Dengue Cases: ଡେଙ୍ଗୁକୁ ନେଇ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ୱର(Bhubaneswar)। ଏବେ ଡେଙ୍ଗୁ ହଟ୍‌‌ସ୍ପଟ ପାଲଟିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର। କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବଢ଼ି ବଢ଼ି ଚାଲିଛି। ଏତେ ସତର୍କ ଓ ସାବଧାନତା ସତ୍ତ୍ୱେ ବି ୧ ହଜାର ଟପିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କାଲି ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୮ରେ ପହଞ୍ଚିଥିବା ଜଣା ପଡ଼ିଛି। ପୁରା ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ(Dengue) ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଶହ ପାର୍‌‌ କରିଥିବା ବେଳେ ଅଧାରୁ ଅଧିକ ଆକ୍ରାନ୍ତ କେବଳ ରାଜଧାନୀରୁ ଥିବା ରିପୋର୍ଟ କହୁଛି।


COMMERCIAL BREAK
SCROLL TO CONTINUE READING

ସେପଟେ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ଡାକ୍ତରଖାନାରେ ବେଡ୍ କମ୍ ପଡ଼ୁଥିବା ଦେଖିବାକୁ ମିଳିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ(Capital Hospital) ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ଦେଖା ଦେଇଛି। ଡେଙ୍ଗୁ ୱାର୍ଡରେ ବେଡ୍ କମ୍ ପଡ଼ିବାରୁ ଡାକ୍ତରଖାନା ବାରଣ୍ଡାରେ ଶୋଇ ରହିଛନ୍ତି ରୋଗୀ। ନିକଟରେ ଜଣେ ଗର୍ଭବତୀ ମହିଳା ଏହି ଡାକ୍ତରଖାନାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି।


ଡେଙ୍ଗୁ ଜନିତ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଡେଙ୍ଗୁ ଅଡିଟ୍‌ ହେବାକୁ ଯାଉଛି। ଯେଉଁ ସବୁ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଏଯାଏଁ , ସେ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। କେଉଁ କାରଣରୁ ମୃତ୍ୟୁ ହୋଇଛି, ପ୍ରକୃତରେ ଡେଙ୍ଗୁ ସଂକ୍ରାମଣରେ କେତେ ରୋଗୀଙ୍କର ମୃତ୍ୟୁ ହୋଇଛି ଏବେ ତାହାର ତଦନ୍ତ ହେବାକୁ ଯାଉଛି। ମୃତ୍ୟୁକୁ ନେଇ ଯେଉଁସବୁ ଅଭିଯୋଗ ରହିଛି, ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି। 


ଭୁବନେଶ୍ୱରରେ ବଢ଼଼ୁଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଲୋକେ ସିଧାସଳଖ ବିଏମ୍‌‌ସିକୁ ଦାୟୀ କରୁଥିବା ଦେଖିବାକୁ ମିଳିଛି। କାରଣ ଅଧିକାଂଶ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଖରାପ ହେବା ସହିତ ବହୁ ଅଞ୍ଚଳରେ ନାଳ ନର୍ଦ୍ଦମାକୁ ସଫା କରା ନଯିବା ବା ମଶା ତେଲ ପଡ଼ୁ ନଥିବା ଅଭିଯୋଗ ହୋଇଛି। ସେହିପରି ମଶା ଧୂଆଁ ମଧ୍ୟ ସବୁ ଆଡ଼େ ଦିଆଯାଉ ନ ଥିବାରୁ ମଶାଙ୍କ ପ୍ରାଦୁର୍ଭାବ କମିବା ବଦଳରେ ବଢ଼଼ି ବଢ଼ି ଚାଲିଛି।


ସହରରେ ଡେଙ୍ଗୁ ମୁକାବିଲା ପାଇଁ ଭୁବନେଶ୍ବରରର କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-ସିଏଚ୍‌ସିରେ ଡେଙ୍ଗୁ ୱାର୍ଡ ଖୋଲିବା ନେଇ ବ୍ୟବସ୍ଥା କରାଯାଇଛି। କ୍ୟାପିଟାଲ୍ ହସ୍‌ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଡେଙ୍ଗୁ ପରୀକ୍ଷା ପାଇଁ ଡାକ୍ତରଖାନାରେ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବ ।ହସପିଟାଲକୁ ଦୈନିକ ପ୍ରାୟ ୫୦୦ ଲୋକ ଡେଙ୍ଗୁ ଟେଷ୍ଟ ପାଇଁ ଆସୁଥିବା ବେଳେ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି।


Also read: Music Director Odisha: ଆଗେ ନିଶା ପରେ ପେସା; ଜାଣନ୍ତୁ କିଏ ଏହି ସଙ୍ଗୀତଜ୍ଞ
Odisha News: ଜିଲ୍ଲାପାଳଙ୍କ ପ୍ରଚଣ୍ଡ ପ୍ରତିଜ୍ଞା, ଜିଲ୍ଲାରେ ଘରେ ଘରେ ପହଞ୍ଚାଇବେ ପାନୀୟ ଜଳ