Gupteshwar Forest Biodiversity Heritage Site Status: (ନୀରଜ ଶତପଥୀ): କୋରାପୁଟ ଜିଲାରେ ଅବସ୍ଥିତ ରହିଛି ରାଜ୍ୟର ଏକ ପ୍ରମୁଖ ଶୈବାଳୟ ଗୁପ୍ତେଶ୍ୱର ମନ୍ଦିର। ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳ ନିକଟରେ ଥିବା ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟ ସ୍ଥଳ ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏପରି ଗୌରବ ପାଇବାରେ ଗୁପ୍ତେଶ୍ୱର ଜଙ୍ଗଲ ରାଜ୍ୟର ଚତୁର୍ଥ ବୋଲି ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟର ଦକ୍ଷିଣ ଭାଗରେ ଅବସ୍ଥିତ ପୂର୍ବ ଘାଟ ପର୍ବତମାଳା ଅଞ୍ଚଳରେ ରହିଛି ଗୁପ୍ତେଶ୍ୱର ଜଙ୍ଗଲ। ଯେଉଁଠି ବିଭିନ୍ନ କିସମର ଭିନ୍ନ ଭିନ୍ନ ଔଷଧୀୟ ଗଛ ରହିଛି। ଅନ୍ୟପକ୍ଷରେ ଏଠାକାର ପ୍ରାକୃତିକ ସୋନ୍ଦର୍ଯ୍ୟ ତଥା ପ୍ରସିଦ୍ଧ ଶୈବପୀଠ ଦେଶ ବିଦେଶରେ ପରିଚିତ। ପ୍ରାୟ ୩୫୦ ହେକ୍ଟର ପରିମିତ ଏହି ଅଞ୍ଚଳରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ୬ ଶହରୁ ଉର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀ ସମୂହ ରହିଥିବା ଜଣାପଡିଛି। ସେହିପରି ଏହି ଜଙ୍ଗଲରେ ପ୍ରାୟ ୧୮୨ ପ୍ରଜାତିର ଫୁଲଗଛ, ୭୬ ପ୍ରକାରର ଗୁଳ୍ମ, ୧୭୭ ପ୍ରକାରର ଚେରମୂଲି ସମେତ ବିଭିନ୍ନ ପ୍ରଜାତିର ଗଛ ଲତା ଏବଂ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ରହିଛି। 


ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବିକ ବିବିଧତା ଆଇନ ୨୦୦୨ ଅଧୀନରେ ଜୈବ ବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ମିଳିଥିଲା। ଏହା ପୂର୍ବରୁ ରାଜ୍ୟର ଗଜପତି ଜିଲାର ମହେନ୍ଦ୍ରଗିରି ପାର୍ବ୍ୟତାଞ୍ଚଳ, କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ଜଙ୍ଗଲ, ବରଗଡ଼ ଜିଲାର ଗନ୍ଧମାର୍ଦ୍ଧନ ପର୍ବତାଞ୍ଚଳକୁ ଜୈବ ବିବିଧତା ଐତିହ୍ୟ ସ୍ଥଳ ଭାବେ ଘୋଷଣା ହୋଇସାରିଛି। ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା କରାଯିବା ପରେ ଆଶା କରାଯାଉଛି ଯେ ଗୁପ୍ତେଶ୍ୱର ବନାଞ୍ଚଳରେ ରହିଥିବା ବିଭିନ୍ନ ବିଲୁପ୍ତ ପ୍ରଜାତିର ଔଷଧୀୟ ଗଛ, ଜୀବଜନ୍ତୁ ସମେତ ଦୁର୍ଲଭ ପଦାର୍ଥର ସଂରକ୍ଷଣ ହୋଇପାରିବ। ଏହା ସହିତ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଜୀବିକାରେ ପରିବର୍ତନ ଘଟି ଏହାର ମାନ ବଢ଼ିବ ବୋଲି ଆଶା କରାଯାଇଛି।