Odisha Election 2024: ପୁରୀରେ ବଡଧରଣର ରାଜନୈତିକ ହିଂସା। ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥିଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣର ଶିକାର ହୋଇଛନ୍ତି ପୁରୀ ବିଧାନସଭା ଆସନ ପାଇଁ ଟିକେଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ। ଗତକାଲି ରାତିରେ କିଛି ଦୁର୍ବୁତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ଆଖି ସମେତ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି। ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିବା ପରେ ସେ ଏନେଇ କୁମ୍ବାରପଡା ଥାନାରେ ଏକ ମାମଲା ଦାଏର କରିଛନ୍ତି। ଏସପି ପିନାକ ମିଶ୍ର ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ତଦନ୍ତ ଚଳାଇଛନ୍ତି। ତେବେ ମଟରସାଇକେଲରେ ଆସି ଆକ୍ରମଣ କରିଥିବା ଦୁଇଜଣ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ଗିରଫ ହେବେ ବୋଲି କହିଛନ୍ତି। ତେବେ ପୁରୀ ବିଧାନସଭା ଆସନରେ ପ୍ରାର୍ଥୀ ଅଦଳବଦଳକୁ ନେଇ ଏଭଳି ହିଂସାତ୍ମକ ଘଟଣା ଘଟିଥିବା ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ଉମାବଲ୍ଲଭ ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିର୍ବାଦ ନେଇ ଫେରିଥିଲେ। ଗତ ୪ତାରିଖ ଦିନ ପୁରୀ ବିଧାନସଭା ଆସନ ପାଇଁ ଟିକେଟ ପାଇଥିବା ସୁଜିତ ମହାପାତ୍ର ନିଜର ହଜାର ହଜାର ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ବିଡମ୍ବନାର ବିଷୟ ଯେ ରାତାରାତି ସୁଜିତଙ୍କ ଟିକେଟ କାଟିଦିଆଯିବା ସହ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କୁ ଦଳ ଟିକେଟ ଦେଇଥିଲା। ଆଉ ପ୍ରତିହିଂସା ପରାୟଣ ହୋଇପଡିଥିଲେ ସୁଜିତଙ୍କ ସମର୍ଥକ। ଗତକାଲି କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିଥିଲେ। ଆଉ ଟିକେଟ ମିଳିବା ପରେ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଥିଲେ ଉମାବଲ୍ଲଭ ରଥ ।


ନୂଆସାହିରେ ପଦଯାତ୍ରା କରୁଥିବା ବେଳେ ମଟରସାଇକେଲରେ ୪ଜଣ ଯୁବକ ଆସି ତାଙ୍କ ଉପରକୁ କିଛି ତରଳ ପଦାର୍ଥ ସହ କାଚ ବୋତଲ ଓ ଇଟା ମାଡ କରିଥିଲେ। ଫଳରେ ଉମାବଲ୍ଲଭ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି କଂଗ୍ରେସର ସଂସଦୀୟ ଓ ବିଧାନସଭାର ଦୁଇପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।