Illegal Sand Mining is going on Ramki River: (ପ୍ରେମାନନ୍ଦ ପୂଜାରୀ) ରାମନଦୀରୁ ବେଧଡ଼କ ଭାବେ ଦୈନିକ ଉତ୍ତୋଳନ ହେଉଛି ଶହ ଶହ ଟ୍ରାକ୍ଟର ବାଲି। ସ୍ପଷ୍ଟ ଦିବାଲୋକରେ ବେଧଡକ ଭାବେ ନଦୀଗର୍ଭରୁ ବାଲି ଉତ୍ତୋଳନ କରାଯିବା ସହ ତାହାକୁ ଟ୍ରାକ୍ଟର ଯୋଗେ ଚାଲାଣ କରଯାଉଛି। ହେଲେ ନାଁ କଟାଯାଉଛି ରୟାଲଟି ନାଁ ଅଛି ପ୍ରଶାସନର ଜରିମାନାକୁ ଭୟ। ଗଜପତି ଜିଲ୍ଲାରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ଏବେ ବେଫିକର୍ ହୋଇଉଠିଛନ୍ତି ବାଲିମାଫିଆ। ଯାହା ଫଳରେ ଗୋଟିଏ ପଟେ ପ୍ରାକୃତିକ ଲଘୁଖଣିଜ ସମ୍ପଦ ଲୁଟ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି। 


COMMERCIAL BREAK
SCROLL TO CONTINUE READING

ଗଜପତି ଜିଲ୍ଲାର ମୋହନା ତହସିଲ ଅଧିନସ୍ଥ ଖସଡ଼ା ଠାରୁ ସଂଯୁକ୍ତ ଆର.ଉଦୟଗିରିର ଅଞ୍ଜରବା ଗ୍ରାମ ଦେଇ ପ୍ରବାହିତ ରାମ ନଦୀର ବିଭିନ୍ନ ସ୍ଥାନରେ ଗଢିଉଠିଛି ବେଆଇନ ବାଲି ଖାଦାନ। ଅଞ୍ଜରବା ଗ୍ରାମର କିଛି ଯୁବକ ନଦୀ ମଧ୍ୟରେ ଜେସିବି ଦ୍ବାରା ବାଲି ଉତ୍ତୋଳନ କରି ପ୍ରତି ଟ୍ରାକ୍ଟର ପିଛା ୫୦୦-୮୦୦ ଟଙ୍କା ବିକ୍ରି କରୁଛନ୍ତି। ଏଥିପାଇଁ କୌଣସି ରୟାଲଟି ଦେବାକୁ ପଡୁନଥିବା କହିଛନ୍ତି ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଡ୍ରାଇଭର। ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଅଞ୍ଜରବା ଗ୍ରାମ ଦେଇ ବାହାରକୁ ଚାଲାଣ ହେଉଛି। ଆଉ ଗ୍ରାମର କିଛି ଯୁବକ ବାଲି ବିକ୍ରିକୁ ଏବେ ଅର୍ଥ ଉପାର୍ଜନର ମାଧ୍ୟମ ରୂପେ ବାଛି ନେଇଛନ୍ତି। ଅନ୍ୟପଟେ ନଦୀ ଗର୍ଭରୁ ବାଲି ମାତ୍ରାଧିକ ଭାବେ ଉତ୍ତୋଳନ କରିବା କାରଣରୁ ନଦୀ ଦୁଇ ପାର୍ଶ୍ଵର ମାଟି ଅତଡା ଧସିବା ସହ ବିପଦ ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି। ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ନଦୀକୂଳ ବାସିନ୍ଦା। ସ୍ଥାନୀୟ ଡିମ୍ବିରିସାହି, ଡେରବା, କମଳାପୁର, କୁମୁଳୁସିଂ, ବୁରୁପଦା, ଜାରପଡା, ଡାବରାଗୁଡା, ଗୟଳମେରା, ବାଲିମୁଳି,କଳାପଙ୍ଗା, ସନ୍ତରାସାହି, କରଞ୍ଜସାହି ଆଦି ଗ୍ରାମର ବାସିନ୍ଦା ଏହାକୁ ନେଇ ଆତଙ୍କିତ ଅଛନ୍ତି। 


ଆଜକୁ ଦୁଇ ମାସ ତଳେ କିଛି ଗ୍ରାମବାସୀ ଜିଲ୍ଲା ଲଘୁଖଣିଜ ସମ୍ପଦ ଅଧିକାରୀଙ୍କୁ ବାଲି ଚାଲାଣ ସମ୍ପର୍କରେ ଜଣାଇଥିଲେ। ଯାହା ପରେ କେବଳ ଗୋଟିଏ ଦିନ ଚଢାଉ କରି ହାତ ଗଣତି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିଥିଲେ। ହେଲେ ରାମନଦୀରୁ ବେଆଇନ ବାଲି ଉତ୍ତୋଳନ ଜାରି ରହିଛି। ଏହି ନଦୀରୁ ବାଲି ନେବାକୁ ଆସିଥିବା ଜେସିବି ଅପରେଟର ସଞ୍ଜିବ କୁମାର ଭୂଆଁ କହିଛନ୍ତି ଯେ ଚାରିଆଡେ ଅଭାବ କାରଣରୁ ଉନ୍ନୟନ କାମ ପାଇଁ ସେ ବାଲି ନେବାକୁ ଆସିଛନ୍ତି। 


ଅଞ୍ଜରବା ଗ୍ରାମର ଜଣେ ଯୁବକଙ୍କ କହିବା ଅନୁସାରେ ନଦୀ ଉପର ମୁଣ୍ଡରେ କୁମୁଳିସିଂ ଠାରେ ଜିରାଙ୍ଗ ପଞ୍ଚାୟତର ଲୋକେ ବର୍ଷ ବର୍ଷ ଧରି ବେଆଇନ ବାଲି ଉତ୍ତୋଳନ କରିଆସୁଛନ୍ତି। ହେଲେ ଏହାକୁ ରୋକିବା ପାଇଁ ଆର. ଉଦୟଗିରି ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗ୍ରାମର ଯୁବ ଗୋଷ୍ଠୀ ବାଧ୍ୟ ହୋଇ ଆଉ ଏକ ବାଲି ଘାଟ ନିର୍ମାଣ କରିବା ସହ ଟ୍ରାକ୍ଟର ପିଛା ଟଙ୍କା ଆଦାୟ କରୁଥିବା ସ୍ବୀକାର କରିଛନ୍ତି ଗ୍ରାମର ଅଜୟ ମାଝି ନାମକ ଜଣେ ବ୍ୟକ୍ତି। ସେହିପରି ବାଲିଘାଟରୁ ଯେଉଁ ଟଙ୍କା ଆଦାୟ ହେଉଛି ତାହା ଗାଁ କଲ୍ୟାଣ ପାଣ୍ଠିକୁ ଦିଆଯାଉଥିବା ଗ୍ରାମର ସଲମନ ମାଝି କହିଛନ୍ତି।


ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ପଚାରିବା ପାଇଁ ଆର ଉଦୟଗିରି ତହସିଲଦାର ଜ୍ୟୋର୍ତି ମୟ ଦାଶଙ୍କୁ ଫୋନ ଯୋଗେ ସମ୍ପର୍କ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। ଜିଲ୍ଲା ଲଘୁ ଖଣିଜ ସମ୍ପଦ ଅଧିକାରୀ ଦୀପେନ୍ ପରିଡାଙ୍କୁ ଏହି ଘଟଣା ସମ୍ପର୍କରେ ପଚାରିବାରୁ ସେ ଏହାର ଉତ୍ତରରେ କହିଛନ୍ତି ଜିଲ୍ଲାରେ ମାତ୍ର ଜଣେ ମଧ୍ୟ ଅଧିକାରୀ ଥିବା ହେତୁ ବାଲି ଉତ୍ତୋଳନ ସ୍ଥାନରେ ପହଞ୍ଚିବା ସମ୍ଭବ ହୋଇପାରୁନାହିଁ। ଖବର ମିଳିଲେ ଚଡାଉ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ କହିଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।