Ayushman Bharat Yojana: ରାଜ୍ୟ ଭିତରେ ବା କିଛି ପଡ଼ୋଶୀ ରାଜ୍ୟରେ ନୁହେଁ, ଓଡ଼ିଶାର ଗରିବ ଲୋକ ଯେଉଁଠି ରହୁଥିଲେ ବି ସେଠାର ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ। ଏଥିନେଇ ୨୭ ହଜାର ଡାକ୍ତରଖାନାକୁ ଚିହ୍ନଟ କରାଯାଇଛି।  ସରକାର ଉଭୟ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। 

 

ବିଧାନସଭାରେ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚଦାବି ପ୍ରସଙ୍ଗରେ ସେ କହିଛନ୍ତି, ଭାରତ ସରକାରଙ୍କ ସାଧାରଣ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ କୁ ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରାଜ୍ୟ ସରକାର ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଚଳିତ ଆର୍ଥିକ ବର୍ଷ ୩୦୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।   

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚଦାବୀ ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୧୫୭୭୪ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି । ତନ୍ମଧ୍ୟରୁ ପ୍ରାୟ ୫୬୦୦ ଡାକ୍ତର ପଦବୀ ଖାଲି ପଡ଼ିଛି । ଏହିକ୍ରମରେ ଚଳିତ ଆର୍ଥିକ ବର୍ଷରେ ୩୦୦୦ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ୨୫୨୫ ୟୁଜି ସିଟ୍ ଥିବା ବେଳେ ୧୧୦୭ ପିଜି ସିଟ୍ ରହିଛି । ଏହି ସିଟ୍ ଆହୁରି ବୃଦ୍ଧି ହେବାର ଆବଶ୍ୟକତା ଥିବା ନେଇ ସେ କହିଛନ୍ତି । 

 

ପଶ୍ଚିମବଙ୍ଗ ଆର୍‌ଜି କର ହସ୍ପିଟାଲ ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାକୁ ଗୃହ ନିନ୍ଦା କରୁଛି । ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ଏଥିପାଇଁ ରାଜ୍ୟ ସରକାର ଏକ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ଡାକ୍ତରଙ୍କ ସୁରକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଅପରପକ୍ଷେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଯେଉଁ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ସରିଛି, ତାହାକୁ ଖୁବଶୀଘ୍ର ଲୋକାର୍ପିତ କରାଯିବ । ଦେବଗଡ଼, କଳାହାଣ୍ଡି ଓ ଯାଜପୁର  ହସ୍ପିଟାଲରେ ଅତିରିକ୍ତ ଶଯ୍ୟା ନିର୍ମାଣ କରାଯାଇଥିବା ବେଳେ ଏହାର ଖୁବଶୀଘ୍ର ଲୋକାର୍ପଣ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।