ଭୁବନେଶ୍ୱର: ଦରଦାମକୁ ବୃଦ୍ଧିକୁ ନେଇ ଗତ କିଛିଦିନ ହେବ ଚିନ୍ତାରେ ରାଜ୍ୟବାସୀ। ପନିପରିବା କଥା କୁହନ୍ତୁ କିମ୍ୱା ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ସବୁଠି ଦର ଆକଶ ଛୁଆଁ ରହିଛି। ଏପରି ସ୍ଥିତିରେ ଚିନ୍ତାରେ ଅଛନ୍ତି ରାଜ୍ୟବାସୀ। ଦରଦାମ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହାର ଉପରେ ଅଙ୍କୁଶ ଲଗାଇବାକୁ ଶେଷରେ ରାଜ୍ୟ ସରକାରେ ତତ୍ପରତା ଦେଖାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୋମବାର ଦିନ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦରଦାମ୍ ବୃଦ୍ଧିକୁ ନେଇ ଏକ ସମିକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି.ଯାଦବ ଓ ମାର୍କେଟ ଇନେଲିଜେନ୍ସ ଅଫିସର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।  ଏହା ସହ ବୈଠକରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ଯୋଗାଣ ଓ ତଥ୍ୟକୁ ନେଇ ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ଜଣାପଡିଛି।


ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ବୈଠକରେ ଦରଦାମ୍‌ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଓ ରାଜ୍ୟ ତଥା ଜିଲ୍ଲା ସ୍ତରରେ ପ୍ରତ୍ୟେକ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟର ଗଚ୍ଛିତ ପରିମାଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୁନାଫାଖୋର ଓ ସୀମାଠାରୁ ଅଧିକା ସାମଗ୍ରୀ ଗଚ୍ଛିତ କରି ରଖିଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି। ଯଦି ଜରୁରୀକାଳିନ ପରିସ୍ଥିତି ଉପୁଯେ ତେବେ ସରକାରଙ୍କ ପକ୍ଷରୁ ନାଫେଡ୍‌ ଦ୍ୱାରା ରିଆତି ଦରରେ ଖାଉଟିମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 


ସରକାରଙ୍କ ଏହି ସମିକ୍ଷା ବୈଠକ ସୋମବାର ଦିନ ସରିଛି। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ କେବେ ରାଜ୍ୟବାସୀଙ୍କୁ ଏହି ଅହେତୁକ ଦର ଦାମ୍ ବୃଦ୍ଧିରୁ ନିସ୍ତାର ମିଳୁଛି।