ଭୁବନେଶ୍ୱର: ଶ୍ରୀମନ୍ଦିରର ନାଟ ମଣ୍ଡପରେ ପ୍ଲାଟଫର୍ମ ଓ ଧାଡ଼ି ଦର୍ଶନ ପ୍ରସ୍ତାବରେ ରୋକ୍‍ ଲାଗିଛି। ଅର୍ଥାତ୍‍ ଆସନ୍ତା କାଲିଠାରୁ ହେବାକୁ ଥିବା ପରୀକ୍ଷାମୂଳକ ଧାଡ଼ି ଦର୍ଶନ ଆଉ ହେବ ନାହିଁ। ଚଳିତ ମାସରେ ଭିଡ଼ ବହୁତ ହେବାର ସମ୍ଭାବନା ରହିଛି ଏଣୁ ଏହି ପ୍ରକ୍ରିୟାକୁ ସାମୟିକ ସ୍ଥଗିତ କରାଯାଇଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆଜି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଏବଂ ଆଇନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ନିଷ୍ପତ୍ତି ଅନୁଯାୟୀ ଗଙ୍ଗାସ୍ନାନ ପଡୁଥିବାରୁ ଆସନ୍ତା ୨୦ ତାରିଖ ଯାଏଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିବ । ଏହି ଅବଧି ମଧ୍ୟରେ ଦର୍ଶନ ବ୍ୟବସ୍ଥାରେ କୌଣସି ପରୀକ୍ଷା ନିରୀକ୍ଷା କରାଯିବ ନାହିଁ । ଜାନୁଆରୀ ୨୦ରୁ ୨୨ ମଧ୍ୟରେ ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଏହାଦ୍ବାରା ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।


ପୂର୍ବରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ସୁରୁଖୁରରେ ଦର୍ଶନ ବ୍ୟବସ୍ଥାକୁ ସମ୍ପାଦନ କରିବା ଲାଗି ପ୍ରଶାସନ ପକ୍ଷରୁ ଧାଡ଼ି ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଥିଲା। ଏହି ନୂତନ ପ୍ରକ୍ରିୟାକୁ ନୂଆବର୍ଷଠାରୁ ଲାଗୁ କରିବା ପାଇଁ ଛତିଶା ନିଯୋଗରେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିରର ନାଟ ମଣ୍ଡପରେ ପାହାଚ ଭଳି ପ୍ଲାଟଫର୍ମ ତିଆରି ଏବଂ ପ୍ଲାଟଫର୍ମ ଉପରେ ଧାଡ଼ି ଧାଡ଼ି ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା। ଏହି ଧାଡ଼ିକୁ ଆସିବା ପାଇଁ କେବଳ ସାତପାହାଚ ହିଁ ଉନ୍ମୁକ୍ତ ରହିବ ବୋଲି କୁହାଯାଇଥିଲା।  କିନ୍ତୁ ଗାରଦ ଦ୍ୱାର ଓ ଘଣ୍ଟି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। 


ଭିଡ଼ ନିୟନ୍ତ୍ରଣ ପାଇଁ ହୋଇଥିବା ଏହି ବ୍ୟବସ୍ଥାକୁ କିନ୍ତୁ ଭିଡ଼ ଦେଖି କାର୍ଯ୍ୟକାରୀ କରାଯାଇ ନାହିଁ। ଅର୍ଥାତ୍‍ ଶ୍ରୀମନ୍ଦିରର ନିଜ ନିଷ୍ପତ୍ତି ଉପରେ ଭରସା ରହି ନଥିବା ଜଣାପଡ଼ିଛି। ପୁଣି ଧାଡ଼ି ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ମନ୍ତ୍ରୀ ଆସି ଏହାକୁ ବାରଣ କରିଛନ୍ତି। ପୂର୍ବରୁ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାରଙ୍କ ଭିତରେ ତାଳମେଳ ଅଭାବ ଦେଖିବାକୁ ମିଳିଥିଲା।