Odisha News: କେବେ ଥିଲେ ବିଧାୟକ ଏବେ ବିଶ୍ୱବିଦ୍ୟାଳୟର ଜଣେ...
Odisha News: ଦିନେ ସେ ବିଧାୟକ ଥିଲେ। ବାପା ଓ ମା’ଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ରାସ୍ତାରେ ଜନସେବା ପାଇଁ ପାଦ ଥାପିଥିଲେ। ତାଙ୍କ ପାଖରେ ୩୩ କୋଟିରୁ ଅଧିକ ସମ୍ପତ୍ତିର ମାଲିକାନା ବି ରହିଛି। କିନ୍ତୁ ନିର୍ବାଚନରେ ହାରିବା ପରେ ସେ ହୋଇଛନ୍ତି ଜଣେ ବିଶ୍ୱବିଦ୍ୟାଳୟ କର୍ମଚାରୀ। ପୁଣି ଜଣେ ପୂର୍ବତନ ସାଂସଦଙ୍କ ଛତ୍ରଛାୟାରେ।
Odisha News:(ଭୁବନେଶ୍ୱର): ଦିନେ ସେ ବିଧାୟକ ଥିଲେ। ବାପା ଓ ମା’ଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ରାସ୍ତାରେ ଜନସେବା ପାଇଁ ପାଦ ଥାପିଥିଲେ। ତାଙ୍କ ପାଖରେ ୩୩ କୋଟିରୁ ଅଧିକ ସମ୍ପତ୍ତିର ମାଲିକାନା ବି ରହିଛି। କିନ୍ତୁ ନିର୍ବାଚନରେ ହାରିବା ପରେ ସେ ହୋଇଛନ୍ତି ଜଣେ ବିଶ୍ୱବିଦ୍ୟାଳୟ କର୍ମଚାରୀ। ପୁଣି ଜଣେ ପୂର୍ବତନ ସାଂସଦଙ୍କ ଛତ୍ରଛାୟାରେ।
ସେ କିଏ? ଏ ପ୍ରଶ୍ନ ଉଠିବା ସ୍ୱଭାବିକ। ଭାରତର ରାଜନୀତିକ ଇତିହାସରେ ଜଣେ ବିଧାୟକ ନିର୍ବାଚନରେ ହାରିବା ପରେ ଚାକିରିକୁ ଫେରିବା ଘଟଣା ବିରଳ। ଆଉ ସେ ହେଉଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ତାଙ୍କ ବାପା ୨ ଥର ଖଣ୍ଡପଡ଼ା ଆସନରୁ ବିଜୟ ହୋଇଛନ୍ତି ଆଉ ମା’ ବିଜୟଲକ୍ଷ୍ମୀ ପଟ୍ଟନାୟକ ଥରେ ଖଣ୍ଡପଡ଼ା ଆସନରୁ ବିଧାୟକା ରହିଛନ୍ତି। ଅନୁଭବ ବିଧାୟକ ଥିବା ସମୟରେ ନିଜର ଅନୁଭୂତିକୁ ସନ୍ତୋଷଜନକ ବୋଲି କହିଛନ୍ତି।
ଏକ କର୍ପୋରେଟ୍ ସଂସ୍ଥାରେ ୨୫ ଲକ୍ଷ ଟଙ୍କାର ବାର୍ଷିକ ପ୍ୟାକେଜ୍ ଦରମା ପାଉଥିବା ଚାକିରି ଛାଡ଼ି ଅନୁଭବ ୨୦୧୪ ମସିହାରେ ବିଜୁ ଜନତା ଦଳ ଟିକଟରେ ଖଣ୍ଡପଡ଼ାରୁ ନିର୍ବାଚିତ ହୋଇଥିଲେ। ବିକଶିତ ଖଣ୍ଡପଡ଼ା ଗଠନ ପାଇଁ ତାଙ୍କ ବାପାଙ୍କ ଲକ୍ଷ୍ୟକୁ ପୂରଣ କରିବାକୁ ସେ ନିଜପାଇଁ ଆହ୍ୱାନ ଦେଇଥିଲେ। ସେତେବଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଥିଲେ ତାଙ୍କ ବିପକ୍ଷରେ ପ୍ରାର୍ଥୀ। ହେଲେ ୨୦୧୯ ନିର୍ବାଚନରେ ସେହି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଟିକଟ ଦେଇ ଅନୁଭବଙ୍କୁ ଦଳୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା। ୨୦୨୪ ମସିହା ନିର୍ବାଚନ ପୂର୍ବରୁ ସୌମ୍ୟଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ ଅନୁଭବ। ଏହାଦ୍ୱାରା ସେ ଚର୍ଚ୍ଚିତ ହୋଇଥିଲେ। ସମସ୍ତେ ଭାବୁଥିଲେ ୨୦୨୪ରେ ଅନୁଭବ ଟିକଟ ପାଇବେ। କିନ୍ତୁ ବିଜେଡି ତାଙ୍କୁ ଟିକଟ ଦେଇ ନଥିଲା। ଏହାପରେ ସୌମ୍ୟଙ୍କ ଅଫିସରେ ଅନୁଭବଙ୍କୁ ଏକାଠି ବସିଥିବା ଦେଖିବାକୁ ମିଳିଥିଲା। ଏପରିକି ଅନୁଭବ, ସୌମ୍ୟଙ୍କ ବିରୁଦ୍ଧରେ କହିଥିବା କଥା ବିଜେଡିର ନିଷ୍ପତ୍ତି ଥିଲା ଏବଂ ସେତେବେଳେ ପରିଚାଳନା କରୁଥିବା ନେତୃତ୍ୱଙ୍କଠାରୁ ତାହା କହିବାକୁ ଆଦେଶ ପାଇଥିଲେ ବୋଲି ସେ କହିଛନ୍ତି।
ତେବେ ପ୍ରଶ୍ନ ହେଉଛି, ନେତାଗିରି ପ୍ରତି ଅନେକ ସମୟରେ ଚାକିରିଆ ଆକର୍ଷିତ ହୋଇଥାଆନ୍ତି। ଏଥିଲାଗି ଚାକିରିରୁ ଇସ୍ତଫା ଦେଇ ରାଜନୀତିକ ଦଳରେ ଯୋଗ ଦିଅନ୍ତି ହେଲେ ଅନୁଭବ ପୁଣିଥରେ ଚାକିରି କରିବାକୁ କାହିଁକି ପସନ୍ଦ କଲେ?
ଅନୁଭବ କହିଛନ୍ତି, ଏଇଟା ସମଗ୍ର ଭାରତ ବର୍ଷର ରାଜନୀତିରେ ବୋଧହୁଏ ପ୍ରଥମ ଘଟଣା ହୋଇଥିବ। କନ୍ତୁ ମୁଁ ରାଜନୀତିରେ ଦଲାଲି କରିବାକୁ ଚାହେଁ ନାହିଁ। ପୁଣି ଏବେ ରାଜନୀତି କଳୁଷିତ ହୋଇଯାଇଛି। ମୋ ବାପା, ମା’ ଯେଉଁ ପଥରେ ରାଜନୀତି କରୁଥିଲେ ତାହା ନାହିଁ। ଏବେ ରାଜନୀତି କରିବାକୁ ହେଲେ ୫୦ /୧୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ମୋ ପାଖରେ ଏତେ ସମ୍ପତ୍ତି ନାହିଁ, କି ମୁଁ ସେହିଭଳି କାମ କରିବାକୁ ଚାହୁଁ ନାହିଁ। ପୁଣି ଏବେ ରାଜନୀତିରେ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ନାହିଁ। ଲୋକଙ୍କ ସେବା ପାଇଁ ମୁଁ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରାୟୋଜିତ କିଟ୍ ବିଶ୍ୱବିଦ୍ୟାଳୟକୁ ବିକଳ୍ପ ଭାବେ ବାଛିଛି। କିନ୍ତୁ ସମୟ ଆସିଲେ ରାଜନୀତିକୁ ଫେରିବି ବୋଲି କହିଛନ୍ତି ଅନୁଭବ।
ଏଠାରେ ସୂଚନା ଦିଆଯାଇପାରେ, ଅନୁଭବ କିଟ୍ ବିଶ୍ୱବିଦ୍ୟାଳୟର ସିଏସ୍ଆର୍ ନିର୍ଦ୍ଦେଶକ ଭାବେ ଯୋଗ ଗତ ଏକମାସ ହେଲା ଦେଇଛନ୍ତି। ଆଉ ଏହି ବିଶ୍ୱବିଦ୍ୟାଳୟରେ ସରକାରୀ ଚାକିରିରୁ ଅବସର ନେଉଥିବା ବା ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଉଥିବା ଅନେକ ଆଇଏଏସ୍ , ଆଇପିଏସ୍ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବଡ଼ ପଦବୀ ସହ ସେମାନେ ଅନେକ ସୁବିଧା ବି ଉପଭୋଗ କରୁଛନ୍ତି। ହେଲେ କୌଣସି ପୂର୍ବତନ ବିଧାୟକ କେବେ ବିଶ୍ୱବିଦ୍ୟାଳୟର କର୍ମଚାରୀ ହୋଇ ନଥିଲେ। ଆଉ ଏହିକ୍ରମରେ ଅନୁଭବ ପ୍ରଥମ।
ପୂର୍ବତନ ସାଂସଦ ତଥା ଶିକ୍ଷା ବ୍ୟବସାୟୀ ଡ. ସାମନ୍ତ ବିଜେଡି ଟିକଟରେ କନ୍ଧମାନ ଲୋକସଭା ଆସନରୁ ହାରିବା ପରେ ରାଜନୀତିରୁ ସନ୍ୟାସ ନେଇଥିବା କହିଛନ୍ତି। କିନ୍ତୁ ସେ ଯେ ଆଉ କେବେ ରାଜନୀତିକୁ ଫେରିବେ ନାହିଁ ବୋଲି କେବେ କହି ନାହାନ୍ତି।
ନିକଟରେ ନିର୍ବାଚନ ଆୟୁକ୍ତଙ୍କ ପାଖରେ ଦାଖଲ କରିଥିବା ସମ୍ପତ୍ତି ତାଲିକାରେ ଅନୁଭବ ନିଜ ପାଖରେ ୩୩ କୋଟି ଟଙ୍କାର ସମ୍ପତ୍ତି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ହେଲେ ଏସବୁ ରାଜନୀତିରେ ନୁହେଁ ସେ ଚାକିରି ବେଳେ ଅର୍ଜନ କରିଥିବା କହିଛନ୍ତି।
ପୂର୍ବରୁ ଅନୁଭବ, ବିଜେଡିର ୬ ଜଣ ମୁଖ୍ୟ ଚେହେରାଙ୍କୁ ବିଜେଡି ରାଜନୀତିରେ ରଣନୀତି ପରିବର୍ତ୍ତନ ତଥା ତାଙ୍କୁ ଟିକଟ ନ ଦିଆଯିବା ପଛର କାରଣ ବୋଲି କହିଥିଲେ। ଏପରିକି ଏହି ୬ ଜଣଙ୍କ ଯୋଗୁ ବିଜେଡିର ପରାଜୟ ହୋଇଛି ବୋଲି କହିଥିଲେ। ଆଜି ବି ସେହି ଛଅଜଣ ବିଜେଡିର ରଣନୀତିକ ରାଜନୀତିରେ ସକ୍ରିୟ ରହିଛନ୍ତି ବୋଲି କହିଛନ୍ତି ଅନୁଭବ। ସେ କହିଛନ୍ତି, ‘ଭିକେ ପାଣ୍ଡିଆନ, ମାନସ ମଙ୍ଗରାଜ, ପ୍ରଣବ ପ୍ରକାଶ ଦାସ, ଆଶୀଷ ସିଂହ ଏବଂ ଡିଏସ୍ କୁଟ୍ଟେ ଆଜି ବି ବିଜେଡିକୁ ପରିଚାଳନା କରୁଛନ୍ତି’।