ଭୁବନେଶ୍ଵର: ବିଏମ୍‌ସିର ରାଜସ୍ବ କମି କମି ଯାଉଥିବା ବେଳେ କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ମାଲେମାଲ୍‌ ହେଉଛନ୍ତି। ତା’ ଛଡ଼ା ଏହାର ବଡ଼ ଦୁର୍ବଳତା ହେଉଛି ହୋଲ୍ଡିଂ ଟିକସ ବ୍ୟବସ୍ଥାକୁ ସଂଶୋଧିତ କରି ବୃଦ୍ଧି କରିହେବ ନାହିଁ। ଥରେ ଏହି ଟିକସ ବୃଦ୍ଧି କରି ବିଏମ୍‌ସି କୋର୍ଟରେ ହାରିବା ସହ ବର୍ଦ୍ଧିତ ଦରରେ ଆଦାୟ କରିଥିବା ଟିକସ ପୁଣି ଥରେ ଲୋକଙ୍କୁ ଫେରାଇବା ପରେ ବୁଦ୍ଧି ଶିଖିଛି। ଏଥର ହୋଲ୍ଡିଂ ନୁହେଁ, ବରଂ ‘ପ୍ରପର୍ଟି ଟ୍ୟାକ୍ସ’ ଆଦାୟ କରିବାକୁ ଯୋଜନା କରିଛି ବିଏମ୍‌ସି। 


COMMERCIAL BREAK
SCROLL TO CONTINUE READING

ସଂଶୋଧିତ ଟିକସ ପୂର୍ବ ଟିକସ ଠାରୁ ପ୍ରାୟ ୧୦ ଗୁଣ ବଢ଼ି ଯାଇଥିଲା। ଏହାକୁ ବିଭିନ୍ନ ସ୍ତରରେ ବିରୋଧ‌ ‌ହୋଇଥିଲା। କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ହାଇକୋର୍ଟ ଯାଇଥିଲା। ୨୦୧୯ ନଭେମ୍ବର ୧୧ରେ ହାଇକୋର୍ଟରେ ମାମଲାର ଶୁଣାଣି କରି ବିଏମ୍‌ସିକୁ ପୁଣି ଥରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଏମସି କୌଣସି ସଂଶୋଧନ ନ କରି ପୂର୍ବ ନିଷ୍ପତ୍ତିକୁ କାଏମ ରଖିଥିଲା। ଏଣୁ ଆସୋସିଏସନ ପୁଣି ଥରେ ୨୦୨୦ରେ ହାଇକୋର୍ଟ ଯାଇଥିଲା। ବୃଦ୍ଧି ନିଷ୍ପତ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ରାୟ କଲ୍ୟାଣୀ ହସ୍‌ପିଟାଲ ସପକ୍ଷରେ ଯିବାରୁ ବିଏମ୍‌ସି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ବର୍ଦ୍ଧିତ ଦରରେ ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିପାରିବ ନାହିଁ ବୋଲି ୨୦୨୧ ମସିହାରେ ରାୟ ଦେଇଥିଲେ। କିନ୍ତୁ ବିଏମ୍‌ସି ପ୍ରାୟ ୧୫ ହଜାର ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ଟିକସ ଆଦାୟ କରି ସାରିଥିଲା। କିନ୍ତୁ ଉଭୟ କୋର୍ଟରେ ହାରିବା ପରେ ବିଏମ୍‌ସି ଏହି ସବୁ ବର୍ଦ୍ଧିତ ଅର୍ଥ ସମ୍ପୃକ୍ତ ଘରମାଲିକଙ୍କୁ ଫେରାଇବା ପାଇଁ ଦାବି ହେବା ପରେ ସେଗୁଡ଼ିକୁ ପ୍ରତ୍ୟେକ ବର୍ଷ ଆଡ୍‌ଜଷ୍ଟ କରିଥିଲା। ଏଭଳି ଏକ ଶକ୍ତ ଧକ୍କା ଖାଇବା ପରେ ବିଏମ୍‌ସି ମାନସ ମନ୍ଥନ କରିଥିଲା।