GOOD NEWS: ଭୁବନେଶ୍ୱର: ନୌବାଣିଜ୍ୟର ଐତିହ୍ୟକୁ ନିଜ ସାଙ୍ଗରେ ନେଇ ଚାଲୁଥିବା ଓଡ଼ିଶା ପାଇଁ ଏକ ଭଲ ଖବର। ଓଡ଼ିଶାରୁ ୨୦୨୫ ବାଲିଯାତ୍ରାରେ କଟକରୁ ଇଣ୍ଡୋନେସିଆର ବାଲି ଯାଏ ନୌବାଣିଜ୍ୟ ଯାତ୍ରା ଆରମ୍ଭ ହେବ, ତାହା ପୁଣି ମହାନଦୀ ପଠାରୁ, ପାରମ୍ପରିକ ସାମୁଦ୍ରିକ ରାସ୍ତାରେ। ଏଥିଲାଗି ଭାରତୀୟ ବଣିକମାନେ ବ୍ୟବହାର କରୁଥିବା ପାରମ୍ପରିକ ଡଙ୍ଗାକୁ ବ୍ୟବହାର କରାଯିବ। ଭାରତୀୟ ନୌବାହିନୀ ଏହାକୁ ବିକଶିତ କରୁଛନ୍ତି। ଏହାର ପ୍ରଥମ ଅଧ୍ୟାୟ ସ୍ୱରୂପ ଆଜିଠାରୁ ‘କୀଲ’ ପ୍ରତିଷ୍ଠା ହେବ। ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍‍ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ସାନ୍ୟାଲ୍‍ କହିଛନ୍ତି, ‘ଏହି ପ୍ରକଳ୍ପ ପଛରେ ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଦଶ୍ୟ ରହିଛି। ତାହା ହେଲା, ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତ ବ୍ୟବହାର କରୁଥିବା ଏକ ନୌକା ବିକଶିତ କରିବା। ପୁଣି ତାହାକୁ ପାରମ୍ପରିକ ନଦୀ ଓ ସାମୁଦ୍ରିକ ପଥରେ ଯାତ୍ରା କରାଇବା। କଳିଙ୍ଗରୁ ଦକ୍ଷିଣ ଏସିଆକୁ ଏହା ଯାତ୍ରା କରିବ’
ଏହିପରି ନୌକା ଏବଂ ନୌ-ବାଣିଜ୍ୟପଥ, ଯାହା ସେତେବଳେ ଆମର ଅର୍ଥନୀତିକ ମେରୁଦଣ୍ଡ ଥିଲା, ଆଜି କିନ୍ତୁ ପରିତ୍ୟକ୍ତ। ଷୋଳଶ’ ଶତାବ୍ଦୀ ବେଳକୁ ୟୁରୋପୀୟମାନଙ୍କ ଆଗମନ ପରେ ଆମର ଦେଶୀୟ ନୌକାକୁ ଆଉ ସୁଯୋଗ ମିଳି ନଥିଲା। ଫଳରେ ଧୀରେ ଧୀରେ ଭାରତର ପାରମ୍ପରିକ ନଦୀପଥ ଏବଂ ନୌବାଣିଜ୍ୟ ସଙ୍କୁଚିତ ହୋଇ ଆଜି ଏପରି ନୌକା କେବଳ ମ୍ୟୁଜିୟମରେ ସୀମିତ ରହିଛି। 


 



ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଏହାକୁ ପୁଣିଥରେ ଉଜ୍ଜୀବିତ କରି ସଂସ୍କୃତି ଓ ଭାବର ଆଦାନ ପ୍ରଦାନକୁ ଗୁରୁତ୍ୱ ଦେଇଛନ୍ତି। ଏଥିଲାଗି ଭାରତୀୟ ନୌ-ସେନାକୁ ଏପରି ନୌକା ବିକାଶ କରିବାର ଦାୟିତ୍ୱ ଦିଆ ଯାଇଛି। ଯାହାକୁ ନେଇ ଭାରତୀୟ ନୌସେନା ବି ବିଶେଷ ଉତ୍ସାହିତ ରହିଛି। ନିଜର ଟ୍ୱିଟର ହ୍ୟାଣ୍ଡଲ୍‍ରେ ନୌ-ସେନା ଏକ ଭିଡିଓ ଶେୟାର କରିଛି। 


ଶ୍ରୀ ସାନ୍ୟାଲ୍‍ କହିଛନ୍ତି, ଏହି ଡଙ୍ଗାରେ ଦୁଇଟି ମାସ୍ତୁଲ ରହିବ।  ସେ କହିଛନ୍ତି ଯେ, ‘ଭାରତର ନୌବାଣିଜ୍ୟ ଐତିହ୍ୟର ପୁନୁରୁତ୍‍ଥାନ ପଥରେ.. ୧୨ ସେପ୍ଟେମ୍ବରରେ ସାକ୍ଷୀ ହୁଅନ୍ତୁ ଏକ ଐତିହାସିକ ମୁହୂର୍ତ୍ତରେ ଯେଉଁଦିନ ’କୀଲ’ ପ୍ରତିଷ୍ଠା ହେବ। ଗୋଆରେ ଏହି ପର୍ବ ଅନୁଷ୍ଠିତ ହେବ। ବିଶ୍ବକୁ ଆମର ଐତିହ୍ୟ ପ୍ରଦର୍ଶନ କରାଇବାର ଏହା ସବୁଠାରୁ ବଡ଼ ସୁଯୋଗ ବୋଲି ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି କହିଛନ୍ତି। 


ଏହି ପାରମ୍ପରିକ ନୌକାରେ ସବିକିଛି ପ୍ରାକୃତିକ ଜିନିଷ ବ୍ୟବହାର କରାଯିବ ଯାହାକୁ ୪ର୍ଥ ଶତାବ୍ଦୀରେ ଆମ ସାଧବ ପୁଅମାନେ ବ୍ୟବହାର କରୁଥିଲେ। ନିଜ ହ୍ୟାଣ୍ଡଲ୍‍ରେ ଶ୍ରୀ ସାନ୍ୟାଲ୍‍ ଏଥିଲାଗି ଆବଶ୍ୟକ ଉପାଦାନ ଗୁଡ଼ିକର ଫଟୋ ବି ଶେୟର କରିଛନ୍ତି। ଡଙ୍ଗାର ଏକ ମଡେଲ୍‍ ବି ଏଥିରେ ଶେୟାର କରାଯାଇଛି।  କେରଳର ପ୍ରତିଷ୍ଠିତ ନୌକା ନିର୍ମାତା ବାବୁ ଶଙ୍କରନ୍‍ ଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମାପନ ହେବ। 


କାର୍ତ୍ତିକ ପୂର୍ଣ୍ଣମୀ ଦିନ ଯେଉଁଦିନ ବାଲିଯାତ୍ରା ଆରମ୍ଭ ହେଉଛି ସେହିଦିନ ଏହି ଡଙ୍ଗା ଇଣ୍ଡୋନେସିଆର ବାଲି ଅଭିମୁଖେ ଯାତ୍ରା କରିବ। ଏହି ସମୁଦାୟ ପ୍ରକଳ୍ପରେ ୯ କୋଟି ଟଙ୍କା ଖର୍ଚ୍ଚହେବ।  ଏହା ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଅଧ୍ୟାୟର ସାକ୍ଷୀ ହେବ ବୋଲି ଆଶା କରାଯାଇଛି। 
Also Watch: ମହାପ୍ରଭୁ ଜଗନ୍ନାଥଙ୍କ ସକାଳ ଧୂପ ଓ ଦ୍ୱାରଫିଟା ନୀତି ଦର୍ଶନ


Also Read: IND vs SL: ଟିମ୍ ଇଣ୍ଡିଆ ସମ୍ମୁଖରେ ଆଣ୍ଠୁ ମାଡ଼ିଲା ଶ୍ରୀଲଙ୍କା, ଜବରଦସ୍ତ ବିଜୟ ସହିତ ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଭାରତ


Also Read: Job Interview Tips: ଥରକରେ ପାଇବେ ଚାକିରି! ଇଣ୍ଟରଭ୍ୟୁ ପୂର୍ବରୁ ଜାଣନ୍ତୁ କିପରି ହେବେ ପ୍ରସ୍ତୁତି?