ଭୁବନେଶ୍ୱର: ବିଭିନ୍ନପ୍ରତିଷ୍ଠିତ କମ୍ପାନୀ ଓ ସରକାରୀ ଏଜେନ୍ସୀ ନାଁରେ ଜାଲ୍‍ କଲ ସେଣ୍ଟର ଖୋଲି ଲୋକଙ୍କୁ ଠକିବା ଅଭିଯୋଗରେ ୬ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୁଲିସ। ଏହା ସହ ସେମାନେ ବ୍ୟବହାର କରୁଥିବା ବୈଷୟିକ ଉପକରଣ ଏବଂ ଘରକୁ ଜବତ କରାଯାଇଛି। ସେମାନଙ୍କ ନାଁରେ ସାଇବର ଠକେଇ ଅଭିଯୋଗ ମାମଲା ରୁଜୁ କରାଯାଇ ପୁଲିସ ପଚରା ଉଚରା ଜାରି ରଖିଛି। 
ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ କହିବା ଅନୁସାରେ, ‘ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏକ ନକଲି କଲ୍‍ ସେଣ୍ଟର ଚାଲୁଥିବା ନେଇ ପୁଲିସକୁ ଖବର ଆସିଥିଲା। ପ୍ରାରମ୍ଭିକ ସୂଚନାକୁ ଆଧାର କରି ଏକ ପୁଲିସ ଟିମ ଆଜି ଏହି ଆପାର୍ଟମେଣ୍ଟର ସମ୍ପୃକ୍ତ ଫ୍ଲାଟରେ ଚଢ଼ଉ କରିଥିଲେ। ଏହି ସମୟରେ ଏଠାରେ ଥିବା ୬ ଜଣଙ୍କୁ  ଅଟକ ରଖାଯାଇଛି। ଏବେ ସେମାନଙ୍କୁ ପଚରାଉଚରା ଚାଲିଛି’। 
ମିଳିଥିବା ସୂଚନା ଅନୁସାରେ ଏ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ନିବାସୀ। ଏମାନେ ବଙ୍ଗଳା ଭାଷାରେ କଥାବାର୍ତ୍ତା କରୁଛନ୍ତି। ଏମାନେ ଗଲା କିଛି ମାସ ହେଲା ଏହି ଫ୍ଲାଟ୍‍ ଭଡ଼ା ନେଇ ସେଠାରେ  ଜାଲ୍‍ କଲ୍‍ ସେଣ୍ଟର ଚଳାଉଥିଲା। ସେମାନେ ବିଭିନ୍ନ କମ୍ପାନୀର ଗ୍ରାହକଙ୍କୁ ଜାଲ ଲିଙ୍କ୍ ଦେଉଥିଲେ। ଏହି ଲିଙ୍କ ବଳରେ ସେମାନେ ତାଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ ସହ ତାଙ୍କୁ ଅର୍ଥ ମାଗୁଥିଲେ। 
ଗତ କିଛିଦିନ ତଳେ ଭୁବନେଶ୍ୱରରୁ ଏକ ସିମ୍‍ ବକ୍ସ ଧରି ପଡ଼ିଥିଲା। ଯାହାବଳରେ ଏଠାରେ ବିଭିନ୍ନ ଦେଶ ବିଦେଶର ଲୋକଙ୍କୁ ଜାଲ କଲ କରାଯାଇ ଆବଶ୍ୟକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ଏପରି ଘଟଣା ବାରମ୍ବାର ଭୁବନେଶ୍ୱରରେ ବଢ଼ୁଥିବାରୁ ଏହା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ପୁଣି ପଡ଼ୋଶୀ ରାଜ୍ୟରୁ ଏପରି ଅପରାଧିକ ନେଟଓ୍ୱର୍କ ଏଠାରେ କାର୍ଯ୍ୟ କରିବା ମଧ୍ୟ ସହରରେ ଆଲଷାଚନାର ବିଷୟ ହୋଇଛି।