କଟକ: ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରେ ସିପାହି ଓ କନ‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନର ସମୟସୀମା ୨୦୨୪ ନଭେମ୍ବର ୧୫ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିପାହୀ ଓ କନଷ୍ଟେବଲ୍‌ ପଦ ପାଇଁ ଧାର୍ଯ୍ୟ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପ୍ରସଂଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶେଶ୍ବର ବିଶ୍ବାଳ, କାହ୍ନୁଚରଣ ଗୋଚ୍ଛାୟତ, ନୀଳମଣି ନାୟକ ଓ ଅନ୍ୟମାନଙ୍କ ତରଫରୁ ଦାୟର ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଅନ୍ୟ ୧୭ଟି ମାମଲା ସହିତ ଏହି ତିନି ମାମଲାର ନଭେମ୍ବର ୧୧ରେ ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୪, ସେପ୍ଟେମ୍ବର୍‌ ୨୨ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ଓଏସ୍‌ପି/ଆଇଆର୍‌/ଏସ୍‌ଆଇଆର୍‌/ଏସ୍‌ଏସ୍‌ ବାଟାଲିୟନ୍‌ରେ ସିପାହି/କନଷ୍ଟେବଲ୍‌ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ପଦବି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୩ବର୍ଷ ଧାର୍ଯ୍ୟ କରାଯାଇଥିଲା। ନିଯୁକ୍ତି ବିଜ୍ଞପ୍ତିର ସର୍ବାଧିକ ବୟସ ସୀମା ସର୍ତ୍ତକୁ ଚାଲେଞ୍ଜ କରି ହାଇକୋର୍ଟରେ ଏହି ସବୁ ମାମଲା ଦାୟର ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ ଶେଷ ଥର ୨୦୧୮ରେ କନଷ୍ଟେବଲ୍‌ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୬ ବର୍ଷ ପରେ ପୁଣି ଏହି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୪ରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିବାରୁ ଆବେଦନକାରୀ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ କରାଯାଇ ୨୯ ବର୍ଷ ଧାର୍ଯ୍ୟ କରାଯାଉ।