Lingaraj Temple: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ଟାରୁ ଠାକୁରଙ୍କ ଅବଢା ମିଳିବ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ। ଏହାଦ୍ୱାରା ତୀର୍ଥଯାତ୍ରୀ ମାନେ ଉପକୃତ ହେବେ । ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢା ଖାଇବା ସୁବିଧା ପାଇବେ । ସେହିଦିନଠୁ ଏକମାସ ଧରି ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳଆଳତି, ସାଢେ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ। ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ। 


COMMERCIAL BREAK
SCROLL TO CONTINUE READING

ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧନୁ ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଚିଠି କରାଯାଇଛି। ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଆବଶ୍ୟକ । ତେବେ ସେବାୟତଙ୍କ (Lingaraj Mandira Sevayat) ସହ କୌଣସି ଆଲୋଚନା ନହୋଇ ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବବର୍ଷ ନୀତିକୁ ନେଇ ଚିଠି କରାଯାଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା । ଏପଟେ ସକାଳୁ ଅବଢା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତ ମାନେ ପୂର୍ବ ପ୍ରସ୍ତତି ଚଳାଇଛନ୍ତି । 


ସକାଳ ଧୂପ ପରେ ଅବଢା ମିଳିବା ଦ୍ୱାରା ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ମନ୍ଦିରର ଆନନ୍ଦ ବଜାରରେ ଅବଢା ପାଇପାରିବେ ବୋଲି ସେବାୟତ ମାନେ କହିଛନ୍ତି। ସେପଟେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏକାମ୍ର କ୍ଷେତ୍ରର(Ekamra Khetra) ସୌନ୍ଦର୍ଯ୍ୟୀକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରୁଛି। ଗତ ୨ ମାସ ପୂର୍ବରୁ ସାଢେ ୩ ହଜାର ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଚଳିତ ମାସରେ ପର୍ଯ୍ୟଟକଙ୍କ ସଂଖ୍ୟା ୮ ହଜାରକୁ ଛୁଇଁଲାଣି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଟୁରିଷ୍ଟ ବସ୍ ଅଧିକ ଆସୁଥିବା ଏହାର ପ୍ରମାଣ। ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି ବୋଲି କୁହାଯାଉଛି। 


ଖାଲଖମା ରାସ୍ତା ଗୁଡିକ ମରାମକି ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର(Lingaraj Temple) ଯିବାକୁ ସୁବିଧା ହୋଇଛି। ତେଣୁ ସ୍ୱତଃ ଦେବଦର୍ଶନ ପାଇଁ ସାଧାରଣ ଲୋକେ ମନ୍ଦିରକୁ ଆସୁଛନ୍ତି । ଫଳରେ ଏବେ ସର୍ବସାଧାରଣଙ୍କ ଭିଡ ବଢିଛି। ସବୁଠାରୁ ବଡ଼ କଥା ହେଉଛି  ଏବେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ପର୍ଯ୍ୟଟକ ମାନେ ଲିଙ୍ଗରାଜ ମନ୍ଦିର ନିକଟ ସୌନ୍ଦର୍ଯ୍ୟ, ବିଭିନ୍ନ ଛୋଟ ମନ୍ଦିର ଓ ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟନର (Bindu Sagar Musical Fountain) ମଜା ନେଉଛନ୍ତି। ଆଗକୁ ଏହା ଆହୁରି ବଢିବ ବୋଲି ଆକଳନ କରାଯାଉଛି। ଆସନ୍ତା ୧୬ ତାରିଖରୁ ସକାଳ ୯ଟାରୁ ୨ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବେଳେ ଗର୍ଭଗୃହକୁ ଯିବାକୁ ସୁବିଧା ମିଳିବ। 


Also Read: Weather Report: ଥରୁଛି ଓଡ଼ିଶା, ୧୫ ଡିଗ୍ରୀ ତଳେ ୨୩ ସହର