ରତ୍ନ ଭଣ୍ଡାର ପ୍ରସଙ୍ଗ: କାହିଁକି ହଠାତ୍ ଆସିଲା ଏଏସ୍ଆଇ ବୟାନ, ବଡ଼ କ୍ଷମତା ଅଭିସନ୍ଧିରେ ଏଏସ୍ଆଇ ଛୋଟିଆ ଅସ୍ତ୍ର ସାଜିଲା କି?
Ratna Bhandar: ଯେତେବେଳେ ରତ୍ନ ଭଣ୍ଡାସ ଖୋଲିବା ପ୍ରସଙ୍ଗ ସହ ଜଡ଼ିତ ଜଷ୍ଟିସ ରଘୁବୀର ଦାସଙ୍କ କମିଟି ରିପୋର୍ଟ ଉପସ୍ଥାପନ ହୋଇ ନାହିଁ, କି ଜଷ୍ଟିସ ପଶାୟତ କିଛି ପରାମର୍ଶ ଦେଇ ନାହାନ୍ତି, ସର୍ବୋପରି ଶ୍ରୀମନ୍ଦିର ପରିଚାଳନା କମିଟି କୌଣସି ନିଷ୍ପତ୍ତି ନେଇ ନାହାନ୍ତି, ସେତେବଳେ ଏଏସ୍ଆଇର ବୟାନ ଅନେକ ପ୍ରଶ୍ନ ବୟାନ କରିବା ନିଶ୍ଚିତ।
Ratna Bhandar: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ହିଁ ନିଷ୍ପତ୍ତି ନେବ। ଏ ନେଇ ହାଇକୋର୍ଟ ସେପ୍ଟମ୍ବର ୨୦, ୨୦୨୩ ତାରିଖରେ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ପୁଣି ଏହି ରୟ ଅନୁସାରେ ସୁପ୍ରିମ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିର ବୈଠକ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତକାଲି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଏକ ବୈଠକ ଖୁବ୍ ଶୀଘ୍ର ହେବ ବୋଲି କୁହାଯାଇଛି। କିନ୍ତୁ ଜଣେ ଏଏସ୍ଆଇ ଅଧିକାରୀ ଗଣମାଧ୍ୟମକୁ ରତ୍ନ ଭଣ୍ଡାର ରଥଯାତ୍ରା ପରଦିନ ଖୋଲାଯିବ ବୋଲି କହିବା ପରେ ଏବେ ଚର୍ଚ୍ଚା ଓ ଆଲୋଚନା ହଠାତ୍ ଗଣମାଧ୍ୟମକୁ ମଣ୍ଡିତ କରିଛି।
ପ୍ରଶ୍ନ ଉଠୁଛି ଯେତେବେଳେ ରତ୍ନ ଭଣ୍ଡାସ ଖୋଲିବା ପ୍ରସଙ୍ଗ ସହ ଜଡ଼ିତ ଜଷ୍ଟିସ ରଘୁବୀର ଦାସଙ୍କ କମିଟି ରିପୋର୍ଟ ଉପସ୍ଥାପନ ହୋଇ ନାହିଁ, କି ଜଷ୍ଟିସ ପଶାୟତ କିଛି ପରାମର୍ଶ ଦେଇ ନାହାନ୍ତି, ସର୍ବୋପରି ଶ୍ରୀମନ୍ଦିର ପରିଚାଳନା କମିଟି କୌଣସି ନିଷ୍ପତ୍ତି ନେଇ ନାହାନ୍ତି, ସେତେବଳେ ଏଏସ୍ଆଇର ବୟାନ ଅନେକ ପ୍ରଶ୍ନ ବୟାନ କରିବା ନିଶ୍ଚିତ।
ଏଥିରେ ଦୁଇଟି କଥା ସାମ୍ନାକୁ ଆସୁଛି, ପ୍ରଥମଟି ହେଲା ଯେଉଁ ରତ୍ନ ଭଣ୍ଡାରକୁ ନେଇ ପୂର୍ବତନ ବିଜେଡି ସରକାର ନିନ୍ଦିତ ହୋଇଥିଲେ, ସେହି ନିନ୍ଦାକୁ ନୂଆ ସରକାର ଉପରେ ଲଦିବାକୁ ଉଦ୍ୟମ ହେଉଥାଇପାରେ।
ଦ୍ୱିତୀୟରେ ଯେଉଁ ଅମଲାତନ୍ତ୍ର ସେତେବଳେ କାର୍ଯ୍ୟ କରୁଥିଲା, ଏବେ ସେହି ଅମଲାତନ୍ତ୍ର ରାଜ୍ୟର ନୂଆ ସରକାରଙ୍କ ଉପରେ ସମାନ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରୁଥାଇପାରେ। ଆଉ ସେହି ବଡ଼ କ୍ଷମତା ଯୁଦ୍ଧରେ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଜଣେ କ୍ଷୁଦ୍ର ଅସ୍ତ୍ର ହୋଇପାରନ୍ତି।
ରତ୍ନ ଭଣ୍ଡାରକୁ ନେଇ ଚାଲିଥିବା ବୟାନ ବାଜୀ, ରାଜନୀତିକୁ ନେଇ ଆସନ୍ତୁ ନଜର ପକାଇବା କିଛି ପ୍ରମୁଖ ବିନ୍ଦୁ ଉପରେ:
1.ପ୍ରତ୍ନତାତ୍ତ୍ୱିକ ଅଧିକାରୀ ଡିବି ଗଡ଼ ନାୟକଙ୍କ ଉପରେ ରାଜ୍ୟ ଆଇନ ମନ୍ତ୍ରୀ ଖପ୍ପା ହେବା। ଏ ଘଟଣା ଗତକାଲି ଘଟିଛି, ଯାହାକୁ ନେଇ ରତ୍ନଭଣ୍ଡାର ପ୍ରସଙ୍ଗ ପୁଣିଥରେ ଉଜ୍ଜୀବୀତ ହୋଇଛି। ଏଏସ୍ଆଇ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା। ସେମାନେ ସିଧାସଳଖ ଗଣମାଧ୍ୟମକୁ ଭେଟିବା ଅଭପେକ୍ଷା ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିଜ ପ୍ରସ୍ତୁତି ବିଷୟ ଅବଗତ କରିପାରିଥାଆନ୍ତେ। କିନ୍ତୁ ତାହା ନହୋଇ ସିଧାସଳଖ ରତ୍ନ ଭଣ୍ଡାର ଖୋଲିବା ନେଇ ତାରିଖ ନିର୍ଦ୍ଧାରଣ କରିଛନ୍ତି।
2.ଜୁଲାଇ ୮ରେ ଖୋଲିବା ନେଇ ଚର୍ଚ୍ଚା ହେବାପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରତ୍ନ ଭଣ୍ଡାର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନାହିଁ । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ । ଏଏସ୍ଆଇର ବିଶୃଙ୍ଖଳିତ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
3.୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର ଗଣତି ଓ ମଣତି କରାଯାଇଥିଲା । ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିରର ସଂସ୍କାର ଲାଗି ଏକ କମିଟି ଗଠନ କରାଯାଇଥିଲା ଏବଂ ଏହି କମିଟି ସେ ସମୟରେ ଯେଉଁ ରିପୋର୍ଟ ଦେଇଥିଲେ ତାହା ଏଯାବତ୍ ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇନାହିଁ ।
4.ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମେ’ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ଏବେବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ଉକ୍ତ ତଥ୍ୟ ମୁତାବକ ୧୨,୮୩୧ ଭରି ୧ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସୁମାରି କରାଯାଇଥିବାବେଳେ ୨୨,୧୫୩ ଭଳି ଓଜନର ମୂଲ୍ୟବାନ ପଥର ସହିତ ରୁପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଗଣତି କରାଯାଇଥିଲା । ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସ୍ୱର୍ଣ୍ଣ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା ।
5.ସେହିପରି ମୂଲ୍ୟବାନ ପଥର ସହିତ ରୁପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡ଼ିଥିଲା । ସରକାରୀ ତଥ୍ୟ ମୁତାବକ ସେତେବେଳେ ଆଉ ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାର ପରିମାଣ ଉପରୋକ୍ତ ସୁନା ଓ ରୂପା ସାମଗ୍ରୀରେ ଅନ୍ତର୍ଭୁକ୍ତ ହୋଇପାରିନଥିଲା ।
6.ଶ୍ରୀମନ୍ଦିରର ତିନିଟି ରତ୍ନଭଣ୍ଡାର ରହିଛି । ଶ୍ରୀଜିଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ଆଦି ଲାଗି ଯେଉଁ ସୁନା, ରୁପା ଓ ଅନ୍ୟ ସାମଗ୍ରୀ ବ୍ୟବହାର କରାଯାଇ ସେ ସବୁକୁ ଚଳନ୍ତି ରତ୍ନଭଣ୍ଡାରରେ ରହିଥାଏ ଏବଂ ଏଠାରେ କାରବାର ପ୍ରାୟ ପ୍ରତିଦିନ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସେବକମାନେ କରିଥାନ୍ତି । ସେହିଭଳି ରଥଯାତ୍ରା, ସୁନାବେଶ ଆଦି ବିଭିନ୍ନ ପର୍ବ ପର୍ବାଣିରେ ଯେଉଁସବୁ ସାମଗ୍ରୀ ବ୍ୟବହୃତ ହୁଏ ତାହା ବାହାର ରତ୍ନଭଣ୍ଡାରରେ ସୁରକ୍ଷିତଭାବେ ରଖାଯାଇଥାଏ । ତେବେ ଅନ୍ୟ ସୁନା ରୁପା ସହ ମୂଲ୍ୟବାନ ପଥର ସାମଗ୍ରୀଗୁଡିକ ଭିତର ରତ୍ନଭଣ୍ଡାରରେ ରଖାଯାଇଥାଏ ।
7.ଶ୍ରୀମନ୍ଦିର ଆଇନ ଅନୁଯାୟୀ ନିର୍ଦ୍ଧାରିତ ପନ୍ଥାରେ ରତ୍ନଭଣ୍ଡାରର ସମ୍ପତ୍ତି ସବୁର ଗଣତି, ମଣତି ଓ ରକ୍ଷଣା ବେକ୍ଷଣ ହେବାକଥା । ତେବେ ବିଭିନ୍ନ କାରଣରୁ ୪୬ ବର୍ଷ ଧରି ଭିତର ରତ୍ନଭଣ୍ଡାରର ସାମଗ୍ରୀର ଆଉ ହିସାବ ନିକାଶ ହୋଇପାରିନାହିଁ । ଭିତର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଏକଦା ଉଦ୍ୟମ ହୋଇଥିଲେ ମଧ୍ୟ ଚାବି ହଜିଯିବା ଘଟଣା ଯୋଗୁଁ ଭିତରକୁ କେହି ଯାଇପାରିନଥିଲେ । ଏ ପ୍ରସଙ୍ଗରେ ରାଜ୍ୟ ସରକାର ମଧ୍ୟ ଏକ କମିଶନ ବସାଇଥିଲେ । ଏବେ ସୁପ୍ରିମ୍କୋର୍ଟର ଅସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ରତ୍ନଭଣ୍ଡାର ସାମଗ୍ରୀ ଗଣତି ଲାଗି ଏକ କମିଟି ଗଠନ କରିଥିଲେ। ସେ କମିଟି ରିପୋର୍ଟ ଏଯାଏ ଆସି ନାହିଁ।
8.୨୦୧୮ ମସିହାରେ ବାହାର ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ସମୟରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଭିତର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଦାବି ହୋଇଥିଲା। ଏହି ଦାବି ଅନୁସାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ରତ୍ନଭଣ୍ଡାର ଖୋଲିବା ଲାଗି ଯାଇଥିଲେ ମଧ୍ୟ ଚାବି ମିଳି ନଥିଲା। ଏଣୁ କମିଟି ରତ୍ନଭଣ୍ଡାର ଯାଞ୍ଚ ନକରି ଫେରି ଆସିଥିଲେ। ଏହା ସରକାରଙ୍କ ଉଦ୍ଦେଶ୍ୟ ଉପରେ ଅନେକ ପ୍ରଶ୍ନ ଉଠାଇଥିଲା।
9. ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଏକ ଡୁପ୍ଲିକେଟ୍ ଚାବି ମିଳିଥିବା କହିଥିଲେ। ଏଣୁ ଅରିଜିନାଲ ଚାବି କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ପ୍ରଶ୍ନକୁ ସମାଧାନ କରିବା ପାଇଁ ଜୁନ ମାସରେ ଜଷ୍ଟିସ ରଘୁବୀର ଦାସଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ସେ ନଭେମ୍ବରରେ ନିଜ ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ତାହାକୁ ସାର୍ବଜନୀନ କରାଯାଇ ନଥିଲା। ଯାହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା।
10. ନିକଟରେ ଶେଷ ହୋଇଥିବା ନିର୍ବାଚନରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ସାଧାରଣ ଜନତାଙ୍କୁ ସରକାର ବିରୋଧୀ କରିଥିଲା। ବିଜେପିର ରାଷ୍ଟ୍ରୀୟ ନେତା ତଥା ରାଜ୍ୟ ନେତାମାନେ ରତ୍ନଭଣ୍ଡାର ଖୋଲିବାକୁ ନିଜର ନିର୍ବାଚନୀ ପ୍ରତିଶୃତିରେ ରଖିଥିଲେ।