hermann kulke: ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିବସରେ ଯୋଗଦେବେ ଐତିହାସିକ ପଦ୍ମଶ୍ରୀ ହର୍ମାନ କୁଲକେ। ଜର୍ମାନୀର ବର୍ଲିନ ସହରରେ ଜନ୍ମ ଲାଭ କରିଥିବା ପ୍ରଫେସର କୁଲକେଙ୍କ ଭାରତୀୟ ଉପମହାଦେଶର ଭାଷା, ସଂସ୍କୃତି, ସାହିତ୍ୟ ଓ ଇତିହାସ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଅଗାଧ ପାଣ୍ଡିତ୍ୟ ରହିଛି। ଓଡିଶା ସହିତ ତାଙ୍କର ସମ୍ପର୍କ ମଧ୍ୟ ବେଶ ନିବିଡ଼। ରାଜ୍ୟର କଳା, ସଂସ୍କୃତି ପ୍ରତି ମଧ୍ୟ ତାଙ୍କର ରୁଚି ରହିଛି। ଓଡ଼ିଶାର ଇତିହାସକୁ ସେ ଅତି ନିକଟରୁ ଦେଖିଛନ୍ତି। ଏହାକୁ ନେଇ ଅନେକ ଗବେଷଣାତ୍ମକ ପ୍ରବନ୍ଧମାନ ଲେଖିଛନ୍ତି। ୧୯୭୦ ରୁ ୧୯୭୫ ମଧ୍ୟରେ ଓଡ଼ିଶା ଗବେଷଣା ପ୍ରକଳ୍ପର ପ୍ରତିଷ୍ଠାତା ସଦସ୍ୟ ରହିବା ସହିତ ସଂଯୋଜକ ଭାବେ ସୂଚାରୁ ରୁପେ କାର୍ଯ୍ୟ ତୁଲାଇ ସାରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୯୭୮ ରୁ ୧୯୭୯ ମଧ୍ୟରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅନ୍ୟ ପକ୍ଷରେ ଜଗନ୍ନା ସଂସ୍କୃତି  ଓ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଓଡ଼ିଶା ଓ ଭାରତର ସାଂସ୍କୃତିକ ଐକ୍ୟ, ଓଡ଼ିଶାର ରୂପରେଖ, ଜଗନ୍ନାଥ ସଂସ୍କୃତି ଓ ଗଜପତି ପରମ୍ପରା, ଓଡ଼ିଶାର କୁର୍ମୀ ସମ୍ପ୍ରଦାୟ, ଓଡ଼ିଶା ଓ ବିଜୟନଗରର ମଧ୍ୟଯୁଗୀୟ ଇତିହାସ ଉପରେ ବିଭିନ୍ନ ଲେଖାମାନ ଲେଖି ଓଡ଼ିଶାର ନିକଟତର ହୋଇପାରିଛନ୍ତି। ବହୁତ ବର୍ଷର ବ୍ୟବଧାନ ପରେ ପ୍ରଫେସର କୁଲକେଙ୍କ ପରି ଜଣେ ମହାନ ଐତିହାସିକଙ୍କ ଠାରୁ ଓଡ଼ିଶାବାସୀ ସାରଗର୍ଭକ ତଥ୍ୟ ଭିତ୍ତିକ ସୂଚନା ପାଇଭାର ସୁଯୋଗ ପାଇବେ। ଏହାଦ୍ୱାରା ରାଜ୍ୟର ଐତିହାସିକ, ଭାଷାବିତ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଅନେକ କିଛି ଶିଖିପାରିବେ ବୋଲି ଆଶା କରାଯାଉଛି। ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।