ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏଥିସହ ଉନ୍ନତ ଅନୁଷ୍ଠାନ ଯଥା ଆଇଆଇଟି ବିଶେଷଜ୍ଞ ଓ ସିବିଆରଆଇI ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି। ଏଥିନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତିରେ ଲେଜର ସ୍କାନିଂ ଓ ଜିପିଆରଏସ୍ ଭଳି ଅତ୍ୟାଧୁନିକ ଭାବରେ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସେହିପରି ଯାଞ୍ଚ ସମୟରେ ନୀତିକାନ୍ତି ବ୍ୟାଘାତ ନହେବା ପାଇଁ ଛତିଶା ନିଯୋଗ ଓ ପରିଚାଳନା କମିଟି ତରଫରୁ ନୀତିର ସାରଣୀ କରାଯିବ। ଯାଞ୍ଚ ଓ ମରାମତି ପାଇଁ ପୂର୍ବରୁ ଯେଉଁ ଏସଓପି ପ୍ରସ୍ତୁତ କରାଯାଇଛି, ସେହି କ୍ରମରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 


ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୋଟିଏ ଖାଲି ଲୁହା ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। କବାଟ କଟାଯାଇ ରତ୍ନଭଣ୍ଡାରରେ ଥିବା ଗୋଟିଏ ଲୁହା ସିନ୍ଦୁକ, ଭିତର ରତ୍ନଭଣ୍ଡାରରେ ଥିବା ୨ଟି କାଠ ଆଲମିରା, ଗୋଟିଏ ଲୁହା ଆଲମିରା, ୨ଟି କାଠ ସିନ୍ଦୁକକୁ ମିଶାଇ ମୋଟ ୭ଟି ଆଲମିରାକୁ ବାହାର କରାଯାଇଥିଲା। ପରେ ପୁଣି କବାଟ ମରାମତି ହୋଇଥିଲା। ଏସବୁକୁ ଶ୍ରୀମନ୍ଦିର ପଶ୍ଚିମଦ୍ବାର ପାର୍ଶ୍ବ ନୀଳାଦ୍ରି ମ୍ୟୁଜିୟମ୍‌ ନିକଟ ଗୃହକୁ ସ୍ଥାନାନ୍ତର କରାଯାଇଛି।