Khordha news: ଖୋର୍ଦ୍ଧା ବ୍ଲକ ପୁଚୁସାହି ଗ୍ରାମରେ କାଉ ମଡକ ଦେଖାଯିବା ପରେ ଏହାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରାଣୀଧନ ବିଭାଗ। ଗତ କାଲି ସନ୍ଧ୍ୟାରେ ପୁବୁସାହିରେ ଗୋଟିଏ ଟିମ ପହଁଚି ଥିବାବେଳେ ଆଜି ପ୍ରାଣୀଧନ ବିଶେଷଜ୍ଞ ଟିମ୍ ଗାଁରେ ପହଁଚି ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହି ଟିମ ବଜାର ଅଞ୍ଚଳରୁ ଆଜି ପୁଣି ଦୁଇଟି ମଲାକାଉ ଜବତ କରିଥିବା ବେଳେ କାଉ ମରିଥିବା ସ୍ଥାନକୁ ବିଞ୍ଚି ପକାଇ ବିଶୋଧନ କରାଯାଇଛି । ପୁଚୁସାହି ସମେତ ଆଖପାଖ ଗାଁରୁ ଏହି ଟିମ୍ ପକ୍ଷୀଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଛି।


COMMERCIAL BREAK
SCROLL TO CONTINUE READING

 ସୂଚନା ଯୋଗ୍ୟ , ପୁଚୁସାହିରେ ଗତକାଲି ୨୫ରୁ ଉର୍ଦ୍ଧ୍ବ କାଉ ମରିବା ପରେ ଆଜି ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ଏକ ବିଶେଷଜ୍ଞ ଟିମ୍ ଏଡିଭିଓ ( DC ) ଡା. ଯଶୋବନ୍ତ ପ୍ରଧାନଙ୍କ ନେତୃତ୍ବରେ ବିଭାଗ ଉପନିର୍ଦ୍ଦେଶକ ଡା ମାନସ ଚାନ୍ଦ , ସ୍ଥାନୀୟ ଏଲ୍‌ଆଇ ଡ.ବିଜୟ କୁମାର ସାହୁ ପ୍ରମୁଖ ମୃତକାଉ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଗାଁ ଠାରୁ ୫କିମି ବ୍ୟାସାର୍ଦ୍ଧ ଭିତରେ ଥିବା ବିଭିନ୍ନ ଫାର୍ମ , ଘରୋଇ ଚାଷୀ ଓ ବିଭିନ୍ନ ମାଂସ ଦୋକାନରୁ କୁକୁଡା ଓ ପକ୍ଷୀଙ୍କ ନମୂନା ସଂଗ୍ରହ କରିଥିଲେ। ତେବେ ସୂଚନା ଅନୁଯାୟୀ ପୁଚୁସାହି ଗାଁ ସମେତ ଓଳସିଂହ , ତରତୁଆ ପ୍ରଭୃତି ଗ୍ରାମରୁ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଛି । ତେବେ ୧୦ଟି ପକ୍ଷୀଙ୍କ ରକ୍ତ ନମୁନା , ୧୦ଟି ପକ୍ଷୀଙ୍କର ସ୍ଵାବ ଏବଂ ଆଜି ଜବତ ହୋଇଥିବା ୨ଟି ମଲାକାଉକୁ କଟକ ଫୁଲନଖରା ସ୍ଥିତ ପ୍ରାଣୀରୋଗ ଗବେଷଣା କେନ୍ଦ୍ରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ କାଉ ମଡକର କାରଣ ସ୍ପଷ୍ଟ ହେବ।


Also Read: Odisha News: ବଦଳିଲା ନିୟମ, ଏହି ସ୍ଥାନକୁ ବୁଲିବାକୁ ଗଲେ ଦେବାକୁ ପଡ଼ିବ ପାର୍କିଂ ଫି..


ଅନ୍ୟ ପକ୍ଷରେ ପୁଚୁସାହି ଅଞ୍ଚଳରେ ମୃତପକ୍ଷୀ ପଡ଼ିଥିବା ସ୍ଥାନ ଗୁଡିକୁ ବ୍ରିଚିଂ ଆଦି ପକାଯାଇ ବିଶୋଧନ କରାଯାଇଛି । ଗତ ଲଘୁଚାପ ବର୍ଷା ଛାଡିବା ପରେ ଶୀତର ଗଭୀରତା ଅନୁଭୁତ ହେଉଥିବାରୁ କାଉମାନଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପ୍ରାଣୀଧନ ବିଭାଗ ପ୍ରାଥମିକ ପର୍ଯ୍ୟାୟରେ ଅନୁମାନ କରୁଛି । ତେବେ ପୁଚୁସାହି ଓ ନିକଟସ୍ଥ ଅଞ୍ଚଳରେ ଥିବା କୁକୁଡା ଏବଂ ବତକ ସମେତ ଗୃହପାଳିତ ପକ୍ଷୀମାନଙ୍କଠାରେ ବର୍ତ୍ତମାନ ସୁଦ୍ଧା ବାର୍ଡ ଭଳି କୌଣସି ଲକ୍ଷଣ ଦେଖାଯାଇନଥିବା ପ୍ରାଣୀଧନ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ପୁଚୁସାହି ଗ୍ରାମରେ ଆଜିକୁ ୩/୪ଦିନ କାଉ ମଡକ ଦେଖିବାକୁ ମିଳୁଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ କେହି ଗୁରୁତ୍ବ ଦେଇ ନଥିଲେ । ମାତ୍ର ବଜାର ଅଞ୍ଚଳର ବିଭିନ୍ନ ରାସ୍ତାରେ ପ୍ରାୟ ୯ଟି ମୃତ କାଉ ପଡ଼ିଥିବାବେଳେ ଶନିମନ୍ଦିର ନିକଟରେ ୩ଟି , ଗାଁ ମୁଣ୍ଡ ଚଣ୍ଡିମନ୍ଦିର ନିକଟରେ ୩ଟି ଏହିଭଳି ଗାଁର ବିଭିନ୍ନ ସ୍ଥାନରେ ୨୫ରୁ ଉର୍ଦ୍ଧ୍ବ କାଉ ମରି ପଡ଼ିଥିବା ଗତ କାଲି ସ୍ଥାନୀୟ ଲୋକେ ଦେଖୁଥିଲେ। ଯାହାକି ଚିନ୍ତା ସୃଷ୍ଟି କରିଛି।