ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ହେଲେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ। ଅନେକ ଦିନ ଏହି ପଦବୀ ଖାଲି ପଡିବା ପରେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବରେ ଜଷ୍ଟିସ ତ୍ରିବେଦୀ ନିଯୁକ୍ତ ହୋଇଛନ୍ତି। ପ୍ରାୟ ୮ ମାସ ପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ବେଲା ଏମ ତ୍ରିବେଦୀଙ୍କୁ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି। ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ ଏମ ଖାନୱିଲକର ଇସ୍ତଫା ଦେବା ପରେ ଟ୍ରିବ୍ୟୁନାଲ ଠପ୍ ହୋଇପଡିଥିଲା। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁସାରେ, ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ କୌର ପୂର୍ବବତ କାର୍ଯ୍ୟ କରିବେ। ଏହି ଦୁଇ ସଦସ୍ୟ ଟ୍ରିବ୍ୟୁନାଲ ଆରମ୍ଭରୁ ରହିଛନ୍ତି। ଶେଷ ଥର ପାଇଁ ଟ୍ରିବ୍ୟୁନାଲର ଶୁଣାଣି ୨୦୨୪ ଫେବୃଆରି ୨୨ ତାରିଖରେ ହୋଇଥିଲା। ଏହାପରେ ମାର୍ଚ୍ଚ ୧୧ ତାରିଖରେ ପ୍ରସ୍ତାବିତ ଶୁଣାଣି ହୋଇପାରିନଥିଲା ଓ ମାର୍ଚ୍ଚ ୨୭ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ଅବଧି ଭିତରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନୱିଲକର ଇସ୍ତଫା ଦେଇସାରିଥିବାରୁ ଆଉ ଶୁଣାଣି ସମ୍ଭବପର ହୋଇପାରିନାହିଁ। 


ମହାନଦୀ ଟ୍ରିବ୍ୟୁନାଲ ଟିମର ବିଗତ ଦିନରେ ପାଖାପାଖି ୩୬ ଥର ଶୁଣାଣି ହୋଇଥିଲେ ମଧ୍ୟ ଓଡ଼ିଶା ସ୍ବାର୍ଥ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ଆସି ପାରିନଥିଲା। ଗୋଟିଏ ବର୍ଷ ତଳେ ଅର୍ଥାତ ୨୦୨୩ ମସିହାରେ ପୂର୍ବତନ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓଡ଼ିଶା ଆସି ଗ୍ରାଉଣ୍ଡ ଭିଜିଟ କରିଥିଲେ। ହେଲେ ସେ ସମୟରେ ପ୍ରସ୍ତୁତ ରିପୋର୍ଟ ଲୋକଲୋଚନକୁ ଆସି ପାରିନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ଏହାରି ଭିତରେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ମହାନଦୀ ବିବାଦକୁ ନେଇ ଅନେକ ଆଶା ଉଙ୍କି ମାରୁଛି। ଛତିଶଗଡ଼ ଓ ଓଡ଼ିଶା ଉଭୟ ରାଜ୍ୟରେ ବିଜେପି ସରକାର ଅଛନ୍ତି।