Ama Odisha Nabinm Odisha 2023: ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତ୍ତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ ସହ ଗାଁ। ନଭେମ୍ବର ୮ ତାରିଖ ବୁଧବାର ଭୁବନେଶ୍ବର ଠାରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ, ବୌଦ୍ଧ ଜିଲ୍ଲାରେ "ଆମ ଓଡିଶା ନବୀନ ଓଡିଶା" ଯୋଜନାର ଶୁଭାରମ୍ଭ କରିଛନ୍ତି। ଯାହା ଦ୍ୱାରା ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା। 


COMMERCIAL BREAK
SCROLL TO CONTINUE READING

ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ୬ ନିର୍ବାଚନମଣ୍ଡଳୀକୁ ମିଳିଛି  ୧୩୯.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ହେଉଛି ସୁନ୍ଦରଗଡ଼, ତଳସରା, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଜଗାଙ୍ଗପୁର, ବଣେଇ।  ଏହି ସବୁ ନିର୍ବାଚନ ମଣ୍ଡଳୀର ୧୭ ବ୍ଲକ୍‌‌ର ୨୭୯ ଗ୍ରାମ ପଞ୍ଚାୟତରେ ୩୦୧୬ ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ ନିର୍ବାଚନମଣ୍ଡଳୀ ପାଇଁ  ୧୦୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ହେଉଛି ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ।  ଏଥିରେ ୮ ବ୍ଲକ୍‌ର ୨୧୨ ଗ୍ରାମପଞ୍ଚାୟତରେ  ୩୦୫୩ ପ୍ରକଳ୍ପ କରାଯିବ। ସେହିପରି ବୌଦ୍ଧ ଜିଲ୍ଲାର ୨ ନିର୍ବାଚନ ମଣ୍ଡଳୀକୁ ମିଳିଛି ୩୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଉଛି କଣ୍ଟାମାଳ ଏବଂ ବୌଦ୍ଧ। ଏହି ନିର୍ବାଚନମଣ୍ଡଳୀ ଦ୍ୱୟର ୩ ବ୍ଲକ୍‌‌ର ୬୯ ଗ୍ରାମ ପଞ୍ଚାୟତରେ ୧୧୫୯ ପ୍ରକଳ୍ପ ହେବ।


ବୁଧବାର ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ ଜିଲ୍ଲାର ୬, ଢେଙ୍କାନାଳ ଜିଲ୍ଲାର ୪ ଏବଂ ବୌଦ୍ଧ ଜିଲ୍ଲାର ୨ ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳଭିତ୍ତି।  


ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ତଥା ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗ୍ରାମର ବିକାଶର ଶିଖରରେ ପହଞ୍ଚାଇବ। "ଆମ ଓଡିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ଗାଁ ଗଣ୍ଡାରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ଲାଗି ନୂଆ ଓଡିଶା ତାହାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। 


ସବୁ ଗ୍ରାମର ବିକାଶ ଆମର ଲକ୍ଷ୍ୟ। ଗାଁ ଗଣ୍ଡାରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗ୍ରାମାଞ୍ଚଳ ସଂସ୍କୃତିର ସୁରକ୍ଷା ହେବ ଏବଂ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା, ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗଣ୍ଡାରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧରଙ୍କ ଲାଗି  ଏସବୁ ସଂସ୍କୃତି ସହ ଐତିହ୍ୟ ସ୍ଥଳୀର ସଂରକ୍ଷଣ ସହ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ଗ୍ରାମରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁ ଗଣ୍ଡରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। ବ୍ୟାଙ୍କୁ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁ ଗଣ୍ଡାରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମାଆଙ୍କ ପାଇଁ, ଚାଷୀ ଭାଇ ଭଉଣୀଙ୍କ ପାଇଁ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ। ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।


ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ଏହି ଅବସରରେ ସେ କହିଲେ ଯେ ଏବେ ଓଡିଶାରେ ଗାଁ ଲୋକେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଏବଂ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମାଆଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ନବୀନ ଓଡିଶାର ମଙ୍ଗ ମାଆ ଧରିଛନ୍ତି।


ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ପଞ୍ଚମ ପାଳି। ଏଥିରେ ସେ ମାଆଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମାଆଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି ୫ଟି ଅଧ୍ୟକ୍ଷ କହିଥିଲେ।


ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କହିଥିଲେ ଯେ ସୁନ୍ଦରଗଡ ଲୋକଙ୍କ ହକି ପ୍ରତି ପ୍ରବଳ ଉତ୍ସାହକୁ ମୁଖ୍ୟମନ୍ତ୍ରୀ ଭଲ ଭାବରେ ଅନୁଭବ କରିଛନ୍ତି। ସେମାନଙ୍କ ମନୋଭାବକୁ ସମ୍ମାନ ଜଣାଇ ସେ ସୁନ୍ଦରଗଡରେ ବିଶ୍ୱକପ ହକିର ଆୟୋଜନ କରିଥିଲେ। ଏଥିପାଇଁ ଏକ ସୁନ୍ଦର ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମ ମଧ୍ୟ ରେକର୍ଡ ସମୟରେ ନିର୍ମାଣ ହୋଇଥିଲା। ହକିର ବିକାଶ ପାଇଁ ସୁନ୍ଦରଗଡର ପ୍ରତି ବ୍ଲକକୁ ଆଷ୍ଟ୍ରୋଟର୍ଫ ମଧ୍ୟ ଦେଇଛନ୍ତି ବୋଲି କହିଥିଲେ।


ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲା ଗସ୍ତ ପରେ ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରେ ୧୭ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭୯.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭଷ୍ମାଠାରେ ଇବ ନଦୀରେ Istream Storage Structure ନିର୍ମାଣ ପାଇଁ ୨୬୨.୫୦ କୋଟି ଟଙ୍କାର ମଞ୍ଜୁରି, ପାରିଜାତ ଏବଂ ଥିମ୍ ପାର୍କ ସହ ନଗର ବନ ପ୍ରକଳ୍ପ ପାଇଁ ସମୁଦାୟ ୭.୭୮ କୋଟି ଟଙ୍କା,  ଗୁରୁଲିଜୋର ଠାରେ କ୍ଷୁଗ୍ର ଜଳସେଚନ ପ୍ରକଳ୍ପ ପାଇଁ ୧.୩୪ କୋଟି ଟଙ୍କା ସହ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ରହିଛି। ଏହା ସହିତ ୫ ମନ୍ଦିର, ୨ ସମଜିଦ୍ ଏବଂ ଗୋଟିଏ କ୍ୟାଥଲିକ୍ ଚର୍ଚ୍ଚ ଆଦି ରହିଛି। ତଳସରା ନିର୍ବାଚନମଣ୍ଡଳୀରେ ୧୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଯେଉଁଥିରେ ରହିଛି ଲେଫ୍ରିପଡା ବ୍ଲକରେ ରାସ୍ତା ପାଇଁ ୨୪ କୋଟି ଟଙ୍କା, ଲେଫ୍ରିପଡା ବ୍ଲକରେ ବିଜୁ ସେତୁ ପାଇଁ ୫.୨୬ କୋଟି ଏବଂ ଫୁଲବାରୀ ସପେଇ ନଦୀରେ Istream Storage Structure ନିର୍ମାଣ ପାଇଁ ୧୨୩.୭୫ କୋଟି। ଏଥିରେ ୫ ମନ୍ଦିର ଏବଂ ୨ ଚର୍ଚ୍ଚ ମଧ୍ୟ ସାମିଲ ରହିଛି।  



ସେହିପରି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୮ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନୂଆଗାଁ ଏବଂ କୁଆଁରମୁଣ୍ଡାରେ ୨ ନୂଆ ଡିଗ୍ରୀ କଲେଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହା ସହିତ ଅନେକ ସ୍କୁଲ, କଲେଜ, ୱାଟର ପାର୍କ ମଧ୍ୟ ରହିଛି। ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଜଲ୍‌ଦାଠାରେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଉନ୍ନତିକରଣ। ବଣାଇ ନିର୍ବାଚନ ମଣ୍ଡଳୀରେ  ୧୧ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବଣେଇ ଉପଖଣ୍ଡ ଡାକ୍ତରଖାନାର ଉନ୍ନତିକରଣ ଏବଂ ଡାୟଲିସିସ୍ କେନ୍ଦ୍ର ପାଇଁ ୧.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ବାଣେଶ୍ୱରୀ ମନ୍ଦିର ଏବଂ ୨ ଚର୍ଚ୍ଚ ପାଇଁ  ୧.୪୫ କୋଟି ଟଙ୍କା। ଏହା ସହିତ ୨ଟି ଡିଗ୍ରୀ କଲେଜ, ୩ ହାୟର ସେକେଣ୍ଡାରୀ ସ୍କୁଲ ଏଥିରେ ସାମିଲ ହୋଇଛି। ରାଉରକେଲା ନିର୍ବାଚନ ମଣ୍ଡଳୀରେ  ୧୨ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମ୍ୟୁନିସପାଲିଟି ଡିଗ୍ରୀ କଲେଜ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ, ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଅନ୍ୟ ୪ ମହାବିଦ୍ୟାଳୟ। ଏଥି ସହିତ ୨ ମନ୍ଦିର ଏବଂ ଗୋଟିଏ ଗୁରୁଦ୍ୱାର ସାମିଲ ହୋଇଛି। ଏହିପରି ସୁନ୍ଦରଗଡ ଜିଲ୍ଲାର ୬ ନିର୍ବାଚନମଣ୍ଡଳୀରେ ସମୁଦାୟ ୬୫ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ    ୪୬୩.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। 



ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ୯ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୭.୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଯୋରନ୍ଦା ମହିମା ଗାଦୀ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଶପ୍ତଶଯ୍ୟା ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇ ୪.୬୧ କୋଟି ଟଙ୍କା, ବଳରାମ ମନ୍ଦିର ଏବଂ ଜାଉଁଳି ପୋଖରୀ ମଠ ପାଇଁ ୫.୮୫ କୋଟି ଟଙ୍କାର ମଞ୍ଜୁର କରାଯାଇଛି। ଏଥି ସହିତ ୪ ମହାବିଦ୍ୟାଳୟ ଏବଂ ଗୋଟିଏ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ହୋଇଛି।  କାମକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୧୫ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ  ୧୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ୬ ସେତୁ ପାଇଁ ୨୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏକତାଳି ଠାରେ ମିନି ଷ୍ଟାଡିୟମ ଏବଂ ପାଠାଗାର ପାଇଁ ୪.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୪ କଲେଜ ଏବଂ ୨ ହାୟର ସେକେଣ୍ଡାରୀ ସ୍କୁଲ, ୨ ଭିତ୍ତିଭୂମି ପ୍ରକଳ୍ପ  ରହିଛି। ସେହିପରି ପରଜଙ୍ଗ ନିର୍ବାଚନମଣ୍ଡଳୀରେ ୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ, ୩ କଲେଜ ଏବଂ ୨ ହାୟର ସେକେଣ୍ଡାରୀ ସ୍କୁଲ ଅନ୍ତର୍ଭୂକ୍ତ ରହିଛି। ସେହିପରି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ୭ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସାପୁଆ ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ୭.୪୪ କୋଟି ଟଙ୍କା, ସାପୁଆ- ବଡଜୋର ଜଳସେଚନ ପ୍ରକଳ୍ପର ସର୍ଭିସ ରାସ୍ତା ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୩ କଲେଜ ଏବଂ ୨ ହାୟର ସେକେଣ୍ଡାରୀ ସ୍କୁଲ ଅନ୍ତର୍ଭୂକ୍ତ ରହିଛି। ଏପରି ଢେଙ୍କାନାଳ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୭ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୫୯.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। 


ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ  ୧୧୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଖଡଙ୍ଗ ନଦୀ ଏବଂ ଖଇରମାଲ ଠାରେ ୨ Instream Storage Structure। ଖଡଙ୍ଗ ନଦୀ I.S.S. ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ ଏଥିରେ ୧୨ ହଜାର ଲୋକ ଉପକୃତ ହେବେ। ସେହିପରି ଖଇରମାଳ  I.S.S. ପାଇଁ ୯୨୫.୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହା ସହିତ କଣ୍ଟାମାଳ ହାୟର ସେକେଣ୍ଡାରୀ ସ୍କୁଲ ସହ ଡିଗ୍ରୀ କଲେଜ, ପଳସାଗୁଡା ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲ, ପର୍ଯ୍ୟଟନ କ୍ଷେତ୍ର, କଣ୍ଟାମାଳର ବିର ମୁଣ୍ଡା ମନ୍ଦିରର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସାମିଲ। ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୧ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ  ୧୨.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପୁରୁଣାକଟକ ଠାରେ ମାଆ ଭୈରବୀ ମନ୍ଦିରର ଉନ୍ନତିକରଣ ପାଇଁ ୩. ୬୭ କୋଟି ଏବଂ ବୌଦ୍ଧ ଠାରେ ମାଆ ଚନ୍ଦ୍ରଚୂଡା ମନ୍ଦିର ସହ ଆରତି ଘାଟର ଉନ୍ନତିକରଣ ପାଇଁ ୩.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ବର୍ଷକୁ ମାଆ ଭୈରବୀ ମନ୍ଦିରକୁ ୬୦ ହଜାର ଭକ୍ତ ଏବଂ ମାଆ ଚନ୍ଦ୍ରଚୂଡା ମନ୍ଦିରକୁ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ। ଏହା ସହିତ ୩ ଡିଗ୍ରୀ କଲେଜ, ୧ ମହାବିଦ୍ୟାଳୟ, ୩ ପର୍ଯ୍ୟଟନ କ୍ଷେତ୍ର, ଗୋଟିଏ ଛାତ୍ରୀନିବାସ ସାମିଲ ଅଛି। ଏହିପରି ବୌଦ୍ଧ ଜିଲ୍ଲାର ୨ ନିର୍ବାଚନ ମଣ୍ଡଳୀର ମୋଟ ୧୭ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୪୧.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। 


ମୋଟ ୩ ଜିଲ୍ଲାର ୧୧୯ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୬୫.୦୩ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ସୁବ୍ରତ ତରାଇ, ବିଧାୟକ ସୁଧିର କୁମାର ସାମଲ, ବିଧାୟକ ଡ. ନୃସିଂହ ଚରଣ ସାହୁ, ବିଧାୟକ ମହେଶ ସାହୁ, ବିଧାୟ ମହିଧର ରଣା, ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।


ସୁନ୍ଦରଗଡରେ ଉପସ୍ଥିତ ରହି ମନ୍ତ୍ରୀ ଶାରଦା ନାୟକ କହିଲେ ଯେ ସୁନ୍ଦରଗଡକୁ ବିଶ୍ୱ ଦରବାରରେ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଣେଇଠାରେ ଉପସ୍ଥିତ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଲେ ଯେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ସମଗ୍ର ବିଶ୍ୱରେ ଯେଭଳି ପରିଚୟ ଦେଇଛନ୍ତି ତାକୁ ସୁନ୍ଦରଗଡବାସୀ କେବେ ଭୁଲିବେ ନାହିଁ। କାମାକ୍ଷାନଗର ଠାରେ ଉପସ୍ଥିତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଲେ ଯେ ଗାଁର ବିକାଶ ନହେଲେ ରାଜ୍ୟର ବିକାଶ ହେବ ନାହିଁ। ଗାନ୍ଧିଜୀଙ୍କ ଏହି ଚିନ୍ତାଧାରାକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଉଦ୍ୟମ କରିଚାଲିଛନ୍ତି। ଓଡପଡା ଠାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ସମଗ୍ର ଭାରତବର୍ଷରେ ଆଜି ଓଡିଶାର ବିକାଶ ଚର୍ଚ୍ଚା ସୃଷ୍ଟି କରିଛି।
ହରଭଙ୍ଗାରେ ଉପସ୍ଥିତ ରହି ମନ୍ତ୍ରୀ ପ୍ରଦୀପ ଅମାତ କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ଭାରତର ଆତ୍ମା ଗାଁରେ ହିଁ ଅଛି କୁ ଗ୍ରାମାଞ୍ଚଳର ବିକାଶ ଜରିଆରେ କାର୍ଯ୍ୟରେ କରି ଦେଖାଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ତଥା ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଏବଂ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ। କାର୍ଯ୍ୟକ୍ରମରେ ୩ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।