Odisha Election 2024: ଓଡ଼ିଆ ଅସ୍ମିତା, ଭାଷା ସଂସ୍କୃତିର ସୁରକ୍ଷାକୁ ନେଇ ଏଥର ନିର୍ବାଚନ ପ୍ରସଙ୍ଗ ହୋଇଛି। ଏପରିକି ଶାସକ ଦଳକୁ ମୁଖ୍ୟ ବିରୋଧୀ ଦଳ ବି ଘେରିଛି। ଅପରପକ୍ଷେ ଅନ୍ୟତମ ବିରୋଧୀ ଦଳ ହିସାବରେ କଂଗ୍ରେସ ବି ପଛରେ ନାହିଁ। କଂଗ୍ରେସ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର, ଅଣ ଓଡ଼ିଆ ଶାସନ ବିରୁଦ୍ଧରେ ଅନେକଥର ପ୍ରଶ୍ନ ଉଠାଇଛି, ଆନ୍ଦୋଳନ କରିଛି। କିନ୍ତୁ ନିର୍ବାଚନ ଚାଲିଥିବା ବେଳା ଓଡ଼ିଆ ନେତାଙ୍କ ଉପରେ ଭରସା କକରିପାରୁ ନାହିଁ। ପଡ଼ୋଶୀ ରାଜ୍ୟରୁ ନେତାଙ୍କୁ ଆମଦାନୀ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ନେତାଙ୍କ ପ୍ରବେଶକୁ ନେଇ ଦଳ ଭିତରେ ଗୋଷ୍ଠୀବାଦ ବି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅର୍ଥାତ୍‍ କଂଗ୍ରେସରେ ନେତା ଆଉଟ୍‍ ସୋର୍ସିଂକୁ ନେଇ କନ୍ଦଳ ଚାଲିଛି କହିଲା ଅତ୍ୟୁକ୍ତି ହେବ ନାହିଁ।


COMMERCIAL BREAK
SCROLL TO CONTINUE READING

 କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଦଳର ଟିକେଟ ଆବଣ୍ଟନରେ ଓଡ଼ିଶାର ନେତାମାନେ ନୁହଁନ୍ତି ବରଂ ସାୟକ ଦତ୍ତ ଓ ଦୀପକ ପୁବାଳଙ୍କ ଭଳି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଖାଲି ଟିକେଟ ଆବଣ୍ଟନ ନୁହେଁ, ପ୍ରାର୍ଥୀଙ୍କୁ ଅର୍ଥ ପ୍ରଦାନ ଓ ଅନ୍ୟାନ୍ୟ ପରିଚାଳନା ଏମାନଙ୍କ ହାତରେ ନ୍ୟସ୍ତ କରାଯାଇଛି। ସେହିପରି ୱାର ରୁମ୍‌ ଦାୟିତ୍ୱରେ ଅଛନ୍ତି ରିତେଶ କୁମାର ଓ ଅମିତ ରାୟ। ଯେଉଁମାନେ କି ଏଲଇଡ଼ି ଭେଇକିଲ କଥା ବୁଝିବା ସହ ରାଲି ପାଇଁ ପାଣ୍ଠି କଥା ବି ବୁଝାବୁଝି କରୁଛନ୍ତି  । ସୋସିଆଲ ମିଡ଼ିଆ ଦାୟିତ୍ୱରେ ରହିଛନ୍ତି ସୁମିତ ଦୁବେ ଓ ବବିତ ଶର୍ମା। ଅପରପକ୍ଷରେ ମିଡ଼ିଆ ଇନଚାର୍ଜ ଦାୟିତ୍ୱରେ ପ୍ରଭାତ କୁମାର ରହିଥିବା କଂଗ୍ରେସ ଅଳିନ୍ଦରୁ ଜାଣିବାକୁ ମିଳିଛି।


ଜାମସେଦପୁରର ଅଭିଜିତ ଓ ଇମ୍ରାନ ଅର୍ଥ ନେଣଦେଣ କଥା ବୁଝୁଛନ୍ତି ବୋଲି ଜଣେ କଂଗ୍ରେସ ନେତା ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ନିର୍ବାଚନର ଦେଢ଼ ମାସ ପୂର୍ବରୁ କଂଗ୍ରେସ ସବୁଠାରୁ ଅଧିକ ସକ୍ରିୟ ଥିବା କୁହାଯାଉଥିଲା  । କିନ୍ତୁ ପରେପରେ କଂଗ୍ରେସର ସବୁ ପୁରୁଣା ରୋଗ ଗୋଟିକ ପରେ ଗୋଟିଏ ବାହାରିଥିଲା। ବାରବାର ପ୍ରାର୍ଥୀ ଅଦଳବଦଳ ଯୋଗୁଁ ଅନେକ ସ୍ଥାନରେ ବିଦ୍ରୋହ ମଧ୍ୟ ଦେଖିବାକୁ ମିଳିଛି। କିଏ ଟଙ୍କା ଅଭାବରୁ ଟିକେଟ ଫେରାଇଲେ ତ ଆଉ କିଏ ଦଳୀୟ କାର୍ଯ୍ୟାଳୟରେ ହଙ୍ଗାମା କରିବାକୁ ବି ପଛାଇଲେ ନାହିଁ। କେଉଁମାନେ କାନ୍ଦିକାନ୍ଦି ଦଳ ଛାଡ଼ିବାକୁ ବି ବାଧ୍ୟ ହୋଇଛନ୍ତି  । କଂଗ୍ରେସର ନିର୍ବାଚନ ପରିଚାଳନାରେ ଅବ୍ୟବସ୍ଥା ପାଇଁ ଭୋଟ ବ୍ୟାଙ୍କ ବି ପ୍ରଭାବିତ ହୋଇଛି। ଏଥର ରାହୁଲ ଗାନ୍ଧୀ ଓଡ଼ିଶାକୁ ଫୋକସ କରି ବାରବାର ପ୍ରଚାରକୁ ଆସୁଥିଲେ ମଧ୍ୟ ଗୋଦରା କୋଡେ଼ ଯେତେ ମାଡେ଼ ସେତେ  ନ୍ୟାୟରେ ଦଳର ପ୍ରଦର୍ଶନ କେମିତି ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇବା ସ୍ୱାଭାବିକ।