CRPF Jawan donates heart liver after brain death: ବ୍ରେନ ଡେଡ୍ ପରେ ୨ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଯାଇଛନ୍ତି ସିଆରପିଏଫ ଯବାନ। ଅଙ୍ଗଦାନ କରି ଅମର ହୋଇଥିବା ସିଆରପିଏଫ୍ ଯବାନ ହେଉଛନ୍ତି ଖୋର୍ଦ୍ଧା ସାରୁଅ ଅଞ୍ଚଳର ୪୮ ବର୍ଷୀୟ ସିଆରପିଏଫ୍ ଯବାନ କୃଷ୍ଣଚନ୍ଦ୍ର ମହାଭୋଇ। ଦିନେ ଦେଶ ପାଇଁ ପ୍ରାଣବଳୀ ଦେବାକୁ ଶପଥ ନେଇଥିଲେ କୃଷ୍ଣଚନ୍ଦ୍ର। ଆଉ ଏବେ ଅଙ୍ଗ ଦାନ କରି ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଯାଇଛନ୍ତି। ବିଗତ ୨ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ଥିଲେ ସେ। ନିୟମିତ ଭାବେ ତାଙ୍କର ଡାଏଲିସିସ୍ ଚାଲିଥିଲା। ହେଲେ ଗତ ୨୦ ତାରିଖରେ ହଠାତ୍ ମସ୍ତିଷ୍କରୁ ରକ୍ତସ୍ରାବ ହେଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ହେଲେ କିନ୍ତୁ ସେଠାରେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର। 


COMMERCIAL BREAK
SCROLL TO CONTINUE READING

ଏହା ପରେ କୃଷ୍ଣଚନ୍ଦ୍ର ମହାଭୋଇଙ୍କ ଅଙ୍ଗ ଦାନ କରି ଅନ୍ୟ କାହାର ଜୀବନ ବଞ୍ଚାଇବାକୁ ପରିବାର ଲୋକ ଅନୁମତି ଦେବା ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ତାଙ୍କ ଶରୀରରୁ ହାର୍ଟ-ଲିଭର ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବାହାର କରାଯାଇଥିଲା। ତାଙ୍କ ହୃତପିଣ୍ଡକୁ କୋଲକାତା ସ୍ଥିତ ଟାଟା ମେଡିକାଲ ଏବଂ ଯକୃତକୁ ମୁମ୍ବାଇ ସ୍ଥିତ ରିଲାଏନ୍ସ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରିବା ପାଇଁ ପଠାଇ ଦିଆଯାଇଛି। ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ଶରୀରରୁ ଅଙ୍ଗ କଢ଼ା ଯାଉଥିଲା ଆଉ ଅନ୍ୟପଟେ ଶୋକାକୁଳ ପରିବେଶରେ ଫାଟି ପଡିଥିଲା ହସ୍ପିଟାଲ ପରିସର। ପତ୍ନୀଙ୍କ ସହ ୨୦ ବର୍ଷର ପୁଅ, ୯ ବର୍ଷର ଝିଅଙ୍କ ସହ ବନ୍ଧୁବାନ୍ଧବ ସମସ୍ତଙ୍କ ଆଖିରେ ଥିଲା ଲୁହ ଧାର। ଅଙ୍ଗଦାନ କରିବା ସମ୍ପର୍କରେ ପ୍ରତିକ୍ରିୟା ରଖି କୃଷ୍ଣଚନ୍ଦ୍ରଙ୍କ ପୁଅ କହିଛନ୍ତି ଯେ ବାପା ଜଣେ ଯବାନ ଥିଲେ। ଯଦି ତାଙ୍କ ବ୍ରେନ ଡେଡ୍ ହେବାକୁ ଯାଉଛି ବୋଲି ଜାଣିଥାନ୍ତେ, ତାହେଲେ ନିଶ୍ଚୟ ଅଙ୍ଗ ଦାନ କରିବାକୁ ନିଜେ କହିଥାନ୍ତେ। ହେଲେ  ବାପାଙ୍କ ହୃତପିଣ୍ଡ ଅନ୍ୟ କାହା ଶରୀରରେ ଚାଲିବ ସେ କଥା ଶୁଣିଲେ ଆନନ୍ଦ ଲାଗୁଛି।


ବିଗତ ଦୁଇ ବର୍ଷ ହେବ କିଡନୀ ରୋଗରେ ପୀଡିତ ହେବା ପରେ ବଦଳିଯାଇଥିଲା ସିଆରପିଏଫ ଯବାନ କୃଷ୍ଣଚନ୍ଦ୍ର ମହାଭୋଇଙ୍କ ଜୀବନ। ମୃତ୍ୟୁ ସହ ଲଢେଇ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ।  ସେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ସତ, ହେଲେ ମୃତ୍ୟୁ ପରେ ନିଜର ସଂକଳ୍ପ ଭୁଲିନାହାଁନ୍ତି। ମୃତ୍ୟୁ ପରେ ଦୁଇ ଦୁଇଟି ଜୀବନ ବଞ୍ଚାଇ ଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ନିୟମିତ ଡାଇଲେସିସ୍ ହେଉଥିଲା ମଧ୍ୟ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ଅନ୍ୟ କାହା ଶରୀରରେ ବଞ୍ଚାଇ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ପତ୍ନୀ। ଅଙ୍ଗଦାନ ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ପରୀକ୍ଷା ପରେ ଜଣାପଡିଲା ଯେ କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ-ଲିଭର ଅନ୍ୟ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିବ। ଏହାପରେ ଅଙ୍ଗ ନେବା ପାଇଁ କୋଲକାତା ଏବଂ ମୁମ୍ବାଇ ଠାରୁ ଆସିଥିଲା ଡାକ୍ତରୀ ଦଳ। ଗ୍ରୀନ କରିଡର ଠାରେ ମାତ୍ର ୧୨ ମିନିଟ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗ ଅଣାଯାଇ ବିମାନ ଯୋଗେ ଏହାକୁ ମୁମ୍ବାଇ ଏବଂ କୋଲକତା ଅଭିମୁଖେ ପଠାଯାଇଥିଲା।