Odia New Year 2024: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ। ଏହି ଅବସରରେ ଆକର୍ଷଣୀୟ ବାଲୁକାକୃତି ଜରିଆରେ ଓଡିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଗଢିଥିବା ସୁନ୍ଦର ବାଲୁକାକୃତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସହ ପଣା ଆଦି ନୈବେଦ୍ୟ ଅର୍ପଣରର ଦୃଶ୍ଯକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ଏଥିସହିତ ବାଲୁକାକୃତିରେ ପ୍ରତି ଓଡିଆଙ୍କ ଘରେ ବାଉଁଶରେ ଠେକି ବନ୍ଧା ପରମ୍ପରାର ଦୃଶ୍ୟ ମଧ୍ୟ ବେଶ୍ ଆକୃଷ୍ଟ କରିଛି।


COMMERCIAL BREAK
SCROLL TO CONTINUE READING

ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ପ୍ରତି ଇଂରାଜୀ ମାସର ୧୩ ତାରିଖଠାରୁ ୧୫ ତାରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସ (ଏପ୍ରିଲ-ମେ)ର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଓଡ଼ିଆମାନେ ଏହିଦିନଟିକୁ ନବବର୍ଷ ଭାବେ ମଧ୍ୟ ପାଳନ କରିଥାଆନ୍ତି ।


ALSO READ: Jagan Mohan Reddy: ନିର୍ବାଚନ ପ୍ରଚାର ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥରମାଡ଼


ଓଡ଼ିଶାରେ ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପାରମ୍ପରିକ ରୀତିନୀତି ଅନୁସାରେ ଏହି ଦିନ ଓଡ଼ିଶାରେ ଘରେ ଘରେ ପଣା ଭୋଗ ହୋଇ ତୁଳସୀ ଗଛରେ ଅର୍ପଣ କରାଯାଇଥାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଏହି ସମୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ହେତୁ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ । ଏଣୁ ଗୁରୁଖାଦ୍ୟ ରୂପେ ଛତୁଆ ଏପରିକି ବେଲକୁ ପଣାରେ ମଧ୍ୟ ବ୍ୟବହୃତ କରିବାର ବ୍ୟବସ୍ଥା ରହିଛି । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଓ ପଣା ଭୋଗର ବିଧି ରହିଛି । 


ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ଏହି ଦିନ ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଝାମୁ ଯାତ୍ରା ପାଳନ କରାଯାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । 


ମହାବିଷୁବ ସଂକ୍ରାନ୍ତି ଦିନ ଶ୍ରୀରାମ ଭକ୍ତ ଶ୍ରୀହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଶାସ୍ତ୍ର ପୁରାଣରେ ବ୍ରହ୍ମା, ବିଷ୍ଣୁ ଓ ଇନ୍ଦ୍ରାଦି ଦେବତାମାନଙ୍କ ଦ୍ୱାରା ବରପ୍ରାପ୍ତ ହୋଇ ସାକ୍ଷାତ ଶିବ ଏକାଦଶ ରୁଦ୍ର ଅବତାର ଭାବେ ଜନ୍ମଗ୍ରହଣ କରିଥିଲେ । ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ପଣା ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ବିଭିନ୍ନ ଆଖଡ଼ାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ କୁସ୍ତି ଯୋଦ୍ଧାମାନେ କୁସ୍ତି ଯୋଦ୍ଧା ଶିକ୍ଷା ଆରମ୍ଭ କରିଥାନ୍ତି । ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଜିକା ଆଜିଠାରୁ ଆରମ୍ଭ ହେବ। ପଣା ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ବା ଦଣ୍ଡ ନାଚ ଶେଷ ହୋଇଥାଏ ।