ଭୁବନେଶ୍ୱର: ଆମେରିକାର ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ ପଢ଼ି ଓଡ଼ିଶାରେ ରାଜନୀତିକୁ କ୍ୟାରିୟର ଭାବେ ଗ୍ରହଣ କରିଥିବା ସୁଜିତ କୁମାର ପୁଣିଥରେ ରାଜ୍ୟସଭା ଲାଗି ପ୍ରାର୍ଥୀ ହୋଇଛନ୍ତି। ଏଥର ବିଜେପିରୁ ଏକମାତ୍ର ପ୍ରାର୍ଥୀଭାବେ ସେ ସରକାରୀ ଦଳକୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବା ପ୍ରାୟତଃ ସ୍ପଷ୍ଟ ହୋଇଛି। ହେଲେ କଳାହାଣ୍ଡିର ସତ୍ୟନାରାୟଣ ସେଠଙ୍କ ୪୯ ବର୍ଷୀୟ ପୁଅ ସୁଜିତ କୁମାରଙ୍କ ରୋଜଗାର କେତେ? ଗଲା ଦୁଇବର୍ଷ ରାଜନୀତିରୁ ସେ ଦି’ପଇସା ରୋଜଗାର କରିଛନ୍ତି ନା ନାହିଁ? ଏବେ ସେ ପୁଣିଥରେ ସାଂସଦ ହେଲେ ବ୍ୟକ୍ତିଗତ ପାଣ୍ଠି ବୃଦ୍ଧି କରିବାରେ କେତେ ସଫଳ ହେବେ? ଏ ପ୍ରଶ୍ନ ମନରେ ସୃଷ୍ଟି ହେବା ନୂଆ କଥା ନୁହେଁ। ଆସନ୍ତୁ ଏ ବିଷୟରେ ଏହି ତଥ୍ୟପୂର୍ଣ୍ଣ ଅନୁଶୀଳନକୁ ପଢ଼ିବା। 


COMMERCIAL BREAK
SCROLL TO CONTINUE READING

କଳାହାଣ୍ଡିର ବିକାଶ କଥା କହୁଥିବା ସୁଜିତ କୁମାର ହେଉଛନ୍ତି ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ଭୋଟର। ଏପ୍ରିଲ ୨, ୨୦୨୦ ମସିହାରେ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଦ୍ୱିତୀୟଥର ପାଇଁ ଟିକଟ ନଦେଇ ଏହି ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ଟିକଟ ଦେଇଥିଲା ଦଳ। ଏହି ସମୟରେ ସଂଖ୍ୟା ଗରିଷ୍ଠ ବିଜେଡି ସୁବାସ ସିଂହ, ମୁନ୍ନା ଖାଁ, ମମତା ମହନ୍ତ ଏବଂ ସୁଜିତ କୁମାରଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲା। ଏମାନଙ୍କ ଭିତରୁ କେବଳ ମୁନ୍ନା ଖାଁଙ୍କୁ ଛାଡ଼ିଦେଲେ ଆଉ କେହି  ନେତା ସମ୍ପୃକ୍ତ ପିଢ଼ିର ସାଂସଦ ଭାବେ ବିଜେଡିକୁ ପ୍ରତିନିଧିତ୍ୱ କରୁନାହାନ୍ତି। ମମତା ମହନ୍ତ ଅଗଷ୍ଟ ୨୦୨୪ରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ରାଜ୍ୟସଭାରେ କାର୍ଯ୍ୟ କରୁଛନ୍ତି। 


ସୁଜିତ୍‍ କୁମାର ସାଂସଦ ହେବା ପରେ ତାଙ୍କ ବାର୍ଷିକ ଆୟରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏହା ସେ ଆଜି ବିଧାନସଭାରେ ରାଜ୍ୟସଭା ସାଂସଦ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ସ୍ପଷ୍ଟ ହୋଇଛି। ଏହି ସତ୍ୟପାଠ ଆଧାରରେ ୨୦୧୯-୨୦ ଆର୍ଥିକ ବର୍ଷରେ ଅର୍ଥାତ୍‍ ଯେଉଁ ବର୍ଷ ସେ ସାଂସଦ ହେଲେ ତାହାର ଠିକ୍‍ ପୂର୍ବବର୍ଷ ତାଙ୍କ ଆୟ ଥିଲା ୧୧ ଲକ୍ଷ ୯୩ ହଜାର ୩୭୬ ଟଙ୍କା। ଚଳିତ ଆର୍ଥିକ ବର୍ଷ ସେ ଦାଖଲ କରିଥିବା ଆୟକର ରିପୋର୍ଟ ଅନୁସାରେ ତାଙ୍କ ବାର୍ଷିକ ଆୟ ହେଉଛି ୨୩ ଲକ୍ଷ ୮୨ ହଜାର ୫୫୪ ଟଙ୍କା ଅର୍ଥାତ୍‍ ପ୍ରାୟ ଦୁଇଗୁଣା। 



ରାଜନୀତିରେ ଆୟ ଦ୍ୱିଗୁଣିତ ହେବା କିଛି ନୂଆ କଥା ନୁହେଁ ବୋଲି ଅନେକ କହନ୍ତି। ଏହା ଏକ ଭଲ ବ୍ୟବସାୟ ବୋଲି ମଧ୍ୟ କୁହାଯାଏ। ହେଲେ ଏହାର ଉଦାହରଣ ଯଦି କିଛି ସାଂସଦଙ୍କ ଭିତରେ ପ୍ରସ୍ଫୁଟିତ ହୁଏ ତେବେ ତାଙ୍କ ଭିତରେ ରହିଛନ୍ତି ସୁଜିତ, ଏଥିରେ ଦ୍ୱିମତ ହେବା ଅନୁଚିତ।


ଏହି ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ବି ତାଙ୍କର ଆୟ ବର୍ଷକୁ ୧୧ ଲକ୍ଷ ୮୬ ହଜାର ୩୫୬ ଟଙ୍କା ଥିଲା। କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷରେ ହଠାତ୍‍ ତାହା ପ୍ରାୟ ଦ୍ୱିଗୁଣିତ ହୋଇ ୨୦ ଲକ୍ଷ ୪୦ ହଜାର ୮୩୧ରେ ପହଞ୍ଚିଥିଲା। 
ଜଣେ ଅକ୍ସଫୋର୍ଡ ଫେରନ୍ତାଙ୍କ ପାଇଁ ଏହି ରୋଜଗାର କିଛି ବଡ଼ ସଫଳତା ନୁହେଁ। କିନ୍ତୁ ରାଜନୀତିରେ ଥାଇ ଏହି ଆୟ ନିହାତି ଭାବେ ଲୋକଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରେ। 


ଶ୍ରୀ କୁମାର ଏ ଭିତରେ ୧ କୋଟି ୧୩ ଲକ୍ଷ ଟଙ୍କା ବିଭିନ୍ନ ନୂଆ ଉଦ୍ୟୋଗ ପାଇଁ ନିବେଶ କରିଛନ୍ତି। ତାଙ୍କ ପାଖରେ ସ୍ଥାବର ସମ୍ପତ୍ତିକୁ ଛାଡ଼ି ୧ କୋଟି ୯୨ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ଏଥିରେ ସୁନା ଅଳଙ୍କାର, ମୋଟର ଗାଡ଼ା, ଅନ୍ୟ ନିବେଶ ପ୍ରଭୃତି ରହିଛି।। ତାଙ୍କ ପତ୍ନୀଙ୍କ ନାଁରେ ୫୨ ଲକ୍ଷ ଏବଂ ପୁଅ ନାଁରେ ୧୭ ଲକ୍ଷ ୮୩ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି  ରହିଛି। ସେ ଭୁବନେଶ୍ୱରରେ ଏକ ଘର କିଣିଛନ୍ତି। ଆଉ ତାଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଋଣ ରହିଛି। 


ଆଜି ସେ ବିଜେପିର ସଦସ୍ୟ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଅର୍ଥାତ୍‍ ରାଜ୍ୟସଭାରେ ଧାର୍ଯ୍ୟ ଥିବା ୬ ବର୍ଷ କାର୍ଯ୍ୟକାଳକୁ ସେ ଦୁଇଟି ଦଳ ପକ୍ଷରୁ ପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଯାଉଛନ୍ତି। ସମୟ ସହଯୋଗୀ ହେଲେ ସେ ରାଜ୍ୟବାସୀଙ୍କ ଲାଗି ବିଭିନ୍ନ ପ୍ରସଙ୍ଗ ଗଣତନ୍ତ୍ରର ସର୍ବୋଚ୍ଚ ଗୃହରେ ଉଠାଇବାରେ ବି ସକ୍ଷମ ହେବେ ଏହା ନିଃସନ୍ଦେହ।