Odisha Formation Day 2024: ଚଳିତ ବର୍ଷ ପ୍ରତିବର୍ଷ ଭଳି "ଓଡ଼ିଶା ଦିବସ" ରାଜ୍ୟ, ଜିଲ୍ଲା ତଥା ଉପଖଣ୍ଡସ୍ତରରେ ପାଳନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ୨୦୨୪ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ଚଳିତ ବର୍ଷ ଓଡ଼ିଶା ଦିବସ ପାଳନ କରାଯିବ। ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆଭାସୀ ଯୋଗେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ଏନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଓଡ଼ିଶା ଦିବସ ପାଳନର ରୂପରେଖ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରମୁଖ ଶାସନ ସଚିବ ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସକୁ ସଠିକ୍ ମର୍ଯ୍ୟାଦାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 


ଓଡ଼ିଶା ଦିବସ ପାଳନ ଅବସରରେ ଜିଲ୍ଲାରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ରେକର୍ଡ ମାଧ୍ୟମରେ କେବଳ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇ ପ୍ରାତଃ ସମୟରେ ପ୍ରଭାତ ଫେରି ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଆଦିଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ଏକ ସାଧାରଣ ସଭା ଆୟୋଜନ କରାଯିବ। ସଭା ପ୍ରାରମ୍ଭରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବ।


ଏହି ସଭାକୁ ୧୮ ବର୍ଷରୁ କମ୍ ବୟସ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯିବ। ଏହା ବ୍ୟତୀତ ବରପୁତ୍ରଙ୍କ ରଚନାରୁ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଜିଲ୍ଲା ଏବଂ ଉପଖଣ୍ଡରେ ଅବସ୍ଥିତ ପ୍ରମୁଖ ସରକାରୀ କୋଠାରେ ଆଲୋକସଜ୍ଜା କରାଯାଇ ପାରିବ।


ଏହି କାର୍ଯ୍ୟକ୍ରମକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ ନାହିଁ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର କିମ୍ବା ଦଳୀୟ ନିର୍ବାଚନ ସଙ୍କେତ ଆଦିର ବ୍ୟବହାର ମଧ୍ୟ କରାଯାଇ ପାରିବ ନାହିଁ। ଏହି ଅବସରରେ କୌଣସି ଶୋଭାଯାତ୍ରା, ରାଜନୈତିକ ଭାଷଣ ଏବଂ ପ୍ରଚାର ସହ କୌଣସି ପ୍ରକାର ଶୋଭାଯାତ୍ରା, ମାନପତ୍ର ଏବଂ ଫଳକ ଆଦି ପ୍ରଦାନ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କାର ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।