Odisha Govt Decision Today: ଭୁବନେଶ୍ୱର: ରାଜ୍ୟରେ ରୂପାନ୍ତରୀକରଣ ପାଇଁ ଉଦ୍ଦିଷ୍ଟ ୮ ପ୍ରକଳ୍ପକୁ ମୁଖ୍ୟ ସଚିବଙ୍କ ଅଧିନରେ ବସିଥିବା ସିଙ୍ଗିଲ୍‍ ଓ୍ୱିଣ୍ଡୋ କମିଟି ନଭେମ୍ବର ୧୭ ତାରିଖ ଶୁକ୍ରବାର ଅନୁମୋଦନ ଦେଇଛି। ପ୍ଲାଷ୍ଟିକ୍, ବୈଷୟିକ ବୟନ ଶିଳ୍ପ ଏବଂ ଆଲୁମିନିୟମ କ୍ଷେତ୍ରରେ ନିବେଶ ଲାଗି ଏହି ୮ ପ୍ରକଳ୍ପ ସହାୟକ ହେବ। ରାଜ୍ୟର ୬ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପରେ  ପ୍ରାୟ ୨ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଇଛି। ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୧୩୯୭.୧୮ କୋଟି ଟଙ୍କା ନିବେଶ ହେବାର ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ପ୍ରଥମ ପ୍ରକଳ୍ପ ସ୍ୱରୂପ, ସମ୍ବଲପୁର ଜିଲ୍ଲାରେ ସିଣ୍ଟେକ୍ସ ବିଏପିଏଲ୍ ଲିମିଟେଡ୍ ସିପିଭିସି, ୟୁପିଭିସି, ଏସଡବ୍ଲ୍ୟୁଆର,ଏଗ୍ରି ପାଇପ୍, ପିଭିସି ଫିଟିଂ ଏବଂ ପ୍ଲାଷ୍ଟିକ୍ ଟାଙ୍କିର ବାର୍ଷିକ କ୍ଷମତା ୩୭,୫୨୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୭୯.୪୭ କୋଟି ଟଙ୍କା ବିନିଯୋଗ କରିବା ପ୍ରସ୍ତାବକୁ ସିଙ୍ଗିଲ୍‍ ଓ୍ୱିଣ୍ଡୋ ମାଧ୍ୟମରେ ଅନୁମୋଦନ କରାଯାଇଛି। ଏହା ଦ୍ୱାରା ଜିଲ୍ଲାରେ ୧୦୦୦ ଜଣଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି।  ସେହିପରି ସମ୍ବଲପୁରରେ ଏକ ହ୍ୱାଇଟ୍ ଫ୍ୟୁଜ୍ ଆଲୁମିନା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୁମିନିୟମ କ୍ଷେତ୍ରରେ ୨୪୧.୦୫ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। 


ଏଚ୍ଆଇଏଲ୍ ଇଣ୍ଡିଆ ପିଭିସି ଏବଂ ସିପିଭିସି ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ୨୫୦ କୋଟି ଟଙ୍କା ବିନିଯୋଗ କରି ୨୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। 
ସେହିପରି ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ ଲିମିଟେଡ୍, ପ୍ଲାଷ୍ଟିକ୍ କଣ୍ଟେନର, ଲେନୋ ବ୍ୟାଗ୍, ପିପି ୱେନ୍ ବ୍ୟାଗ୍, ପିପି ୱେନ୍ ଫେବ୍ରିକ୍ସ ଆଣ୍ଡ କୋରଗେଟେଡ୍ ବକ୍ସ ପ୍ରସ୍ତୁତି ପାଇଁ ୬୨.୩୮ କୋଟି ଟଙ୍କା ବିନିଯୋଗରେ ଏକ ୟୁନିଟ୍‍ ଖୋର୍ଦ୍ଧାରେ ସ୍ଥାପନ କରିବ। ଏହାର ବାର୍ଷିକ କ୍ଷମତା ୯୬୦୦ ମେଟ୍ରିକ୍ ଟନ୍ ରହିବ। ଯାହା ଦ୍ୱାରେ  ୩୮୨ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ ଏହି ଉଦ୍ୟୋଗ ପରିଚୟ ସୃଷ୍ଟି କରିବ। 


ସାନ୍ଧୁ ଟ୍ୟୁବ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ କେଏଆଇ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଭଳି ଉଲ୍ଲେଖନୀୟ କମ୍ପାନୀ ଦ୍ୱାରା ହେବାକୁ ଯାଉଥିବା ପୁଞ୍ଜିନିବେଶ ପାଇଁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଯାଜପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଦୁଇ କମ୍ପାନୀ ପ୍ରାୟ ୧୮୮.୯୮ କୋଟି ଟଙ୍କା ନିବେଶ କରିଛନ୍ତି। ଡାଉନ୍ ଷ୍ଟ୍ରିମ୍ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ରାଜ୍ୟର ୪ ଶହରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ଆଇଟି ଶିଳ୍ପରେ ଅନୁଜ ଅଟୋଗ୍ରାଫ୍ ବିଜନେସ୍ ପାର୍କ ଖୋର୍ଦ୍ଧା ଜିଲ୍ଲାରେ ୧୦୫.୩ କୋଟି ଟଙ୍କା ନିବେଶରେ ପ୍ରାୟ ୩୦୦ ନିଯୁକ୍ତି ସମ୍ଭାବନା ସହିତ ଏକ ଆଇଟି ପାର୍କ ସ୍ଥାପନ କରିବ।


କୃଷି ଶିଳ୍ପ କ୍ଷେତ୍ରରେ ଜିଜିଏଲ୍ ଚାଲେଟ୍ ପ୍ରାଇଭେଟ୍ ଲିମିଟେଡ୍ କୋରାପୁଟରେ ଭେନିର (ବାର୍ଷିକ ୨,୫୦,୦୦,୦୦୦ ଏସ୍ କ୍ୟୁଏମ୍), ପ୍ଲାଇ ବୋର୍ଡ ଏବଂ ପାର୍ଟିକଲ୍ ବୋର୍ଡ (ବାର୍ଷିକ ୫,୦୦,୦୦୦ ଏସ୍ କ୍ୟୁଏମ୍) ଏବଂ ବାୟୋମାସ୍ ପେଲେଟ୍ (୧୦,୦୦,୦୦୦  ଏମଟିପିଏ) ଉତ୍ପାଦନ ଶିଳ୍ପରେ ୭୦ କୋଟି ନିବେଶ କରିବ। ଏହି ସମସ୍ତ ୟୁନିଟ ଦ୍ୱାରା ମିଳିତ ନିଯୁକ୍ତି ସୃଷ୍ଟି ସମ୍ଭାବନା ପାଖାପାଖି ୩୦୦ ରହିଛି।