Srimandir Darsan System: ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିରରେ ଲାଗୁ ହେବାକୁ ନୂଆ ପରମ୍ପରା। ଭକ୍ତଙ୍କୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ଅନେକ ଦିନ ହେଲା ଚାଲିଥିବା ବିଭିନ୍ନ ବ୍ୟବସ୍ଥା ଭିତରେ ଏହା ହେଉଛି ସଦ୍ୟତମ ଚିନ୍ତନ। ଏହି ଚିନ୍ତନରେ ଶ୍ରୀମନ୍ଦିରର ନାଟ ମଣ୍ଡପରେ ପିଢ଼ା ପକାଇବାର ବ୍ୟବସ୍ଥା ହୋଇଛି। ଯାହା ଉପରେ ଧାଡିଧାଡ଼ି ହୋଇ ଠିଆ ହେବେ ଭକ୍ତ।  ଦର୍ଶନ ସାରି ତୁରନ୍ତ ବାହାରକୁ ଦୁଇ ଦ୍ୱାର ଦେଇ ବାହାରକୁ ବାହାରିବେ। ଆଜି ସେ ବିଷୟରେ ଉଚ୍ଚସ୍ତରୀୟ ବୈଠକ ବସିବ। ଆସନ୍ତୁ ନଜର ପକାଇବା ଏ ବ୍ୟବସ୍ଥା ରହିବ କେମିତି?

 

1. ନୂଆ ବ୍ୟବସ୍ଥାରେ ନାଟ ମଣ୍ଡପରେ ଠିଆ ହୋଇ ଭକ୍ତ ଦର୍ଶନ କରିବେ। ଆଉ ବାହାର କାଠ ନିକଟକୁ ଯିବା ଆବଶ୍ୟକ ପଡ଼ିବ ନାହିଁ। ପୂର୍ବରୁ ବାହାର କାଠ ନିକଟରେ ସମସ୍ତ ଭକ୍ତ ଏକାଠି ଗୋଟିଏ ଧାଡ଼ିରେ ଯାଉଥିବାରୁ ଠେଲାପେଲା ଅଭିଯୋଗ ଆସୁଥିଲା। ଅର୍ଥାତ୍‍ ନାଟ ମଣ୍ଡପ ହେବ ଭକ୍ତଙ୍କ ଦର୍ଶନ ପାଇଁ ନୂଆ ପ୍ଲାଟଫର୍ମ।

 

2. ବାହାର କାଠ ନିକଟକୁ କେବଳ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ଯିବାର ସୁବିଧା କରାଯିବ। ସେମାନଙ୍କ ପାଇଁ ପ୍ଲାଟଫର୍ମ ରହିବ ନାହିଁ। 

 

3. ନାଟ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପ୍ଲାଟଫର୍ମ ବା କାଠ ପିଢ଼ା ପକାଇବାର ବ୍ୟବସ୍ଥା କରାଯାଉଛି। ଏହି ପିଢ଼ାସବୁ ପାହାଚ ତଥା ଗ୍ୟାଲେରି ସଦୃଶ ସଜ୍ଜା ହେବ। ପିଢ଼ାର ଚଉଡ଼ା ପ୍ରାୟ ୨ ଫୁଟ ରହିବ। ଗୋଠିଏ ଧାଡ଼ି ପିଢ଼ାରୁ ଅନ୍ୟ ଧାଡ଼ିର ଉଚ୍ଚତା ୪ ଇଞ୍ଚ ରହିବ। ଅର୍ଥାତ୍‍ ଆପଣଙ୍କ ଆଗଧାଡ଼ିଠୁ ଆପଣ ୪ ଇଞ୍ଚ ଉଚ୍ଚ ପ୍ଲାଟଫର୍ମରେ ଠିଆ ହୋଇ ପ୍ରଭୁଙ୍କୁ ଦର୍ଶନ କରିବେ। 

 

4. ପୂର୍ବରୁ ସାତ ପାହାଚ ଦେଇ ଶ୍ରଦ୍ଧାଳୁମାନେ ଗରୁଡ଼ସ୍ତମ୍ଭ ପଛ ଦେଇ ଖୁଣ୍ଟ ମନ୍ଦିରଠାରୁ ବାହାର କାଠ ପାଇଁ ଧାଡ଼ି ବାନ୍ଧୁଥିଲେ। କିନ୍ତୁ ଏବେ ଗରୁଡ଼ଙ୍କୁ ଦର୍ଶନ କରିବା ପରେ ଧାଡ଼ିରେ ନାଟ ମଣ୍ଡପର ପଣ୍ଡାଲ ଉପରକୁ ଉଠିବେ। ଏଥିଲାଗି ରାମ୍ପ ବା ଖସଡ଼ା ବ୍ୟବସ୍ଥା କରାଯିବ। ଏଥିରେ ଶୃଙ୍କଳିତ ଭାବେ ଚଢ଼ିବା ଲାଗି ଖୁଣ୍ଟ ମନ୍ଦିରଠାରୁ ୬ ଭାଗରେ ଭକ୍ତଙ୍କୁ ଭଙ୍ଗାଯିବ। ତିନୋଟି ଭାଗ ମହିଳାଙ୍କ ଲାଗି ଏବଂ ଆଉ ତିନୋଟି ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ ହେବ। ଏହି ଧାଡ଼ି କ୍ରମ ଅନୁସାରେ ପଣ୍ଡାଲ ଉପରକୁ ଉଠିବେ। ଉଠିବା ଲାଗି ସ୍ୱତନ୍ତ୍ର ଖସଡ଼ା ବ୍ୟବସ୍ଥା ହୋଇଛି। ପ୍ରଥମ ପାହାଚଟି ଭୂମିଠାରୁ ୪ ଇଞ୍ଚ ଉଚ୍ଚ ହୋଇଥିବା ବେଳେ ଶେଷ ପାହାଚଟି ଭୂମିଠାରୁ ୨ ଫୁଟ ଉଚ୍ଚ ହେବ।

 

5. ଏହି ଧାଡ଼ିରେ ପ୍ରବେଶ କରିଲେ ଦର୍ଶକଙ୍କୁ ଶୀଘ୍ର ଦର୍ଶନ ସାରି ଓହ୍ଲାଇବା ଲାଗି ପୁଲିସ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଜଣେ ଦର୍ଶନ ଧାଡ଼ିରେ ପ୍ରବେଶ କରିବା ପରେ ପ୍ରଭୁଙ୍କୁ ଦର୍ଶନ କରି ସିଧା ଓହ୍ଲାଇବ। ମଝିରେ ଠିଆ ହେବାର ବ୍ୟବସ୍ଥା ନାହିଁ। ଗହଳି ନଥିଲେ ଅଧିକ ସମୟ ରହିପାରେ ଭକ୍ତ। 

 

6. ପ୍ରତି ୩୦ ସେକେଣ୍ଡରେ ଜଣେ ଭକ୍ତ ଦର୍ଶନ ସାରି ଧାଡ଼ି ବାହାରକୁ ବାହାରିବ ବୋଲି ଆକଳନ କରାଯାଇଛି। ଅର୍ଥାତ୍‍ ଏକ ଘଣ୍ଟାରେ ଗୋଟିଏ ଧାଡ଼ିରୁ ୧୨୦ ଜଣ ଭକ୍ତ ଓହ୍ଲାଇଲେ ୬ ଧାଡ଼ିରୁ ସମୁଦାୟ ୭୨୦ ଭକ୍ତ ଦର୍ଶନ ସାରିବେ। ଅର୍ଥାତ୍‍ ଘଣ୍ଟାକୁ ଶ୍ରୀମନ୍ଦିରରେ ଅତି ବେଶିରେ ୮୦୦ ଭକ୍ତ ଦର୍ଶନ ସାରିପାରିବେ। 

 

7. ପୁଣି ନାଟ ମଣ୍ଡପରେ ଯେଉଁ କାଠ ପିଢ଼ା ବା ପ୍ଲାଟଫର୍ମ ହେବ ତାହାକୁ ଭୋଗ ମଣ୍ଡପ ସମୟରେ ବାହାରକୁ କାଢ଼ିବା ବ୍ୟବସ୍ଥା ହେବ। କାରଣ ଏହା ପରମ୍ପରା ବିରୋଧୀ ବୋଲି ପୂଜାପଣ୍ଡାମାନେ କହିଛନ୍ତି। ଏଣୁ ପ୍ରତିଟି ପିଢ଼ାରେ ଉନ୍ନତ ଚକ ଟ୍ରଲି ଲଗାଯିବ। ଏହାକୁ ଭୋଗ ମଣ୍ଡପ ସମୟରେ ବାହାର କରିଦିଆଯିବ। ସେଥିଲାଗି ପ୍ରତି ପାହାଚକୁ ଦୁଇ ବା ତିନୋଟି ଭାଗରେ ବଣ୍ଟା ଯିବ। 

 

8. ଶ୍ରୀମନ୍ଦିରକୁ ଏଯାଏ କେତେ ଭକ୍ତ ଘଣ୍ଟାକୁ ଆସୁଛନ୍ତି ଏବଂ କେତେ ଭକ୍ତଙ୍କୁ ଧାରଣ କରିବାରେ ମନ୍ଦିରର ନାଟ ମଣ୍ଡପ ଉଦ୍ଦିଷ୍ଟ ସେ ବାବଦରେ କୌଣସି ଗବେଷଣା ହୋଇ ନାହିଁ। ପୁଣି ପୂର୍ବରୁ ଯେଉଁ ଧାଡ଼ି ଦର୍ଶନ ହେଉଥିଲା ସେଥିରେ ଏକ ଘଣ୍ଟାରେ କେତେ ଭକ୍ତ ଦର୍ଶନ କରୁଥିଲେ ତାହାର କୌଣସି ବୈଜ୍ଞାନିକ ପ୍ରମାଣିତ ରେକର୍ଡ ନାହିଁ। 

 

9. ଆଜି ଶ୍ରୀ ଜଗନ୍ନାଥ ମନ୍ଦିରରେ ବସିବାକୁ ଥିବା ବୈଠକରେ ଏ ବାବଦରେ ଚର୍ଚ୍ଚା ହୋଇପାରେ। ଯେଉଁ ଚର୍ଚ୍ଚାରେ ପ୍ରଶାସନ ଉଚିତ ଜବାବ ଦେଇପାରିଲେ ଏ ବ୍ୟବସ୍ଥା ଜାନୁୟାରୀ ୧ ତାରିଖରୁ ଲାଗୁ ହେବ। 

 

10. ଏ ବ୍ୟବସ୍ଥାଯେ ଭକ୍ତଙ୍କୁ ସନ୍ତୁଷ୍ଟ ଦର୍ଶନ ପ୍ରଦାନ କରିବ ସେଥିରେ କୌଣସି ଗ୍ୟାରେଣ୍ଟି ନାହିଁ। କିନ୍ତୁ ପୂର୍ବ ଅପେକ୍ଷା ଏହା ଭଲ ହେବ ବୋଲି ପ୍ରଶାସନ ଭାବୁଛି। କିନ୍ତୁ ଏହା ହେଲେ ନାଟ ମଣ୍ଡପରେ ପୂର୍ବରୁ ଯେଉଁ ସେବାୟତମାନେ ବସୁଥିଲେ ଏବଂ ପୂଜା କରୁଥିଲେ ତାହା ହୋଇପାରିବ ନାହିଁ। ଏଣୁ ଏହା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ। ଏହାକୁ ପ୍ରଶମିତ କରିବା ଲାଗି ସମ୍ପୃକ୍ତ ସେବାୟତଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିପାରେ ପ୍ରଶାସନ।