ଭୁବନେଶ୍ୱର: ଭତ୍ତା ପାଇବା ପାଇଁ ନକଲି ପ୍ରମାଣପତ୍ର ଦେଇଥିବା ଜଣାପଡ଼ିବା ପରେ ବାଲିକୁଦା ବ୍ଲକ ପ୍ରଶାସନକୁ ୧୩ ଜଣ ହିତାଧିକାରୀ ପାଇଥିବା ଭତ୍ତା ଫେରାଇ ଦେଇଛନ୍ତି। ଏହାସହ ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।  ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ସନ୍ଦେହ କରି ଡାଟା ଏଣ୍ଟ୍ରି ଅପରେଟର କାର୍ତ୍ତିକ ବିଶ୍ୱାଳ ଓ ଇଚ୍ଛାପୁର ପଞ୍ଚାୟତର ବଦଳି ସହ କାର୍ଯ୍ୟନିର୍ବାହୀ ଅଧିକାରୀ ସହଦେବ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଡିଓ ବିକାଶ କୁମାର ମହାନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ପଞ୍ଚାୟତର କିଛି ଅଯୋଗ୍ୟ ବ୍ୟକ୍ତି ସେମାନଙ୍କ ପାଇଁ ନକଲି ପ୍ରମାଣପତ୍ର ଯୋଗାଡ଼ କରି ଏପରି ଭତ୍ତା ଉଠାଉଥିବା ନେଇ ଦଳିତ ବିକାଶ ପରିଷଦ ନେତା ଶଙ୍କର ଦାସ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ ବି କରିଥିଲେ।   ଏହାପରେ ବାଲିକୁଦା ବିଡିଓ ବିକାଶ କୁମାର ମହାନ୍ତି ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରିଥିଲେ।


ଅନୁସନ୍ଧାନବେଳେ ଜଣାପଡ଼ିଥିଲା ଯେ ଶହ ଶହ ନକଲି ହିତାଧିକାରୀ ସରକାରଙ୍କଠାରୁ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ପାଇବା ପାଇଁ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କରିଥିଲେ। ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କରି ପେନସନ ନେଇଥିବା ୧୩ ଜଣ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏହି ବ୍ୟକ୍ତିମାନେ ବ୍ଲକ ପ୍ରଶାସନକୁ ଗତ ୩ ମାସର ପେନସନ୍ ଫେରସ୍ତ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।


ଇଚ୍ଛାପୁର ସରପଞ୍ଚ ରାଜଲକ୍ଷ୍ମୀ ପୁହାଣ କହିଛନ୍ତି, ବିଡିଓଙ୍କଦ୍ୱାରା ଗଠିତ ଟିମ୍ ଯାଞ୍ଚବେଳେ ୧୩ ଜଣ ନକଲି ହିତାଧିକାରୀ ଚିହ୍ନଟ ହୋଇଥିଲେ। ପଞ୍ଚାୟତର ପ୍ରାୟ ୧୧୦୦ ହିତାଧିକାରୀ ବିଭିନ୍ନ ଯୋଜନାରେ ପେନସନ୍ ପାଇଛନ୍ତି।  ସେପଟେ ଏହି ରାକେଟର ପର୍ଦ୍ଦାଫାସ ପାଇଁ ଜିଲ୍ଲାର ସମସ୍ତ ପଞ୍ଚାୟତରେ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ଶ୍ରୀ ଦାସ।