Odisha Election 2024: ଉପକୂଳ ରାଜନୀତିରେ ଅନ୍ୟତମ ପେଣ୍ଠ ସାଜିଥିବା  ଯାଜପୁର ଜିଲ୍ଲାରେ ଭାରତୀୟ ଜନତା ପାର୍ଟି  ଦୁର୍ବଳ ହେଲାପରି ସ୍ପଷ୍ଟ ହେଉଛି।  ଦଳ ପାଖରେ ଭଲ ନେତା ଥାଇ ମଧ୍ୟ ଦଳ ଅମାନତ ହରାଇଥିବା ଦୁଇ ପ୍ରାର୍ଥୀଙ୍କୁ  ଅନ୍ୟଦଳର ଆମଦାନୀ କରି ପ୍ରାର୍ଥୀ କରିଛି। ଏହାଦ୍ୱାରା ଦୀର୍ଘ ଦିନ ହେଲା ଜିଲ୍ଲାରେ ସଂଗଠନକୁ ମଜଭୁତ କରିବାରେ ଲାଗିଥିବା ନେତା ନରାଶ ହୋଇଛନ୍ତି। ଏପରିକି ଦଳର ଏହି ନେତାମାନେ କିଛି ଅଦୃଶ୍ୟ ଶକ୍ତିର ଚାପରେ ଚାପା ହୋଇଥିବା ନେଇ ଚର୍ଚ୍ଚା ହେଉଛି। 
ପ୍ରଥମେ ଆରମ୍ଭ କରିବା ଧର୍ମଶାଳା ଓ ବରୀ ଆସନରୁ।  ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ଅମାନତ ହରାଇଥିବା ଧର୍ମଶାଳାର ସ୍ମୃତିରେଖା ପହି ଓ ବରୀର ଉମେଶ ଜେନା ଯଥାକ୍ରମେ ଏଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି।   
ଧର୍ମଶାଳରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ପହି ମାତ୍ର ୧୮୫୮୮ (୧୦.୭୫%) ଖଣ୍ଡ ଭୋଟ୍ ପାଇଥିଲେ। ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ା ୨୮.୧୨% ସହିତ ୪୮୬୨୫ ଖଣ୍ଟଭୋଟ୍ ପାଇଥିଲେ । ଚଳିତ ନିର୍ବାଚନ ପାଇଁ ଧର୍ମଶାଳାରେ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ଭଳି ଜଣେ ଲୋକପ୍ରିୟ ନେତା ବଡ଼ ଦାବିଦାର ଥିବାବେଳେ ଅମାନତ ହରାଇଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିଛି । ଯାହାକୁ ନେଇ ଧର୍ମଶାଳାର ଭାଜପା କର୍ମୀମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି । ସେହିପରି ବରୀରେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଉମେଶ ଜେନା ମାତ୍ର ୪.୭୧% ସହିତ ୭,୦୮୨ ଖଣ୍ଡ ଭୋଟ୍ ପାଇ ଅମାନତ ହରାଇଥିଲେ ।  ଟିକଟ ପାଇ ନିର୍ବାଚନ ଲଢ଼ିବା ଆଶାରେ ବିଜେଡିରୁ ଆସିଥିବା ଦେବାଶୀଷ ନାୟକଙ୍କୁ କାଟି ଅମାନତ ହରାଇଥିବା ନେତାଙ୍କୁ  ବିଜେପି ଟିକଟ ଦେଇଛି ।
ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରଖିଥିବା ବିଜେପିର ଜଣେ ଶକ୍ତିଶାଳୀ ନେତା ତାଙ୍କୁ ଜିତାଇବା ପାଇଁ ଉପରୋକ୍ତ  ଦୁଇଟି ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ପ୍ରାର୍ଥୀ ଦେଇଥିବା କୁହାଯାଉଛି । 
କେବଳ ବଡ଼ଚଣା ନିର୍ବାଚନମଣ୍ଡଳିରେ ବିଜେପି ପ୍ରାର୍ଥୀ ଅମର ନାୟକ ଗତଥର ଅଳ୍ପ ଭୋଟରେ ହାରିଯାଇଥିଲେ । ଏଥର ସେ ପ୍ରାର୍ଥୀ ହୋଇଥିବାରୁ ବଡ଼ଚଣାରେ   ଜୋର୍‌ଦାର ଲଢ଼େଇ ହେବବୋଲି ଆଶା କରାଯାଉଛି । କୋରାଇ ଆସନରେ ବିଜୁ ଜନତା ଦଳ ଜଣେ କା’ ପ୍ରାର୍ଥୀ ଦେଇଥିବାରୁ ଦଳର କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରି ବିଧାୟକ ଅଶୋକ ବଳ ଟିକଟ ନ ପାଇ ଅସନ୍ତୁଷ୍ଟ ହୋଇ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି ।  ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କ ସହିତ ବିଜେଡିର ଲଢ଼େଇ ହେବ । 
ସୁକିନ୍ଦାରେ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସହିତ ବିଜେପିର ପ୍ରଦୀପ ବଳସାମନ୍ତଙ୍କର କଡ଼ା ମୁକାବିଲା ହେବ । ବିଞ୍ଝାରପୁରରେ ବିଜେପି ଅମୀୟ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲେ ଶାସକ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥାନ୍ତା । କିନ୍ତୁ ଗତ ଥରର ପ୍ରାର୍ଥୀ ବବିତା ମଲ୍ଲିକଙ୍କ ଉପରେ ଦଳ ପୁଣିଥରେ ଭରସା କରି ପ୍ରାର୍ଥୀ କରିଛି ।  ଯାଜପୁର ଆସନରେ ଚଳିତ ନିର୍ବାଚନରେ ପ୍ରଣବପ୍ରକାଶ ଦାସ ପ୍ରାର୍ଥୀ ହୋଇନଥିବାରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଜିଲ୍ଲା ସଭାପତି ଗୌତମ ରାୟ ଏଥିରୁ କେତେ ଲାଭବାନ ହେବେ ଆଗାମୀ ୪ତାରିଖରେ ଜଣାପଡ଼ିବ ।