Paradeep Water Problem: ପାରାଦ୍ବୀପ (Paradee) ସହରରେ ଲାଗି ରହିଛି ପାନୀୟ ଜଳ ସମସ୍ୟା (Water Problem )। ସେପଟେ ଜଳ ସମସ୍ୟା ନେଇ ପାରାଦ୍ବୀପର ବିଭିନ୍ନ ବସ୍ତିରେ ଗଭୀର ନଳକୂପ ବସାଯାଇ ପୌରପାଳିକା ତରଫରୁ ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ସେହି ପାଣି ପିଇବା ଉପଯୋଗୀ ହୋଇପାରୁନାହିଁ। ସହରର ଅନେକ ବସ୍ତି ଅଞ୍ଚଳରେ ପାନୀୟ ଜଳର ସମସ୍ୟା ଲାଗି ରହିଥିବା ବେଳେ ପୌର ପ୍ରଶାସନ ପକ୍ଷରୁ କିଛି ବସ୍ତିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସପ୍ତାହରେ ମାତ୍ର ଦୁଇ ଦିନ ପାଣି ଯୋଗାଇ ଦିଆଯାଇଥିବା ବେଳେ ଉକୃଷ୍ଟ ରୂପ ନେଇଛି ପାନୀୟ ଜଳ ସମସ୍ୟା । ଷଣ୍ଡକୁଦ ବସ୍ତି ପାରାଦ୍ବୀପର ସବୁଠାରୁ ବଡ଼ ବସ୍ତି ହୋଇଥିବା ବେଳେ ଏହା ୩ଟି ୱାର୍ଡ଼କୁ ନେଇ ଗଠିତ। ଏହି ବସ୍ତିରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । କିନ୍ତୁ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଦେଖିବାକୁ ମିଳିଛି । ପୌର ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇଥିଲେ ମଧ୍ୟ ସେହି ପାଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ଷଣ୍ଡକୁଦ ବସ୍ତି ଠାରୁ ଅନତି ଦୂରରେ ପାରାଦୀପ ବନ୍ଦର ତରଫରୁ ପାନୀୟ ଜଳ ଲାଗି ପାଇପ୍ ଯୋଗାଇ ଦିଆଯାଇଥିଲେ ମଧ୍ୟ ଷଣ୍ଢକୁଦର ୩ଟି ୱାର୍ଡ଼ ପାଇଁ ଏହା ଯଥେଷ୍ଟ ହେଉନାହିଁ । ଦିନକୁ ଦୁଇଥର ଆସୁଥିବା ପାଣି ନେବା ପାଇଁ ଲୋକଙ୍କ ଭିଡ଼ ଲାଗୁଥିବା ବେଳେ ସକାଳୁ ଅଧିକାଂଶ ଲୋକେ ପାଣି ପାଇବାରୁ ବଞ୍ଚିତ ମଧ୍ଯ ହୋଇଥାଆନ୍ତି ।


ସେହିପରି ସଂନ୍ଧ୍ୟା ସମୟରେ ଆସୁଥିବା ପାଣି ପାଇଁ ଦିନ ୧୦ଟାରୁ ଗରା, କଳସୀ, ବାଲଟି, ପାଣି ଧରି ଲୋକେ ଧାଡି ଲଗାଇଥାନ୍ତି। ଯିଏ ଆଗେ ଆସିଲା ସେ ଆଗ ପାଣି ନେବ। ଏ ଦୃଶ୍ୟ ଦେଖିଲେ ମନେ ହୁଏ ସତେ ଯେମିତି ପାଣି ପାଇଁ ମେଳା ଲାଗିଛି । ତେବେ ଷଣ୍ଡକୁଦ ବସ୍ତିରେ ପ୍ରାୟତଃ ମତ୍ସ୍ୟଜୀବୀ ଓ ଶ୍ରମିକ ଶ୍ରେଣୀର ଲୋକେ ବସବାସ କରୁଥିବା ବେଳେ ପାରାଦ୍ବୀପ ବନ୍ଦର ତରଫରୁ ପାଣି ପାଇପ୍ ଗୁଡିକୁ ବସ୍ତି ଅଞ୍ଚଳକୁ ଯୋଗାଇ ଦେବା ପାଇଁ ବସ୍ତି ବାସିନ୍ଦା ମାନେ ଦାବି କରିଛନ୍ତି। ବର୍ଷ ବର୍ଷ ଧରି ଜଳ ଯୋଗାଣ ପ୍ରକଳ୍ପ କାମ ଚାଲୁଥିବା ବେଳେ ଷଣ୍ଡକୁଦ ବସ୍ତିରେ ଦୀର୍ଘ ୫୦ ବର୍ଷ ଧରି ପାନୀୟ ଜଳର ସମସ୍ୟା ଲାଗି ରହିଛି। ତେବେ ପାନୀୟ ଜଳ ସମସ୍ୟାର ସମାଧାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା ।