ଭୁବନେଶ୍ଵର, ୨୦୨୪ ନିର୍ବାଚନ ଫଳା ଫଳ ରାଜ୍ୟରେ ସବୁ ଓଲଟ ପାଲଟ କରିଦେଇଛି। ଫଳା ଫଳ ସରକାର ବଦଳେଇ ଦେଇଛି। ଏହାରି ମଧ୍ୟରେ ବିଏସ୍‌କେଓ୍ବାଇ କାର୍ଡକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅନେକ ହସ୍ପିଟାଲରେ କାର୍ଡ କାମ କରୁ ନଥିବା ଅଭିଯୋଗ ଆସିବା ପରେ ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ଆଜି ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଆଜି ସେ ଏକ ଭିଡିଓ ଜାରି କରି ବିଏସ୍‌କେଓ୍ବାଇ ବିଷୟରେ ସ୍ପଷ୍ଟ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ, ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲ ଗୁଡ଼ିକ ଅବହେଳା କରିପାରିବେ ନାହିଁ, କି ଡିସ୍‌ଚାର୍ଜ କରିପାରିବେ ନାହିଁ।  ବିଏସ୍‌କେଓ୍ବାଇ କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ ନାହିଁ। ନୂଆ ନିଷ୍ପତ୍ତି ନ ଆସିବା ଯାଏ ଏହି ସେବା ବଳବତ୍ତର ରହିବ। କିଛି ଅସୁବିଧା ହେଲେ ହେଲ୍ପଲାଇନ୍‌ ନମ୍ବର ୧୦୪ରେ କଲ କରି ଜଣାଇ ପାରିବେ। କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଚାଲୁ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଚିକିତ୍ସା ସୁବିଧାକୁ ବନ୍ଦ କରାଯାଇନାହିଁ। ଘରୋଇ ହସ୍ପିଟାଲ ସହ ଚୁକ୍ତିନାମା ବଳବତ୍ତର ରହିଛି। ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ପଷ୍ଟୀକରଣ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ହସ୍ପିଟାଲମାନେ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି।


ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସହ ବାହାରେ ଥିବା ଦେଢ଼ କୋଟି ଓଡ଼ିଆଙ୍କ ପାଇଁ ମଧ୍ୟ ଏହି ଯୋଜନା ଲାଗୁ ହେବ। ବିଏସ୍‌କେୱାଇରେ ସୀମିତ ସୁବିଧା ରହିଛି ଓ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ। ଫଳାଫଳ ପ୍ରକାଶ ପାଇବା ପରେ ବିଏସକେୱାଇକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି। ରାଜ୍ୟର କିଛି ଘରୋଇ ହସ୍ପିଟାଲଗୁଡ଼ିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନ ଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଏହି ଆଳରେ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ହେଉଛି ଏକ ସାମାଜିକ ଓ ବୈଧାନିକ ଅପରାଧ ବୋଲି କହିଛନ୍ତି।


By-Debabrata