Khurda News: ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସାରା ରାଜ୍ୟ । ଅନେକ ସହରରେ ୪୦ ଡିଗ୍ରୀ ଉପରେ ରହୁଛି। ସତେ ଯେପରି ତାତିଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେପଟେ ଖରା ଦାଉରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ନିୟମ ମଧ୍ଯ। ଜାରି କରିଛନ୍ତି। ସେପଟେ ଖରାକୁ ଦୃଷ୍ଟିରେ ରଖି ଦିନ ମଜୁରିଆ ଶ୍ରମିକ କାର୍ଯ୍ୟ କରିବା ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଡ଼ହ ଡ଼ହ ଖରାରେ ଘରୁ ପାଦ ବାହାର କରି ହେଉ ନଥିବା ବେଳେ ଦୁଇ ପଇସା ରୋଜଗାର ଆଶାରେ ଦିନ ତମାମ ଖଟି ଥାଆନ୍ତି ଏହି ଦିନ ମଜୁରିଆ । କିନ୍ତୁ ସରକାରଙ୍କର ନିୟମକୁ ଫୁ ଶ୍ରମିକ ମାନଙ୍କୁ ଖରାରେ କାର୍ଯ୍ୟ କରାଉଛନ୍ତି ଠିକାଦାର । ସକାଳ ୧୦ଟାରୁ ସଂଧ୍ୟା ଯାଏଁ ଶ୍ରମିକଙ୍କୁ କାର୍ଯ୍ୟ କରାଉଥିବା ଭଳି ଦୃଶ୍ୟ ଖୋର୍ଦ୍ଧା ସହରରୁ ସାମ୍ନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଟାଇଁ ଟାଇଁ ଖରାରେ ଘରୁ ପଦାକୁ ଗୋଡ଼ କାଢି ହେଉନଥିବା ବେଳେ ଦୁଇ ପଇସା ରୋଜଗାର ଆଶାରେ ଦିନ ୧୨ଟା ବେଳର ଟାଣ ଖରାରେ ଖଟି ଚାଲିଛନ୍ତି ଶ୍ରମିକ । କେଉଁଠି ଠିକାଦାର ଶ୍ରମିକମାନଙ୍କୁ ବନ୍ଧ କାମରେ ନିୟୋଜିତ କରିଛି ତ ଆଉ କେଉଁଠି ସରକାରୀ କୋଠା ନିର୍ମାଣରେ ଲାଗିଛନ୍ତି ଶ୍ରମିକ । ଅନ୍ୟପଟେ ପାଣି ସୁବିଧା ନ ଥିବା ବେଳେ ବିନା ହେଲମେଟରେ ସେମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ସହରରେ ତାପମାତ୍ରା ୪୦ ଡ଼ିଗ୍ରୀକୁ ଛୁଇଁଥିବା ବେଳେ, ସକାଳ ୧୧ଟା ବାଜିଲେ ରାସ୍ତାଘାଟ ଶୁନଶାନ୍ ହୋଇ ପଡ଼ୁଛି । ହେଲେ ସରକାରଙ୍କ ନିୟମକୁ ବେଖାତିର କରି ବିଭିନ୍ନ ଠିକାଦାର ସଂସ୍ଥା ଓ ଘରୋଇ କ୍ରସର ମାଲିକମାନେ ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ବେଠୀ ଖଟାଇବା ଭଳି କାମରେ ଲଗାଉଛନ୍ତି । ଘରୋଇ ଲୋକଙ୍କ ନିର୍ମାଣ କାର୍ଯ୍ୟରେ ମଧ୍ୟ ଶହ ଶହ ଶ୍ରମିକ ହୁତୁ ହୁତୁ ଖରାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଶକ୍ତ ନିୟମ ଲାଗୁ ହେଉନଥିବାରୁ ଶ୍ରମିକମାନେ ମରଣକୁ ବରଣ କରି ରୋଜଗାର ଆଶାରେ କାମ କରୁଥିବା ଦେଖିବାକୁ ମିଳିଛି । ସେପଟେ କେବଳ କାଗଜ କଲମରେ ଚାଲିଛି ଶ୍ରମ ବିଭାଗର ଆଇନ୍ କାନୁନ କାର୍ଯ୍ୟ । ଖରାଦିନ ଆସିଲେ ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ କରାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯିବାର ଦେଖା ଯାଉନାହିଁ । ସେପଟେ ଅଂଶୁଘାତର ମୁକାବିଲା ସହ ପାନୀୟ ଜଳର ବ୍ୟବସ୍ଥା, ଦିନ ୧୧ଟାରୁ ୩ଟା ମଧ୍ୟରେ କିଭଳି ଶ୍ରମିକମାନେ କାର୍ଯ୍ୟ ନକରିବେ ତାହା ଉପରେ ଗୁରୁତ୍ୱ ଦିଆଯିବା ନେଇ ବାରମ୍ବାର ବୈଠକରେ ଆଲୋଚନା ହେଉଥିଲେ ମଧ୍ଯ ବାସ୍ତବ ଚିତ୍ର କିନ୍ତୁ ଓଲଟା ।


Also Read-New Parliament Building: ନୂତନ ସଂସଦ ଭବନ ନିର୍ମାଣରେ ବ୍ୟବହୃତ ହେଉଛି କେଉଁ ରାଜ୍ୟର କେଉଁ ସାମଗ୍ରୀ?


ପ୍ରକାଶଥାଉ, ଅତି ଆବଶ୍ୟକ କାମ ନଥିଲେ, ସାଧାରଣ ଲୋକେ ମଧ୍ୟ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଏ । କିନ୍ତୁ ଏହାକୁ ବେଖାତିର କରି ଚାଲିଛନ୍ତି ଠିକାଦାର ସଂସ୍ଥା ଓ ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷ। ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏବେ ଠାରୁ ଯଦି ସତର୍କ ନହେଲେ ଆଗାମୀ ଦିନରେ ଧନ ଜୀବନ ହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।