ଭୁବନେଶ୍ୱର: ସରକାର ବଦଳିବା ସହ ରାଜ୍ୟ ପ୍ରଶାସନର ଦୁଇ ପ୍ରମୁଖ ଅଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମୁଖ୍ୟ ବଦଳି ପାରନ୍ତି। ନୂଆ ଅଧିକାରୀଙ୍କୁ ଏହି ସ୍ଥାନରେ ବସାଇବାର ସମ୍ଭାବନା ଅଧିକ ରହିଛି। ଅପରପକ୍ଷେ ମୁଖ୍ୟ ସଚିବଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଚଳିତମାସ ୩୦ ତାରିଖରେ ଶେଷ ହେଉଥିବାରୁ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା କ୍ଷଣି ଏ ବାବଦରେ ବିଚାର ବିମର୍ଷ ପ୍ରକ୍ରିୟା ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟ ସରକାର କୌଣସି ପୁଲିସ ଅଧିକାରୀଙ୍କୁ ଡିଜି ପଦବୀରେ ଅଧିଷ୍ଠିତ କରି ନଥିବାରୁ ଡିସେମ୍ବର ୩୧ ତାରିଖରୁ ଅରୁଣ ଷଡ଼ଙ୍ଗୀ କାମଚଳା ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଏଣୁ ସରକାର ଏ ପଦବୀରେ ଖୁବ୍‍ଶୀଘ୍ର ନୂଆ ଅଧିକାରୀଙ୍କୁ ନିଯୁକ୍ତ କରିବା ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ଏବେ ମୁଖ୍ୟ ସଚିବ ଭାବେ ୧୯୮୯ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ପ୍ରଦୀପ କୁମାର ଜେନା କାର୍ଯ୍ୟ କରୁଛନ୍ତି। ଡିସେମ୍ବର ୩୧ ତାରିଖରେ ନିୟମିତ ସେବାରୁ ଅବସର ନେବା ପରେ ୬ ମାସ ଲାଗି ତାଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରିଥିଲେ ବିଜେଡି ସରକାର। ଏବେ ମେ’ ୩୦ ତାରିଖରେ ତାଙ୍କର ସମ୍ପ୍ରସାରିତ ନିଯୁକ୍ତି ସମୟ ଶେଷ ହେଉଛି। ଏଣୁ ଓଡ଼ିଆ ଅସ୍ମିତା ଓ ସଂସ୍କୃତି ଓ ଭାଷା କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାର ଜଣେ ଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତ କରିପାରନ୍ତି। ଯେହେତୁ ମୁଖ୍ୟ ସଚିବ ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଖାସ୍‍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। 


ଏବେ ରାଜ୍ୟରେ ଉନ୍ନୟନ କମିଶନର ଭାବେ ଅନୁଗର୍ଗ କାର୍ଯ୍ୟ କରୁଛନ୍ତି। ତାଙ୍କୁ ପଦୋନ୍ନତି ପାଇବା ସମ୍ଭାବନା ଥିଲେ ମଧ୍ୟ ଅଣ ଓଡ଼ିଆ କାରଣରୁ ସେ ମୁଖ୍ୟ ସଚିବ ନ ହୋଇ ପାରନ୍ତି। ପୁଣି ସେହି ଅତିରିକ୍ତ ମୁଖ୍ୟ ସଚିବ ପଦରେ ସତ୍ୟବ୍ରତ ସାହୁ, ଦେଓରଞ୍ଜନ ସିଂହ ସୁରେନ୍ଦ୍ର କୁମାର ଓ ଜି ମାଥିବାଥନନ ଅଛନ୍ତି। ସରକାର ଏମାନଙ୍କ ଭିତରୁ କାହା ନାଁକୁ ବାଛି ପାରନ୍ତି କିମ୍ବା ବାହାରେ ଥିବା କୌଣସି ଅଧିକାରୀଙ୍କୁ ଓଡ଼ିଶା ଆଣି ମୁଖ୍ୟ ସଚିବ ପଦବୀରେ ଅଧିଷ୍ଠିତ କରିପାରନ୍ତି। 
ଅପରପକ୍ଷେ ରାଜ୍ୟରେ ସୁନୀଲ କୁମାର ବଂଶଲଙ୍କ ଅବସର ପରେ ସରକାର କାହାକୁ ପୂର୍ଣ୍ଣକାଳୀନ ଡିଜି ଭାବେ ନିଯୁକ୍ତ କରି ନାହାନ୍ତି। ୬ ମାସ ହେଲା ୧୯୯୦ ବ୍ୟାଚ୍‍ ଅରୁଣ କୁମାର ଷଡ଼ଙ୍ଗୀ କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତ ଅଛନ୍ତି। ନିର୍ବାଚନ ପରିଚାଳନାରେ ତାଙ୍କ ଦକ୍ଷତା ସହ ପୂର୍ବ ପ୍ରତିପାଦିତ ଦକ୍ଷତା ତାଙ୍କୁ ଅନେକ ସମୟରେ ଚର୍ଚ୍ଚିତ କରିଛି। ଏହିକ୍ରମରେ ଆସନ୍ତା ୨ ବର୍ଷ ପାଇଁ ଡିଜି ପୁଲିସ ନିଯୁକ୍ତ କରିବା ଲାଗି ସରକାର ୟୁପିଏସ୍‍ସି ପ୍ୟାନେଲ୍‍କୁ ମଧ୍ୟ ନାମ ସୁପାରିସ କରିପାରନ୍ତି।