍ଚଳରେ ନାନାଦି ଆଲୋଚନା ହୋଇଥିଲା । 


COMMERCIAL BREAK
SCROLL TO CONTINUE READING

ତେବେ ବନବିଭାଗ ତତ୍ପରତା ଦେଖାଇ ଟ୍ରାପିଂ କ୍ୟାମେରା ଖଞ୍ଜିଥିଲେ । ଟ୍ରାପିଂ କ୍ୟାମେରାରେ ଏକ ମହାବଳ ବାଘର ଚିତ୍ର ମିଳିବା ପରେ ମହାବାଳବାଘ ବୁଲୁଥିବାର ସ୍ପଷ୍ଟ ହୋଇଥିଲା । ରାୟଗଡ ବ୍ଲକ ପରେ ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଘୂରିବୁଲୁଥିଲା । ସେଠାରୁ ସେ ଆନ୍ଧ୍ରର ଗୋପିଲି, ଭଗାବନ୍ଧ ଅଞ୍ଚଳକୁ ଯାଇ ଟେକାଲିପାଟଣା ପ୍ରଭୁତି ଅଞ୍ଚଳ ଦେଇ ଆଜି ପୁରୁଣାପାଟଣା ମଣ୍ଡଳର ସାରାଲି ଗ୍ରାମାଞ୍ଚଳରେ ରହିଥିବାର ସୂଚନା ମିଳିଛି । ସାରାଲି ଗ୍ରାମ ପାରଳାଖେମୁଣ୍ଡି ସହର ଠାରୁ ରାସ୍ତା ଦେଇ ମାତ୍ର ସାତରୁ ଆଠ କିମି ଅଟେ । କିନ୍ତୁ ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ତାହା ମାତ୍ର ୨କିମି ଦୁରରେ ଅବସ୍ଥିତ ,ଯାହା ମହେନ୍ଦ୍ରତନୟା ନଦୀର ଆରପାରିରେ ରହିଛି । 


ନଦୀର ଆରପଟେ ଆନ୍ଧ୍ରର ଚାଙ୍ଗୁଡି, ମାକନପଲ୍ଲି, ଦଶରଥପୁରମ୍ ରହିଥିବା ବେଳେ ଓଡିଶା ତଥା ଗଜପତି ଜିଲ୍ଲା ନଦୀର ଏପଟେ କେରାଣ୍ଡି, ଅମରା, ରାଟିଣି, ଡାଳିମ୍ବପୁର ଆଦି ଗ୍ରାମାଞ୍ଚଳ ରହିଛି । ସୀମାନ୍ତରେ ରହିଥିବା ଯୋଗୁଁ ଉଭୟ ରାଜ୍ୟ ତଥା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି । ହେଲେ ଏକ ମାସରୁ ଉର୍ଦ୍ଧ ସମୟ ଉଭୟ ଓଡିଆ ଓ ଆନ୍ଧ୍ର ବନ ବିଭାଗର ନିଦ ହଜାଇ ଦେଇଥିବା ବାଘ ବର୍ତ୍ତମାନ ବି ଘୁରିବୁଲୁଛି । ବର୍ତ୍ତମାନ ବାଘଟି ସୀମାନ୍ତରେ ରହିଥିବା ଯୋଗୁଁ ଟ୍ରାକିଂ କରିବା ନିମନ୍ତେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍.ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର କର୍ମଚାରୀମାନେ ଟ୍ରାପିଂ କ୍ୟାମେରା ଆଦି ଲଗାଇ ଦିବାରାତ୍ର ପଇଁତରା ମାରୁଛନ୍ତି ବୋଲି କହିଛନ୍ତି ଦେବଗିରି ରେଞ୍ଜର ଡି.ଭେଙ୍କଟରାବଣା । 


ଏହା ସହ ଆନ୍ଧ୍ର ବନ ବିଭାଗ ସହ ଯୋଗାଯୋଗ କରି ବାଘର ଗତିବିଧି ସମ୍ପର୍କରେ ସୂଚନା ରଖାଯାଉଥିବାର ମଧ୍ୟ ଜଣାଇଛନ୍ତି । ଗତ ତା ୧୮.୧୦.୨୦୨୩ ରିଖ ଦିନ ଗଣ୍ଡାହାତୀ ନିକଟରୁ ସନ୍ତୋଷପୁର ଗ୍ରାମ ନିକଟରେ ଏକ ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚନର ବନକର୍ମଚାରୀ ଏବଂ ପାରଳାଖେମୁଣ୍ଡି ବଳଖଣ୍ଡର ଏସିଏଫ ଅଶୋକ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ବାଘର ପାଦଚିହ୍ନ ଠାବ କରିଥିଲେ । ପାଦଚିହ୍ନ ଗୁଡ଼ିକର ପ୍ଲାସ୍ଟର ପେରିସ୍ ମାଧ୍ୟମରେ ଚିହ୍ନଟ କରାଯାଇଥିଲା । ସେହିଦିନ ଠାରୁ ବାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି ଅଟୋମେଟିକ ଟ୍ରାକ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । 


ଗତ ୨୦.୧୦.୨୦୨୩ ରିଖ ସକାଳୁ ଗୋଟିଏ କ୍ୟାମେରା ରେ ଏକ ମହାବଳ ବାଘ ର ଅବସ୍ଥିତି ଜଣାପଡିଥିଲା । ସେହି ଦିନ ଠାରୁ ଉକ୍ତ ଅଞ୍ଚଳର ସମେତ ଆଖପାଖ ସମସ୍ତ ଗ୍ରାମବାସୀ ମାନଙ୍କୁ ବାଘ ବୁଲୁଥିବାର ସତର୍କ ସୂଚନା ବନ ବିଭାଗ ପକ୍ଷରୁ ଦିଆଯାଇଥିଲା । ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜର ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ର ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଥିଲା । ହେଲେ ଗତକାଲି ପାରଳାଖେମୁଣ୍ଡି ସହର ନିକଟସ୍ଥ ସାରାଳି ଗ୍ରାମରେ ବାଘ ଥିବା ଜଣାପଡ଼ିବା ପରେ ବନବିଭାଗ ପକ୍ଷରୁ ଧରପଗଡ ଅଭିଯାନ ଦେଖାଦେଇଛି । 


ଡିଏଫଓ ଶ୍ରୀ ଆନନ୍ଦ ଦେଇଥିବା ସୂଚନା ମୁତାବକ ବକ ପାରଳା ସହରର ମାତ୍ର ୧ କିମି ଦୂରରେ ବାଘ ଥିବାରୁ ଏହି ଅଞ୍ଚଳରେ ବନ ବିଭାଗର କର୍ମଚାରୀ ମାନେ ପାଇଁତରା ମାରୁଛନ୍ତି। ସାଧାରଣ ଲୋକଙ୍କ ପ୍ରତି ଯେଭଳି କୌଣସି କ୍ଷତି ହେବ ନାହିଁ ସେ ଦିଗରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି | ଲୋକଙ୍କୁ ଭୟଭୀତ ନ ହୋଇ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ପାରଳାଖେମୁଣ୍ଡି ସହର ଆଡ଼କୁ ବାଘ ପ୍ରବେଶ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିବାରୁ ସୀମାନ୍ତରେ ଥିବା ଜମିକୁ ଯିବା ପାଇଁ ମଧ୍ୟ ଚାଷୀମାନେ ଭୟ କରୁଛନ୍ତି । ପାଣିପାଗର ସୁଚନା ଆଧାରରେ ସମ୍ଭାବ୍ୟ ବର୍ଷା କୁ ଦୃଷ୍ଟିରେ ରଖି ଚାଷୀମାନେ କ୍ରିୟାଶୀଳ ଥିଲେ , ହେଲେ ବାଘର ଆତଙ୍କ ଯୋଗୁଁ ଚାଷ କାମ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି।